ସ୍ୱାବଲମ୍ବନରୁ ସାମର୍ଥ୍ୟ
ଇତିହାସର ପୃଷ୍ଠା ଓଲଟାଇଲେ ଦେଖାଯାଏ, ଯେକୌଣସି ଜାତିର ପରିଚୟ ତା'ର ଭୌଗାଳିକ ସୀମାରେଖାରେ ନୁହେଁ, ବରଂ ତା'ର ଆତ୍ମନିର୍ଭରଶୀଳତା ଓ ସୃଜନଶୀଳ ସାମର୍ଥ୍ୟରେ ହିଁ ପ୍ରତିଫଳିତ ହୋଇଥାଏ । କୌଣସି ବି ଜାତିର ଇତିହାସରେ ଏମିତି ଏକ ସମୟ ଆସେ, ଯେତେବେଳେ ସେହି ଜାତିକୁ ନିଜର ଅସ୍ତିତ୍ୱ ଏବଂ ସାମର୍ଥ୍ୟକୁ ନୂତନ ଭାବେ ସଂଜ୍ଞାୟିତ କରିବାକୁ ପଡ଼େ । ଭାରତ ପାଇଁ ଆଜି ସେହି ସମୟ ଉପସ୍ଥିତ । ‘ସ୍ୱାବଲମ୍ବୀ ଭାରତ' ବା ‘ଆତ୍ମନିର୍ଭର ଭାରତ' କେବଳ ଏକ ସାମୟିକ ରାଜନୈତିକ ସ୍ଳୋଗାନ ନୁହେଁ, ବରଂ ଏହା ଦେଶର ୧୪୦କୋଟି ଜନତାଙ୍କ ମନରେ ସୁପ୍ତ ଥିବା ସେହି ସ୍ୱାଭିମାନର ଜାଗରଣ, ଯାହା ଶତାବ୍ଦୀ ଶତାବ୍ଦୀ ଧରି ପରାଧୀନତା ଏବଂ ମାନସିକ ଦାସତ୍ୱର ଶୃଙ୍ଖଳରେ ଆବଦ୍ଧ ଥିଲା ।
ଆଜି ସାରା ବିଶ୍ୱ ଯେତେବେଳେ ଏକ ଅସ୍ଥିର ଅର୍ଥନୈତିକ ସଂକଟ ଦେଇ ଗତି କରୁଛି, ସେତିକିବେଳେ "ସ୍ୱାବଲମ୍ବୀ ଭାରତ'ର ଆହ୍ୱାନ ୧୪୦କୋଟି ଜନତାଙ୍କ ସଂକଳ୍ପବଦ୍ଧ ଯାତ୍ରାର ଏକ ମୁଖବନ୍ଧ ସାଜିଛି । ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଭାରତୀୟ ମାନସିକତାରୁ ଦାସତ୍ୱର ଅବଶେଷକୁ ପୋଛିଦେଇ ଏକ ସ୍ୱାଧୀନ, ସଶକ୍ତ ଏବଂ ଆତ୍ମବିଶ୍ୱାସୀ ରାଷ୍ଟ୍ର ଗଠନ କରିବା । ସ୍ୱାବଲମ୍ବନର ଅର୍ଥ କଦାପି ବିଶ୍ୱଠାରୁ ନିଜକୁ ବିଚ୍ଛିନ୍ନ କରିବା ନୁହେଁ, ବରଂ ନିଜର ଆଭ୍ୟନ୍ତରୀଣ ଶକ୍ତିକୁ ଏତେମାତ୍ରାରେ ବିକଶିତ କରିବା, ଯେପରି ଭାରତ ବିଶ୍ୱ ବଜାରରେ କେବଳ ଜଣେ କ୍ରେତା ନୁହେଁ, ଏକ ନିର୍ଣ୍ଣାୟକ ବିକ୍ରେତା ଓ ମାର୍ଗଦର୍ଶକ ଭାବେ ଉଭା ହେବ ।
ସ୍ୱାବଲମ୍ବୀ ଭାରତର ସୌଧ ପାଞ୍ଚଟି ମୁଖ୍ୟ ସ୍ତମ୍ଭ ଉପରେ ଦଣ୍ଡାୟମାନ । ଯେଉଁଠି ଅର୍ଥନୀତିର ଗତିଶୀଳତା ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ରକ୍ଷା କରାଯାଇଛି । ଏହି ପରିପ୍ରେକ୍ଷୀରେ, ଦେଶର ମୋଟ୍ ଘରୋଇ ଉତ୍ପାଦ (ଜିଡିପି)କୁ ସଶକ୍ତ କରିବା ପାଇଁ ଯେଉଁ ପାଞ୍ଚଟି ସ୍ତମ୍ଭ- ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଜନସଂଖ୍ୟା ଏବଂ ଚାହିଦା ଉପରେ ଗୁରୁତ୍ୱ ଦିଆଯାଇଛି, ତାହା ପ୍ରକୃତରେ ନୂତନ ଭାରତର ଅର୍ଥନୈତିକ ଭୂଗୋଳକୁ ବଦଳାଇବାର ସାମର୍ଥ୍ୟ ରଖେ ।
ଭାରତର ବିଶାଳ ଜନସଂଖ୍ୟା ଆଜି ଆମପାଇଁ ଏକ ବୋଝ ନୁହେଁ । ଏହା ଏକ ଅମୂଲ୍ୟ "ଜନସଂଖ୍ୟାଗତ ଲାଭାଂଶ' । ଯେତେବେଳେ ଆମର ଯୁବପିଢ଼ି ପାରମ୍ପରିକ ଚାକିରି ପଛରେ ନଗୋଡ଼ାଇ ନିଜର ଉଦ୍ୟମ ସାହାଯ୍ୟରେ ନୂଆ ନୂଆ ଷ୍ଟାର୍ଟଅପ୍ ଗଠନ କରୁଛନ୍ତି, ସେତେବେଳେ ସ୍ୱାବଲମ୍ବନର ପ୍ରକୃତ ସ୍ୱରୂପ ଉନ୍ମୋଚିତ ହେଉଛି । ଗୋଟିଏ ସମୟରେ ଭାରତୀୟ ପ୍ରତିଭାମାନେ ସିଲିକନ ଭ୍ୟାଲିରେ କାମ କରି ଅନ୍ୟ ପାଇଁ ସଫ୍ଟୱେୟାର ତିଆରି କରୁଥିଲେ । କିନ୍ତୁ ଆଜି ସେହି ପ୍ରତିଭା ଦେଶ ମଧ୍ୟରେ ଷ୍ଟାର୍ଟଅପ୍ର ବନ୍ୟା ଛୁଟାଇଛନ୍ତି ।
ଏହି ସ୍ୱାବଲମ୍ବନର ସବୁଠାରୁ ବଡ଼ ତଥ୍ୟଭିତ୍ତିକ ପ୍ରମାଣ ହେଉଛି ଭାରତର ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ (ପ୍ରଡକ୍ସନ ଲିଙ୍କ୍ଡ ଇନସେଣ୍ଟିଭ- ପିଏଲଆଇ) ଯୋଜନା । ଏହା ମାଧ୍ୟମରେ ମୋବାଇଲ ଉତ୍ପାଦନ, ଔଷଧ (ଏପିଆଇ) ଏବଂ ବୈଦ୍ୟୁତିକ ଯନ୍ତ୍ରପାତି କ୍ଷେତ୍ରରେ ଭାରତ ବିଶ୍ୱର ଏକ ପ୍ରମୁଖ କେନ୍ଦ୍ର ଭାବେ ମୁଣ୍ଡ ଟେକିଛି । ଦିନେ ଭାରତ ମୋବାଇଲ ଫୋନ୍ର ଶ୍ରେଷ୍ଠ ଆମଦାନୀକାରୀ ଥିଲା, କିନ୍ତୁ ଆଜି ଆମେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ର । ଏହି ରୂପାନ୍ତରଣ କେବଳ ପରିସଂଖ୍ୟାନରେ ସୀମିତ ନୁହେଁ, ଏହା ଲକ୍ଷ ଲକ୍ଷ କୁଶଳୀ ଶ୍ରମିକଙ୍କ ପାଇଁ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି କରିଛି ।
ବୈଷୟିକ ସ୍ୱାବଲମ୍ବନ କ୍ଷେତ୍ରରେ "ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର' (ଡିପିଆଇ) ଭାରତକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଡିଜିଟାଲ୍ ଇଣ୍ଡିଆ ଏବଂ ୟୁପିଆଇ’ର ସଫଳତା ଏହାର ଶ୍ରେଷ୍ଠ ପ୍ରମାଣ । ବିଶ୍ୱର ବିକଶିତ ରାଷ୍ଟ୍ରମାନେ ଆଜି ଭାରତର ରିଅଲ୍-ଟାଇମ୍ ପେମେଣ୍ଟ ବ୍ୟବସ୍ଥା ଦେଖି ଚକିତ । ଯେତେବେଳେ ଜଣେ ଚା' ଦୋକାନୀ ଡିଜିଟାଲ ପଇସା ଗ୍ରହଣ କରେ, ସେତେବେଳେ ସେ ପ୍ରକୃତରେ ‘ସ୍ୱାବଲମ୍ବୀ ଭାରତ'ର ଜଣେ ଯୋଦ୍ଧା ସାଜିଥାଏ । ଏହା କେବଳ ସୁବିଧା ନୁହେଁ, ଏହା ବୈଦେଶିକ ପ୍ରଯୁକ୍ତିବିଦ୍ୟା ଉପରେ ଆମର ନିର୍ଭରଶୀଳତାକୁ ହ୍ରାସ କରିବାର ପ୍ରଚେଷ୍ଟା । ଗାଁର ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଡିଜିଟାଲ୍ କାରବାର କରିବା ଦ୍ୱାରା ଦେଶର ଅର୍ଥନୈତିକ ସ୍ରୋତରେ ନିଜକୁ ସାମିଲ କରିପାରିଛି, ଯାହାକି ଆତ୍ମନିର୍ଭରଶୀଳତାର ଏକ ବୈଷୟିକ ପ୍ରମାଣ ଅଟେ ।
ସେହିପରି ପ୍ରତିରକ୍ଷା ଓ ଶିଳ୍ପକ୍ଷେତ୍ରରେ ଭାରତର ଅଗ୍ରଗତି ଅତି ନାଟକୀୟ ଭାବେ ପରିବର୍ତ୍ତିତ ହୋଇଛି । ଦିନେ ଯେଉଁ ଭାରତ ପ୍ରତ୍ୟେକ ଛୋଟ ଅସ୍ତ୍ର ପାଇଁ ବିଦେଶୀ ଶକ୍ତିଙ୍କ ଉପରେ ନିର୍ଭର କରୁଥିଲା । ଆଜି ସେହି ଭାରତ ଆଇଏନଏସ ବିକ୍ରାନ୍ତ ଏବଂ ତେଜସ୍ ପରି ଯୁଦ୍ଧାସ୍ତ୍ର ନିଜ ମାଟିରେ ନିର୍ମାଣ କରି ବିଶ୍ବକୁ ନିଜର ଶକ୍ତି ପ୍ରଦର୍ଶନ କରୁଛି । "ମେକ୍ ଇନ୍ ଇଣ୍ଡିଆ'ର ସଫଳତା କେବଳ କାରଖାନା ପ୍ରତିଷ୍ଠାରେ ସୀମିତ ନୁହେଁ । ଏହା ଭାରତୀୟ ଶ୍ରମିକ ଓ ଯନ୍ତ୍ରଶିଳ୍ପୀଙ୍କ ମଧ୍ୟରେ ଏକ ନୂତନ ଆତ୍ମବିଶ୍ୱାସ ଭରିଦେଇଛି । ଏହି ଆତ୍ମନିର୍ଭରଶୀଳତା ଦେଶକୁ ବୈଦେଶିକ ନୀତି କ୍ଷେତ୍ରରେ ମଧ୍ୟ ଏକ ସ୍ୱାଧୀନ ସ୍ୱର ପ୍ରଦାନ କରିଛି, ଯେଉଁଠି ଭାରତ କୌଣସି ଚାପର ବଶବର୍ତ୍ତୀ ନହୋଇ ନିଜର ଜାତୀୟ ସ୍ୱାର୍ଥରକ୍ଷା କରିବାକୁ ସମର୍ଥ ହୋଇଛି । ସେହିପରି ଶକ୍ତିକ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ "ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ' ଏକ ବୁଦ୍ଧିମାନ ପଦକ୍ଷେପ । ଭବିଷ୍ୟତର ଇନ୍ଧନ ଭାବେ ହାଇଡ୍ରୋଜେନ୍ ଏବଂ ସୌରଶକ୍ତିର ବ୍ୟାପକ ବ୍ୟବହାର ଏବଂ ବୈଦ୍ୟୁତିକ ଯାନର ପ୍ରସାର ଭାରତର ତୈଳ ଆମଦାନୀ ଖର୍ଚ୍ଚକୁ କମାଇବା ସହ ପରିବେଶ ସୁରକ୍ଷା ଦିଗରେ ଏକ ନୂତନ ଦିଗ ଦେଖାଇବ ।
କୃଷି ଓ ଗ୍ରାମୀଣ ଅର୍ଥନୀତି ହେଉଛି ଭାରତର ପ୍ରକୃତ ପ୍ରାଣକେନ୍ଦ୍ର । ଯେତେ ପର୍ଯ୍ୟନ୍ତ ଭାରତର ଗ୍ରାମାଞ୍ଚଳ ସ୍ୱାବଲମ୍ବୀ ହୋଇନାହିଁ, ସେତେ ପର୍ଯ୍ୟନ୍ତ ସମଗ୍ର ଦେଶର ବିକାଶ ଅସମ୍ପୂର୍ଣ୍ଣ । ସରକାରଙ୍କ "ଭୋକାଲ୍ ଫର୍ ଲୋକାଲ୍' ଆହ୍ୱାନ ସ୍ଥାନୀୟ କାରିଗର, ବୁଣାକାର ଏବଂ କ୍ଷୁଦ୍ର ଚାଷୀମାନଙ୍କୁ ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିଛି । ଓଡ଼ିଶାର ହସ୍ତତନ୍ତ ହେଉ କିମ୍ବା ଅନ୍ୟ ରାଜ୍ୟର ପାରମ୍ପରିକ କଳା, ସବୁଠି ଆଜି ଆଧୁନିକ ବଜାରର ସ୍ପର୍ଶ ଲାଗିଛି । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ଦ୍ୱାରା ଆମର କୃଷକମାନେ ଆଜି ଅନ୍ନଦାତା ସହ ବ୍ୟବସାୟୀ ହେବାର ସ୍ୱପ୍ନ ଦେଖୁଛନ୍ତି । କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ, ଡ୍ରୋନ ବ୍ୟବହାର ଓ ଜୈବିକ ଚାଷ ଭଳି ଆଧୁନିକ ପଦ୍ଧତିର ପ୍ରୟୋଗ କୃଷକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରୁଛି । କୃଷି ଫୁଡ୍ ପ୍ରୋସେସିଂ ୟୁନିଟ୍ ଏବଂ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ମାଧ୍ୟମରେ ଗ୍ରାମୀଣ ଅର୍ଥନୀତି ମଜବୁତ ହେଉଛି । ଯେତେବେଳେ ଗୋଟିଏ ଗାଁର ଉତ୍ପାଦନ ବିଶ୍ୱ ବଜାରକୁ ଯିବ, ସେତେବେଳେ ‘ଲୋକାଲ୍ ଫର୍ ଗ୍ଲୋବାଲ୍' ସ୍ୱପ୍ନ ସତ୍ୟ ହେବ ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସଶକ୍ତିକରଣ ଏହି ଯାତ୍ରାକୁ ଆହୁରି ଅଧିକ ପ୍ରଖର କରିଛି, ଯେଉଁଠି ନାରୀଶକ୍ତି ସ୍ୱାବଲମ୍ବନର ପ୍ରକୃତ ସାରଥି ସାଜିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କୋଟି କୋଟି ମହିଳା ଆଜି ଆର୍ଥିକ ଭାବେ ସ୍ୱାଧୀନ । ସେମାନେ ନିଜର ପରିବାର ଚଳାଇବା ସହ ଗ୍ରାମୀଣ ଶିଳ୍ପର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । "ଲକ୍ଷପତି ଦିଦି’ ପରି ଯୋଜନାଗୁଡ଼ିକ ଏହି ଆଭିମୁଖ୍ୟକୁ ଆହୁରି ତେଜୀୟାନ କରୁଛି । ଏହି ଯାତ୍ରାରେ ଅନେକ ପ୍ରତିବନ୍ଧକ ରହିଛି । ବିଦେଶୀ ସାମଗ୍ରୀ ପ୍ରତି ଆମର ଆକର୍ଷଣ, ଗୁଣବତ୍ତା ନିୟନ୍ତ୍ରଣ ଏବଂ ପୁରାତନ ନିୟମକାନୁନ୍ ଅନେକ ସମୟରେ ବାଧା ସୃଷ୍ଟି କରେ ।
ଶିକ୍ଷା ବ୍ୟବସ୍ଥାକୁ କେବଳ ପୋଥିଗତ ବିଦ୍ୟାରେ ସୀମିତ ନରଖି ଦକ୍ଷତାଭିତ୍ତିକ କରିବାକୁ ପଡ଼ିବ । କୌଣସି ଦେଶ ସେତିକିବେଳେ ମହାନ ହୁଏ, ଯେତେବେଳେ ତା'ର ନାଗରିକମାନେ ଦେଶରେ ନିର୍ମିତ ସାମଗ୍ରୀ ବ୍ୟବହାର କରିବାକୁ ଗୌରବ ମନେକରନ୍ତି । ଏହି ମାନସିକ ପରିବର୍ତ୍ତନ ହିଁ ସ୍ୱାବଲମ୍ବୀ ଭାରତର ଶେଷ ସଫଳତା ।
ଗୁଣାତ୍ମକ ମାନ ବଜାୟ ରଖିବା, ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା କରିବା ପାଇଁ ଆମକୁ ନିରନ୍ତର ସଂସ୍କାର ଜାରି ରଖିବାକୁ ହେବ । କିନ୍ତୁ ଆଜିର ଯୁବପିଢ଼ି ରିସ୍କ ନେବାକୁ ପ୍ରସ୍ତୁତ । ସରକାରୀ ସ୍ତରରେ ‘Ease of Doing Business’’ ବା ବ୍ୟାପାର ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଅନେକ ସଂସ୍କାର ଅଣାଯାଇଛି । ଶିକ୍ଷାନୀତିରେ ପରିବର୍ତ୍ତନ କରାଯାଇ ଦକ୍ଷତା ବିକାଶ (Skill Development)କୁ ଗୁରୁତ୍ୱ ଦିଆଯାଉଛି, ଯାହାଫଳରେ ଯୁବକମାନେ କେବଳ ଚାକିରି ଖୋଜିବେ ନାହିଁ, ବରଂ ଚାକିରି ସୃଷ୍ଟି କରିବେ ।
ସ୍ୱାବଲମ୍ବୀ ଭାରତ ଅର୍ଥନୈତିକ ସମୃଦ୍ଧି ସହ ମାନବିକତାର କଲ୍ୟାଣ ପାଇଁ ମଧ୍ୟ ଉଦ୍ଦିଷ୍ଟ । କୋଭିଡ ସମୟରେ ଭାରତ ଯେଉଁଭଳି ଭାବେ ନିଜର ଟିକା ଓ ଔଷଧ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ପହଞ୍ଚାଇଲା, ତାହା ପ୍ରମାଣ କଲା ଯେ ଭାରତର ସ୍ୱାବଲମ୍ବନ ବିଶ୍ୱ ପାଇଁ ଏକ ଆଶୀର୍ବାଦ । ଏହା ହେଉଛି "ବସୁଧୈବ କୁଟୁମ୍ବକମ୍'ର ସେହି ଶାଶ୍ୱତ ଦର୍ଶନ, ଯେଉଁଠି ଆମେ ସ୍ୱୟଂ ସମର୍ଥ ହୋଇ ଅନ୍ୟମାନଙ୍କୁ ସହାୟତା କରିବା ପାଇଁ ଶକ୍ତି ଅର୍ଜନ କରିଥାଉ । ଶତାବ୍ଦୀ ଶତାବ୍ଦୀର ସୁପ୍ତ ଅଭିଳାଷ ଆଜି ଏକ ସଂକଳ୍ପରେ ପରିଣତ ହୋଇଛି, ଯାହା ଆଗାମୀ ଦିନରେ ଭାରତକୁ "ବିଶ୍ୱଗୁରୁ' ଓ "ବିକଶିତ ଭାରତ'ର ଶ୍ରେଷ୍ଠ ଆସନରେ ଅଧିଷ୍ଠିତ କରିବ । ଏହି ଯାତ୍ରା ଅଟକିବାର ନୁହେଁ, ଏହା ନିରନ୍ତର ସାମର୍ଥ୍ୟରୁ ସମ୍ଭାବନା ଆଡ଼କୁ ଏକ ମହାପ୍ରୟାଣ । ଆଜିର ଭାରତ ଏହି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛି ଯେ, ଆଗାମୀ ଯୁଗ ଭାରତର ହେବ ଏବଂ ଏହାର ପ୍ରତ୍ୟେକଟି ପଦକ୍ଷେପ ସ୍ୱାବଲମ୍ବନରୁ ସାମର୍ଥ୍ୟ ଆଡ଼କୁ ଏକ ବିରାଟ ଯାତ୍ରା ହେବ । ଏହା ହିଁ ହେଉଛି ନୂତନ ଭାରତର ପ୍ରକୃତ ପରିଭାଷା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।