୨୨କୋଟି ଵ୍ୟୟ ଅଟକଳରେ ନବୀକରଣ ହୋଇଛି କେସିଙ୍ଗା ରେଲୱେ ଷ୍ଟେଶନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅଧିନସ୍ଥ କେସିଙ୍ଗା ରେଲୱେ ଷ୍ଟେଶନର ଶୁଭ ଉଦଘାଟନ ଶୁକ୍ରବାର ରେଳ ବିଭାଗ ପକ୍ଷରୁ କରାଯିବ । କେସିଙ୍ଗା ଷ୍ଟେଶନର ନବୀକରଣ ବାବଦକୁ ୨୨କୋଟି ଖର୍ଚ୍ଚ ହୋଇ ଥିବା ରେଲୱେ ବିଭାଗ ପକ୍ଷରୁ ସୂଚନା ଦେଇଛି। ସେଥିପାଇଁ କେସିଙ୍ଗା ରେଲୱେ ଷ୍ଟେସନରେ ଆଜି ଠାରୁ ସଜବାଜ ଜୋରଦାର ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଶୁକ୍ରବାର ଅପରାହ୍ନରେ ୨.୩୦ମିନିଟରେ ଉଦଘାଟନ କରିବେ ବୋଲି ଇଷ୍ଟକୋଷ୍ଟର ପବ୍ଲିକ ରିଲେଶନ ଅଫିସର ତ୍ରିବିକ୍ରମ ସେଠ ସୂଚନା ଦେଇଛନ୍ତି ।
ଗତ ୧୯୩୧ମସିହାରେ ସ୍ଥାପିତ ଏହି ରେଲୱେ ଷ୍ଟେଶନର ନବୀକରଣ ୨୨କୋଟି ବ୍ୟୟ ଅଟକଳରେ କରାଯାଇଛି । ରାଜ୍ୟରେ ରେଳ ଭିତ୍ତିଭୂମିର ଆଧୁନିକୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି (ଶୁକ୍ରବାର, ୧୭ ଜୁଲାଇ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୫ଟି ପୁନନିର୍ମିତ ରେଳ ଷ୍ଟେସନର ଉଦ୍ଘାଟନ କରିବେ । ଏହି ମେଗା ପ୍ରକଳ୍ପରେ ଓଡ଼ିଶାର ୭ଟି ପ୍ରମୁଖ ଷ୍ଟେଶନ ଯଥା ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼ ସାମିଲ ରହିଛି, ଯାହାର ନବକଳେବର ହୋଇଛି ।
କେନ୍ଦ୍ର ସରକାରଙ୍କ ‘ଅମୃତ ଭାରତ ଷ୍ଟେଶନ ଯୋଜନା’ ଅଧୀନରେ ଏହି ଷ୍ଟେଶନଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଚାହିଁ ବିକଶିତ କରାଯାଇଛି । ଓଡ଼ିଶାର ଏହି ୭ଟି ଷ୍ଟେଶନର ନବୀକରଣ ପାଇଁ ପ୍ରାୟ ୧୦୯ କୋଟି ଟଙ୍କା ବ୍ୟୟ କରାଯାଇଛି । ସ୍ଥାନୀୟ ଐତିହ୍ୟକୁ ବଜାୟ ରଖିବା ସହ ଯାତ୍ରୀମାନଙ୍କୁ ଆଧୁନିକ ସେବା ଯୋଗାଇଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ।
ଯାତ୍ରୀଙ୍କ ସୁବିଧା ପାଇଁ ଆକର୍ଷଣୀୟ ନୂଆ ଷ୍ଟେଶନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପଥକୁ ପ୍ରଶସ୍ତ କରାଯାଇଛି। ଷ୍ଟେଶନ ଗୁଡ଼ିକରେ ଲିଫ୍ଟ ସୁବିଧା ସହ ୧୨ ମିଟର ଚଉଡ଼ାର ପାଦଚଲା ପୋଲ ନିର୍ମାଣ କରାଯାଇଛି, ଯାହା ଦ୍ୱାରା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ସହଜରେ ଯାତାୟତ କରିପାରିବେ।
ଯାତ୍ରୀଙ୍କ ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି । ଏହାସହ ଷ୍ଟେଶନ ବାହାରେ ଗହଳି ନିୟନ୍ତ୍ରଣ କରିବା ପାଇଁ ପାର୍କିଂ ଜାଗାକୁ ଅଧିକ ପ୍ରଶସ୍ତ ଓ ବ୍ୟବସ୍ଥିତ କରାଯାଇଛି । ଏହି ନବୀକରଣର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଷ୍ଟେଶନ ଗୁଡ଼ିକର ସୁନ୍ଦର କଳାକୃତି। ପ୍ରତ୍ୟେକ ଷ୍ଟେଶନର ନିର୍ମାଣ ଶୈଳୀରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଦେଖିବାକୁ ମିଳିବ। ଏଥିରେ ସ୍ଥାନୀୟ ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଏବଂ ଆଦିବାସୀ କଳାର ଚିତ୍ର ସ୍ଥାନ ପାଇଛି, ଯାହା ଓଡ଼ିଶାର ଗୌରବମୟ ପରିଚୟକୁ ପ୍ରଦର୍ଶିତ କରିବ।
ଏହି ସାତଟି ଷ୍ଟେଶନର ପୁନଃବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ ଦେବା ସହିତ ନିରାପଦ, ଆଧୁନିକ, ଅନ୍ତର୍ଭୁକ୍ତ ଏବଂ ଆରାମଦାୟକ ଯାତ୍ରା ସୁବିଧା ଯୋଗାଇବା ପାଇଁ ଚାଲିଥିବା ପ୍ରୟାସରେ ଆଉ ଏକ ମାଇଲଖୁଣ୍ଟ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।