୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

Jul 24, 2026 - 12:59
୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

ନୂଆଦିଲ୍ଲୀ: ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍। ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ନିଜର ୨୬ ଦିନିଆ ଅନଶନ ଶେଷ କରିଛନ୍ତି। ମେଦାନ୍ତ ହସ୍ପିଟାଲରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଏବଂ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ସେ ଏହି ଅନଶନ ଭାଙ୍ଗିଛନ୍ତି।

ଦୀର୍ଘ ଦିନର ଅନଶନ କାରଣରୁ ଡିହାଇଡ୍ରେସନ୍ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସୋନମ ୱାଙ୍ଗଚୁକ୍ଙ୍ ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରକାଶିତ ଫଟୋ ଅନୁଯାୟୀ, ସେ ହସ୍ପିଟାଲ ବେଡରେ ବସି କେନ୍ଦ୍ରମନ୍ତ୍ରୀଙ୍କ ହାତରୁ ପାନୀୟ ଗ୍ରହଣ କରି ନିଜର ଅନଶନ ଶେଷ କରିଥିଲେ। ସରକାରୀ ପ୍ରତିନିଧି ଏବଂ ଲେହ ଲଦାଖ ଆପେକ୍ସ ବଡିର ନେତାମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ବିଭିନ୍ନ ଦଳର ପ୍ରାୟ ୬୫ ଜଣ ସାଂସଦ ତାଙ୍କୁ ଭେଟି ଅନଶନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି।

ଦେଶର ଶିକ୍ଷା ବ୍ୟବସ୍ଥା ଓ ବିଶେଷ କରି ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ପ୍ରତିବାଦରେ ସେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଆନ୍ଦୋଳନ କରୁଥିଲେ। ଦୁର୍ନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ଯୁବ ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ନ ନେବାକୁ ସେ ଦାବି କରିଥିଲେ।

ଆନ୍ଦୋଳନକାରୀ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ବେଶ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ସୂଚନା ଦେଇଛନ୍ତି। ପରୀକ୍ଷା ସଂସ୍କାର ସମ୍ପର୍କରେ ଛାତ୍ର ପ୍ରତିନିଧିଙ୍କ ସହ ନିରନ୍ତର ଆଲୋଚନା ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଦେଶରେ କୌଣସି ପ୍ରକାର ହିଂସାତ୍ମକ ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ନିର୍ଦ୍ଦିଷ୍ଟ ସର୍ତ୍ତ ଉପରେ ଆଲୋଚନା କରାଯାଇ ଅନଶନ ଭାଙ୍ଗିବାକୁ ସେ ନିଷ୍ପତ୍ତି ନେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।