ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କଲେ ରାଜ୍ୟ ସରକାର

Jul 23, 2026 - 16:41
ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପୌରାଞ୍ଚଳ ଓ ସ୍ମାର୍ଟ ସିଟିଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନିଗମ କମିଶନର, ଏନଏସି ଏବଂ ସ୍ମାର୍ଟ ସିଟିର ପରିଚାଳନା ନିର୍ଦ୍ଦେଶକମାନଙ୍କ ଆର୍ଥିକ କ୍ଷମତାକୁ ବୃଦ୍ଧି କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ସଂଶୋଧିତ ଢାଞ୍ଚା ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ଏହା ତୁରନ୍ତ ଲାଗୁ ହୋଇଛି। ପୂର୍ବର ସମସ୍ତ ଆଦେଶ ଓ ବିଜ୍ଞପ୍ତିକୁ ଏହା ରଦ୍ଦ କରିଛି। ନୂତନ ନିୟମ ଅନୁଯାୟୀ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (BSCL) ଏବଂ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ (RSCL) ର ପରିଚାଳନା ନିର୍ଦ୍ଦେଶକଙ୍କ ଆର୍ଥିକ କ୍ଷମତାକୁ ମ୍ୟୁନିସିପାଲ୍ କର୍ପୋରେସନ୍ କମିଶନରଙ୍କ ସମକକ୍ଷ କରାଯାଇଛି।

ମ୍ୟୁନିସିପାଲ୍ କର୍ପୋରେସନ୍‌ଗୁଡ଼ିକରେ କାର୍ଯ୍ୟ ବିଲ୍, କ୍ରୟ ବିଲ୍ ଏବଂ ଅଫିସ୍ ଆନୁଷଙ୍ଗିକ ବିଲ୍ ପୈଠ କରିବା ପାଇଁ କମିଶନରମାନଙ୍କ ଆର୍ଥିକ ସୀମାକୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସୀମା ଭୁବନେଶ୍ୱର ମହାନଗର ନିଗମରେ ୫୦ ଲକ୍ଷ ଟଙ୍କା ଥିବା ବେଳେ ଅନ୍ୟ ନିଗମଗୁଡ଼ିକରେ ୧୫ ଲକ୍ଷ ଟଙ୍କା ରହିଥିଲା। ୧ କୋଟି ଟଙ୍କାରୁ ଅଧିକ ବିଲ୍ ଅନୁମୋଦନ ପାଇଁ ମ୍ୟୁନିସିପାଲ୍ କର୍ପୋରେସନ୍‌ରେ ଉପସ୍ଥାପନ କରାଯିବ। କମିଶନରମାନଙ୍କୁ ଦରମା ଏବଂ ପେନସନ୍ ବିଲ୍ ପୈଠ ପାଇଁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। ଏହା ସହିତ କାର୍ଯ୍ୟ ଏବଂ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ ପାଇଁ ଆର୍ଥିକ ସୀମା ୨ କୋଟି ଟଙ୍କାରୁ ୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ୩ କୋଟିରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ଚୁକ୍ତିନାମା ଷ୍ଟାଣ୍ଡିଂ କମିଟି ଦ୍ୱାରା, ୪ କୋଟିରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ମ୍ୟୁନିସିପାଲ୍ କର୍ପୋରେସନ୍ ଦ୍ୱାରା ଏବଂ ୫ କୋଟି ଟଙ୍କାରୁ ଅଧିକ ପ୍ରସ୍ତାବ ପୂର୍ବ ଭଳି ପ୍ରଶାସନିକ ବିଭାଗ ଦ୍ୱାରା ଅନୁମୋଦିତ ହେବ।

ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗୁଡ଼ିକରେ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଦେୟ କ୍ଷମତା ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦ ଲକ୍ଷ ଟଙ୍କାରୁ ଅଧିକ ବିଲ୍ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅଧ୍ୟକ୍ଷଙ୍କ ମିଳିତ ସ୍ୱାକ୍ଷର ଆବଶ୍ୟକ ହେବ। ଏଥିସହ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଦରମା ଓ ପେନସନ୍ ବିଲ୍ ପ୍ରଦାନ ପାଇଁ ପୂର୍ଣ୍ଣ କ୍ଷମତା ମିଳିଛି। ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ଅନୁମୋଦନ ସୀମା ମଧ୍ୟ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ୨୦ ଲକ୍ଷରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ପୌର ପରିଷଦ କିମ୍ବା ଏନଏସି କାଉନସିଲ୍ ଦ୍ୱାରା ଅନୁମୋଦିତ ହେବ। କିନ୍ତୁ ୩ କୋଟି ଟଙ୍କାରୁ ଅଧିକ ହେଲେ ପ୍ରଶାସନିକ ବିଭାଗର ଅନୁମତି ଲୋଡ଼ାଯିବ।

ଏହି ସଂଶୋଧିତ ଆର୍ଥିକ କ୍ଷମତା ହସ୍ତାନ୍ତର ଦ୍ୱାରା ପୌର ସଂସ୍ଥାଗୁଡ଼ିକୁ ଅଧିକ ଆର୍ଥିକ ସ୍ୱାଧୀନତା ମିଳିବା ସହ ସ୍ଥାନୀୟ ପ୍ରଶାସନ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଏହାଫଳରେ ପ୍ରକ୍ରିୟାଗତ ବିଳମ୍ବ ଦୂର ହେବା ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ନାଗରିକ ଭିତ୍ତିଭୂମି ଓ ଜନକଲ୍ୟାଣ ପ୍ରକଳ୍ପଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟକାରୀ ହୋଇପାରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।