ସ୍ୱାମୀଙ୍କଠାରୁ ଅଧିକ ରୋଜଗାର କରୁଥିଲେ ମିଳିବନି ଭରଣପୋଷଣ ଟଙ୍କା: କର୍ନାଟକ ହାଇକୋର୍ଟଙ୍କ ବଡ଼ ରାୟ
ନୂଆଦିଲ୍ଲୀ,୧।୭: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଙ୍କଠାରୁ ଅଧିକ, ତେବେ ସେ ଭରଣପୋଷଣ ପାଇବାକୁ ହକଦାର ନୁହନ୍ତି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସ୍ତ୍ରୀ ପାଖରେ ଜୀବନ ଜୀବିକା ନିର୍ବାହ ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସମ୍ବଳ ନାହିଁ ବୋଲି ନିଶ୍ଚିତ ହେବା ପରେ ହିଁ ଭରଣପୋଷଣର ଆଦେଶ ଦିଆଯିବା ଉଚିତ।
ମୈସୁରର ଏକ ଟ୍ରାଏଲ୍ କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀଙ୍କୁ ପ୍ରତିମାସରେ ୨୦ ହଜାର ଟଙ୍କା ଭରଣପୋଷଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ସୁମଲତାଙ୍କ ଏକକ ବେଞ୍ଚ ଟ୍ରାଏଲ୍ କୋର୍ଟର ଏହି ନିର୍ଦ୍ଦେଶକୁ ରଦ୍ଦ କରି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମାମଲାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ, ନିମ୍ନ ଅଦାଲତ ସ୍ୱାମୀଙ୍କ ଆୟ ଏବଂ ତାଙ୍କ ଆର୍ଥିକ ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରିଛନ୍ତି, କିନ୍ତୁ ସ୍ତ୍ରୀର ଆର୍ଥିକ ସ୍ୱଚ୍ଛଳତାକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଛନ୍ତି।
ହାଇକୋର୍ଟ ନିଜ ନିର୍ଦ୍ଦେଶରେ କହିଛନ୍ତି ଯେ, ଯେତେବେଳେ ଜଣେ ମହିଳା ଘରୋଇ ହିଂସା ଅଧିନିୟମ କିମ୍ବା ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଭରଣପୋଷଣ ଅଧିନିୟମ ମାଧ୍ୟମରେ ଗୁଜୁରା ଭତ୍ତା ଦାବି କରନ୍ତି, ତାର ଅର୍ଥ ଏହା ନୁହେଁ ଯେ କୌଣସି ଦୃଢ଼ କାରଣ ବିନା ସ୍ୱାମୀଙ୍କୁ ମେଣ୍ଟେନାନ୍ସ (ଭରଣପୋଷଣ) ଦେବାକୁ ନିର୍ଦ୍ଦେଶ ଦିଆଯିବ। କୋର୍ଟ କହିଛନ୍ତି, ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ଆର୍ଥିକ ସ୍ଥିତିର ଆକଳନ କରାଯିବା ଉଚିତ ଏବଂ ଏହାପରେ ହିଁ କୌଣସି ନିଷ୍ପତ୍ତି ନିଆଯିବା ଦରକାର।
ବର୍ଷ ୨୦୨୪ରେ ଉଭୟଙ୍କ ବିବାହ ହୋଇଥିଲା, କିନ୍ତୁ ଦୁଇ ମାସ ମଧ୍ୟରେ ହିଁ ସ୍ୱାମୀ-ସ୍ତ୍ରୀ ଅଲଗା ହୋଇଯାଇଥିଲେ। ସ୍ତ୍ରୀ ଜଣକ ଘରୋଇ ହିଂସା ମାମଲା ଦାୟର କରି ସ୍ୱାମୀଙ୍କଠାରୁ ପ୍ରତିମାସରେ ୧ ଲକ୍ଷ ୧୩ ହଜାର ୫೧୫ ଟଙ୍କା ଗୁଜୁରା ଭତ୍ତା ଏବଂ ୫୦ ହଜାର ଟଙ୍କା ଆଇନଗତ ଖର୍ଚ୍ଚ ଦାବି କରିଥିଲେ। ଅନ୍ୟପଟେ, ସ୍ୱାମୀ କହିଥିଲେ ଯେ ସେ ଏକ ପ୍ରାଇଭେଟ୍ ଚାକିରି କରନ୍ତି ଏବଂ ତାଙ୍କର ମାସିକ ଆୟ ମାତ୍ର ୫୭ ହଜାର ଟଙ୍କା। ଏହାର ବିପରୀତରେ ସ୍ତ୍ରୀଙ୍କ ମାସିକ ଦରମା ୧ ଲକ୍ଷରୁ ୧.୬୪ ଲକ୍ଷ ଟଙ୍କା ମଧ୍ୟରେ ଥିଲା।