ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର ପୁଣି ନିଟ୍(NEET) ପେପର ଲିକ୍ ମାମଲା ଏବଂ ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ବିଭିନ୍ନ ତ୍ରୁଟିକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିବା ସହ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି।
ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଏକ୍ସ’ (X) ରେ ଏକ ପୋଷ୍ଟ ଶେୟାର କରି ୩ଟି ଭିନ୍ନ ଭିନ୍ନ ସମସ୍ୟା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ନିଟ୍ ପେପର ଲିକ ଘଟଣା ଯୋଗୁ ଦେଶର ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯାଇଛି। ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଓଏସ୍ଏମ୍ (OSM) ସିଷ୍ଟମର ତ୍ରୁଟି ଯୋଗୁ ଆଶାଠାରୁ ବହୁତ କମ ମାର୍କ ମିଳିଛି। ଫଳରେ ଅନେକ ଯୋଗ୍ୟ ଛାତ୍ରଛାତ୍ରୀ କଲେଜରେ ଆଡମିଶନ କରିବାର ସୁଯୋଗ ହରାଇଛନ୍ତି। ଏବେ ସିବିଏସଇ ନବମ ଶ୍ରେଣୀର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଜୁଲାଇ ୧ ରୁ ଏକ ନୂଆ ଭାଷା ପଢ଼ିବାକୁ କୁହାଯାଉଛି। କିନ୍ତୁ ଏଥିପାଇଁ ନା ଅଛନ୍ତି ଶିକ୍ଷକ, ନା ଅଛି ପାଠ୍ୟପୁସ୍ତକ। ପରିସ୍ଥିତି ଏପରି ହୋଇଛି ଯେ ‘ଟ୍ରାଞ୍ଜିସନାଲ ବ୍ୟବସ୍ଥା’ ନାମରେ ୧୪ ବର୍ଷର ଛାତ୍ରଛାତ୍ରୀଙ୍କୁ ଷଷ୍ଠ ଶ୍ରେଣୀର ବହି ଦିଆଯାଉଛି।
କେବଳ ଏତିକି ନୁହେଁ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ସେ କହିଛନ୍ତି, “ତିନୋଟି ପରୀକ୍ଷା, ତିନୋଟି ଭିନ୍ନ ବୟସ ଗ୍ରୁପ, କିନ୍ତୁ ମନ୍ତ୍ରୀ ଜଣେ। ଧର୍ମେନ୍ଦ୍ର ପ୍ରଧାନ କେବଳ ଗୋଟିଏ ଥର ବିଫଳ ହୋଇନାହାନ୍ତି, ବରଂ ସେ ଏକ ସମୟରେ ଦେଶର ପ୍ରତ୍ୟେକ ବୟସର ଛାତ୍ରଛାତ୍ରୀଙ୍କୁ ନିରାଶ କରିଛନ୍ତି।”
ଶିକ୍ଷା ମନ୍ତ୍ରଣାଳୟ ଉପରେ ଗମ୍ଭୀର ଅଭିଯୋଗ ଆଣି ରାହୁଲ କହିଛନ୍ତି ଯେ ମନ୍ତ୍ରଣାଳୟର ପ୍ରତ୍ୟେକ ନିଷ୍ପତ୍ତି ପିଲାମାନଙ୍କୁ ଅନିଶ୍ଚିତତା ଆଡ଼କୁ ଠେଲି ଦେଉଛି। ବାରମ୍ବାର ଗଡ଼ବଡ଼ ସତ୍ତ୍ୱେ କାହାରିକୁ ଦାୟୀ କରାଯାଉ ନାହିଁ। ଶିକ୍ଷା ମନ୍ତ୍ରଣାଳୟ ଏବେ ‘ବିପର୍ଯ୍ୟୟର ବିଭାଗ’ (Ministry of Disasters) ପାଲଟି ଯାଇଛି। ଶିକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ ବାରମ୍ବାର ପେପର ଲିକ ହେଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କୁ ବରଖାସ୍ତ କାହିଁକି କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
Dharitri – Odisha’s No.1 Odia Daily
The post ‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ… appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।