୨୨ ଓ ୨୩ ତାରିଖରେ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ

Jun 21, 2026 - 20:38

ନୂଆଦିଲ୍ଲୀ: ଆସନ୍ତା ୨୨ ଓ ୨୩ ତାରିଖରେ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି।ଏହି ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଙ୍କ ସୁରକ୍ଷା ପରାମର୍ଶଦାତାମାନେ ଭାଗ ନେବେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ଯୋଗ ଦେଇଥିବା ପ୍ରତିନିଧିମାନେ ଜାତୀୟ ସୁରକ୍ଷା କ୍ଷେତ୍ରରେ ବର୍ତ୍ତମାନ ସମୟରେ ଦେଖା ଦେଇଥିବା ଆହ୍ବାନ ସମ୍ପର୍କରେ ଆଲୋଚନା କରିବା ସହ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ସେଗୁଡ଼ିକୁ କିପରି ମୁକାବିଲା କରାଯାଇ ପାରିବ ସେ ନେଇ ଆଲୋଚନା କରିବେ। ସାଇବର ସୁରକ୍ଷା, କୃତ୍ରିମ ବୁଦ୍ଧିମତ୍ତା ବିନିଯୋଗ ଉପରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଆତଙ୍କବାଦକୁ ମୁକାବିଲା କରିବା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ନେଇ କିଛିଦିନ ତଳେ ଆୟୋଜିତ ବୈଠକର ନିଷ୍କର୍ଷ ଉପରେ ମଧ୍ୟ ଚର୍ଚ୍ଚା ହେବ ବୋଲି ଜଣାପଡ଼ିଛି। ଜାତୀୟ ସୁରକ୍ଷା ​‌େ​‌କ୍ଷତ୍ରରେ ପରସ୍ପରକୁ ସହଯୋଗ କରିବା ସହ ଆତଙ୍କବାଦୀ କାର୍ଯ୍ୟକଳାପକୁ କିପରି ରୋକା ଯାଇପାରିବ ସେ ନେଇ ଆଲୋଚନା ହେବ। ଏହି ବୈଠକରେ ଚୀନ୍‌ ବୈଦେଶିକ ବିଭାଗ ମନ୍ତ୍ରୀ ୱାଙ୍ଗ ୱି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେ ଚୀନ୍‌ର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରି ଆସୁଛନ୍ତି। ଭାରତ ଓ ଚୀନ୍‌ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ତାଙ୍କର ଏହି ଗସ୍ତ ବେଶ୍‌ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।