ସ୍କୁଲ ପ୍ରକଳ୍ପ: ଶିକ୍ଷା ନା ପ୍ରହସନ?
ବିଗତ କିଛିଦିନ ହେବ, ସରକାରୀ ସ୍କୁଲ ବହିରେ ହୋଇଥିବା ଭୁଲ୍ ଭଟକାକୁ ନେଇ ସମସ୍ତେ ଉତ୍ତେଜିତ । ଉତ୍ତେଜିତ ହେବା ସ୍ୱାଭାବିକ ମଧ୍ୟ, ଯେତେବେଳେ ଏହା ପିଲାଙ୍କ ଭବିଷ୍ୟତ ସହିତ ଜଡ଼ିତ । ଆଜି ସିନା ପିଲା ଭଲରେ ପଢ଼ିଲେ କାଲି ଦେଶ ଗଢ଼ିବେ! ହେଲେ ଯଦି ଠିକ୍ଭାବରେ ତର୍ଜମା କରିବା, ତେବେ ଶିକ୍ଷା କ୍ଷେତ୍ରରେ କେତେ ଯେ ଭୁଲ୍ ଭଟକା ହେଉଛି, ତାହାର ହିସାବ ନାହିଁ । କେତେଗୁଡ଼ାଏ ତ୍ରୁଟି ଆମେ ଦେଖୁ, କିନ୍ତୁ କିଛି କହୁନାହିଁ । କେତେଗୁଡ଼ାଏ ଦେଖି ଚୁପ୍ ରହିବା ଉଚିତ ମଣୁ । କିନ୍ତୁ କେତେଗୁଡ଼ାଏ ତ୍ରୁଟି ଅଛି ଯାହାକୁ ଦେଖି ଚୁପ୍ ରହିବା ଅପରାଧ । ସେଇ ତ୍ରୁଟି ସରକାରୀ ସ୍କୁଲରେ ହେଉ ବା ବେସରକାରୀ ସ୍କୁଲରେ ହେଉ, ଶିକ୍ଷା ଏକ ମୌଳିକ ଅଧିକାର । ସେଇ ଅଧିକାର ପ୍ରତି ସମସ୍ତ ନାଗରିକ ସଚେତନ ହେବା ଆବଶ୍ୟକ । ତାହା ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା ।
ଶିକ୍ଷା କେବଳ ସରକାର, ଶିକ୍ଷାମନ୍ତ୍ରୀ, ଶିକ୍ଷକ, ସ୍କୁଲର ଅଧୀନ ନୁହେଁ । ଶିକ୍ଷା କ୍ଷେତ୍ରରେ ହେଉଥିବା ଶୈକ୍ଷିକ ପ୍ରହସନ ବା ତ୍ରୁଟିକୁ ଠିକ୍ ତର୍ଜମା କରିବା ସମସ୍ତଙ୍କ ଦାୟିତ୍ୱ । ନ୍ୟୁଟନଙ୍କର ପାଇଲଟ ହେବାଟା ଆମକୁ ଦେଖାଗଲା, ହେଲେ କେବେ ସ୍କୁଲରେ ଦିଆଯାଉଥିବା ଅବାନ୍ତର ପ୍ରକଳ୍ପ ଉପରେ ନଜର ପକାଇଛନ୍ତି କି? ଆଜିକାଲି ସ୍କୁଲ, ବିଶେଷକରି ବେସରକାରୀ ସ୍କୁଲ, ନିଜର ଶୈକ୍ଷିକ ଅତ୍ୟାଧୁନିକତାକୁ ପ୍ରଦର୍ଶନ କରିବାରେ ଏତେ ମାତିଛନ୍ତି ଯେ, ପିଲାଙ୍କୁ ଶିକ୍ଷିତ କରାଇବା ବା ଶିକ୍ଷାଦାନ କରିବାକୁ କୋଣଠେସା କରିଦେଇଛନ୍ତି । ଯାହାର ଉଦାହରଣ ଆମକୁ ପ୍ରାୟ ସବୁ ଘରେ ମିଳିଯିବ । ଅନେକ ପରିବାରରେ ବିଦ୍ୟାଳୟର ପ୍ରକଳ୍ପ ଓ ଦିଆଯାଉଥିବା ହୋମୱାର୍କ ପାଇଁ ପିତାମାତାଙ୍କ ଚିନ୍ତା, ନିଦ୍ରାହୀନ ରାତି, ବାରମ୍ବାର ବଜାର ଦୌଡ଼ ଏବଂ ଶେଷରେ ସେହି କାମକୁ ଅନ୍ୟମାନଙ୍କ ଦ୍ୱାରା କରାଇବାର ପ୍ରବୃତ୍ତି ଦିନକୁ ଦିନ ବଢ଼ିଚାଲିଛି । ଏହି ଘଟଣା ଏବେ ଏତେ ସାଧାରଣ ହୋଇଚାଲିଛି ଯେ, ଏହା ଆଉ କାହାରିକୁ ଅସ୍ୱାଭାବିକ ଲାଗୁନାହିଁ । ଯେଉଁ କାମଟି ଗୋଟେ ପିଲାର ନିଜସ୍ୱ ଶିକ୍ଷଣ ପ୍ରକ୍ରିୟାର ଅଂଶ ହେବା କଥା, ତାହା ଅନେକ ସମୟରେ ପିତାମାତା, ବଡ଼ ଭାଇଭଉଣୀ, ଟ୍ୟୁସନ ମାଷ୍ଟର ଏବଂ ବେଳେବେଳେ ବାହାରର ବିଶେଷଜ୍ଞମାନଙ୍କ ସହଯାଗରେ ପୂରା ପାରିବାରିକ ପ୍ରକଳ୍ପରେ ପରିଣତ ହୋଇଚାଲିଛି ।
ଏହାର ଏକ ରୋଚକ ଉଦାହରଣ ହେଉଛି- ଜଣେ ଇଞ୍ଜିନିୟରିଂ ଛାତ୍ର ତା'ର କିଛି ଡାକ୍ତରୀ ପଢ଼ୁଥିବା ସାଙ୍ଗଙ୍କୁ ତା' ସାନଭଉଣୀ ପାଇଁ ମାନବ ପାଚନ ପ୍ରଣାଳୀର ଏକ କାର୍ଯ୍ୟକ୍ଷମ ମଡେଲ ତିଆରି କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲା । ଏହା ଶୁଣି ଡାକ୍ତରୀ ଛାତ୍ରମାନେ ଭାବିଥିଲେ, ବୋଧହୁଏ ଏହା କୌଣସି ମେଡିକାଲ ପାଠ୍ୟକ୍ରମର ପ୍ରକଳ୍ପ । ସେମାନେ ଉତ୍ସୁକତାର ସହ ପଚାରିଥିଲେ, କେଉଁ ବର୍ଷରେ ଏପରି ପ୍ରକଳ୍ପ ଦିଆଯାଏ, ଯାହାଫଳରେ ସେମାନେ ମଧ୍ୟ ପୂର୍ବରୁ ପ୍ରସ୍ତୁତ ହୋଇପାରିବେ । କିନ୍ତୁ ଉତ୍ତର ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେଇ ପ୍ରକଳ୍ପଟି କୌଣସି ଡାକ୍ତରୀ ଛାତ୍ର ପାଇଁ ନୁହେଁ, ବରଂ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ତା' ସାନଭଉଣୀର ସ୍କୁଲରେ ଦିଆଯାଇଥିବା ଗ୍ରୀଷ୍ମ ଅବକାଶ ପ୍ରକଳ୍ପ ଥିଲା । ଏହି ଘଟଣାଟି ଶୁଣିବାକୁ ହାସ୍ୟାସ୍ପଦ ଲାଗିପାରେ, କିନ୍ତୁ ଏହା ଆଜିର ଶିକ୍ଷାବ୍ୟବସ୍ଥାର ଏକ ଗମ୍ଭୀର ବାସ୍ତବତାକୁ ସାମ୍ନାକୁ ଆଣୁଛି । ଏହା ଆମ ସାମ୍ନାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରଖେ-
ଯଦି ଗୋଟିଏ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ ଛାତ୍ରମାନଙ୍କ ସାହାଯ୍ୟ ଦରକାର ପଡ଼ୁଛି, ତେବେ ସେହି ପ୍ରକଳ୍ପ ନଅ ବର୍ଷର ପିଲାକୁ କ'ଣ ଶିଖାଉଛି? ଏହି ପ୍ରକ୍ରିୟାରେ ପ୍ରକୃତରେ ଶିଖୁଛି କିଏ- ପିଲା, ପିତାମାତା, ନା କାମଟି କରୁଥିବା ବିଶେଷଜ୍ଞ? ତାହାଛଡ଼ା ଆଉ ଏକ ବଡ଼ ପ୍ରଶ୍ନ ହେଉଛି- ଏଭଳି ପ୍ରକଳ୍ପ ସ୍କୁଲ ପିଲାଙ୍କୁ କାହିଁକି ଦିଆହେଉଛି? ଏହି ପ୍ରଶ୍ନ ଆମ ବର୍ତ୍ତମାନର ଶିକ୍ଷାବ୍ୟବସ୍ଥାର ଏକ ବଡ଼ ସମସ୍ୟାକୁ ଇଙ୍ଗିତ କରେ । ଅନେକ ବିଦ୍ୟାଳୟରେ, ବିଶେଷକରି ବଡ଼ ବଡ଼ ବେସରକାରୀ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ, ଶିଖିବାଠାରୁ ଅଧିକ ଗୁରୁତ୍ୱ ହେଉଛି ଦେଖାଇବା । ଏଭଳି ବୟସ ଅନୁପଯୋଗୀ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଧାରଣାଗତ ବୁଝାମଣା ଅପେକ୍ଷା ସୁନ୍ଦର ଉପସ୍ଥାପନାକୁ ଅଧିକ ମହତ୍ତ୍ୱ ଦିଏ, ଏବଂ ପ୍ରକୃତ ଜ୍ଞାନ ଅପେକ୍ଷା ଚକଚକିଆ ପ୍ରଦର୍ଶନକୁ ସଫଳତାର ମାପକାଠି କରାଏ । ଯେଉଁ ପ୍ରକଳ୍ପଗୁଡ଼ିକ ପିଲାମାନଙ୍କ ଉତ୍ସୁକତା ବଢ଼ାଇବା କଥା, ନିଜେ କରି ଶିଖିବା ଏବଂ ନୂଆ କଥା ଅନ୍ୱେଷଣ କରିବା ପାଇଁ ଉଦ୍ଦିଷ୍ଟ, ସେଗୁଡ଼ିକ ଧୀରେ ଧୀରେ କେବଳ ପ୍ରଦର୍ଶନର ମାଧ୍ୟମ ପାଲଟି ଚାଲିଛି । ଏବେ ଏହି ପ୍ରକଳ୍ପଗୁଡ଼ିକ ପିଲାମାନଙ୍କ ଜ୍ଞାନ ବଢ଼ାଇବାଠାରୁ ଅଧିକ, ବିଦ୍ୟାଳୟର ତଥାକଥିତ ଶୈକ୍ଷିକ ଉତ୍କର୍ଷ ପରିବେଷଣର ଏକ ଦେଖାଣିଆ ସାମଗ୍ରୀ, ଯାହା ରହି ରହି କେବଳ ପ୍ରକୃତ ଶିକ୍ଷାକୁ ଆଖିମିଟିକା ମାରୁଛି । ଆଜି, ବିଦ୍ୟାଳୟଗୁଡ଼ିକ ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଶିକ୍ଷା ପରିବେଶରେ କାର୍ଯ୍ୟ କରୁଛନ୍ତି । ବିଦ୍ୟାଳୟମାନେ ନିଜକୁ ଅଧିକ ଆଧୁନିକ ଏବଂ ଶିକ୍ଷାଗତ ଭାବେ ଉନ୍ନତ ବୋଲି ଦେଖାଇବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ପିଲାଙ୍କୁ ଦିଆଯାଉଥିବା ବଡ଼ ବଡ଼ ପ୍ରକଳ୍ପଗୁଡ଼ିକ ଏହାର ଏକ ପ୍ରମୁଖ ଉଦାହରଣ । ଏହି ପ୍ରକଳ୍ପଗୁଡ଼ିକ ଦେଖିବାକୁ ନବସୃଜନଶୀଳ ଏବଂ ଉଚ୍ଚମାନ ଶିକ୍ଷାର ପ୍ରତୀକ ପରି ଲାଗେ ।
ସ୍କୁଲ ପ୍ରଦର୍ଶନୀରେ ସଜାଯାଇଥିବା ରଙ୍ଗୀନ ମଡେଲ୍, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଫଟୋ ଏବଂ ପିତାମାତା-ଶିକ୍ଷକ ବୈଠକରେ ପ୍ରକଳ୍ପ ପ୍ରଦର୍ଶନ- ଏସବୁ ମିଶି ଏକ ବାର୍ତ୍ତା ପ୍ରଦାନ କରେ ଯେ, ବିଦ୍ୟାଳୟଟି ଆଧୁନିକ ଶିକ୍ଷାକୁ ଗୁରୁତ୍ୱ ଦେଉଛି । କିନ୍ତୁ ବାସ୍ତବତା ସବୁବେଳେ ସେପରି ନଥାଏ । କୌଣସି ପ୍ରକଳ୍ପର ମୂଲ୍ୟ କେବଳ ତାହାର ବାହ୍ୟ ସୌନ୍ଦର୍ଯ୍ୟ କିମ୍ବା ଆକର୍ଷଣୀୟ ରୂପ ଦେଖି ବିଚାର କରାଯାଇ ପାରେନାହିଁ । ଉଦାହରଣ ସ୍ୱରୂପ, ଥର୍ମୋକୋଲରେ ତିଆରି ମାନବ ପାଚନତନ୍ତ୍ରର ଏକ ମଡେଲ୍ ଦେଖିବାକୁ ବହୁତ ସୁନ୍ଦର ଲାଗିପାରେ । କିନ୍ତୁ ଯଦି ସେହି ମଡେଲ୍ ତିଆରି କରିଥିବା ପିଲାଟି ପାଚନ ପ୍ରକ୍ରିୟା କିପରି କାମ କରେ, ତାହା ସରଳ ଭାଷାରେ ବୁଝାଇପାରେ ନାହିଁ, ତେବେ ସେହି ପ୍ରକଳ୍ପ ତାହାର ପ୍ରକୃତ ଉଦ୍ଦେଶ୍ୟରେ ବିଫଳ ହୋଇଥାଏ । ତାହାଛଡ଼ା, ଆଜି ଯେତେବେଳେ ସବୁ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଅଧିକ ଜୋର ଚାଲିଛି, ସେତେବେଳେ ସ୍କୁଲମାନଙ୍କରୁ ତାହା ବାଦ୍ ପଡ଼ିବ ବା କିପରି!
ଅଧିକାଂଶ ସ୍କୁଲ ନିଜ ପାଠ୍ୟଖସଡ଼ାରେ କୃତ୍ରିମ ବୁଦ୍ଧିମତାକୁ ଅନ୍ତର୍ଭୁକ୍ତ କରିସାରିଲେଣି । ହେଲେ କୃତ୍ରିମ ବୁଦ୍ଧିମତା କ’ଣ ଓ କିପରି ପଢ଼ାହେଉଛି ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ । ଯେଉଁ ବିଷୟ ଆଗରୁ କମ୍ପ୍ୟୁଟର ଥିଲା, ସେଇଆକୁ କେବଳ ଏଆଇ ନାମକରଣ ହୋଇଛି ଓ କୃତ୍ରିମ ବୁଦ୍ଧିମତା ନାଁରେ ପିଲାଙ୍କୁ କମ୍ପ୍ୟୁଟର ଘୋଷିବାକୁ କୁହାହେଉଛି । କୃତ୍ରିମ ବୁଦ୍ଧିମତା ହେଉ ବା କମ୍ପ୍ୟୁଟର ହେଉ, ତାହା ଏକ ବ୍ୟାବହାରିକ ବିଷୟ । ପିଲା କରି କରି ଶିଖିବେ । ହେଲେ ପିଲାଙ୍କୁ ଶିଖାଇବାର ଉଦ୍ଦେଶ୍ୟ ବା କାହାର! ଆଜିକାଲି ସମସ୍ତଙ୍କର ବିଶ୍ୱାସ ଯେ "ଜୋ ଦିଖତା ହୈ, ୱହି ବିକତା ହୈ’ । ଫଳରେ ପ୍ରକଳ୍ପଗୁଡ଼ିକ ହେଉ ବା ବିଷୟଗୁଡ଼ିକ ହେଉ ନା କାହିଁକି, ଦିନକୁ ଦିନ ଅଧିକ ଆକର୍ଷଣୀୟ ଓ ଜଟିଳ ହେଉଥିବାବେଳେ, ପିଲାମାନଙ୍କର ପ୍ରକୃତ ଶିକ୍ଷଣ ଏବଂ ଧାରଣାଗତ ବୁଝାମଣା କେତେ ବଢ଼ୁଛି, ତାହା ଏକ ବଡ଼ ପ୍ରଶ୍ନ । ଜାତୀୟ ଶିକ୍ଷା ନୀତି–୨୦୨୦ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାଠକୁ କେବଳ ଘୋଷି ମନେରଖିବା ପରିବର୍ତ୍ତେ ଅନୁଭୂତିଭିତ୍ତିକ, ଦକ୍ଷତାଭିତ୍ତିକ ଏବଂ ସାମଗ୍ରିକ ଶିକ୍ଷା ପ୍ରଦାନ କରିବା । ଏଥିରେ ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ, ଧାରଣାଗତ ସ୍ପଷ୍ଟତା, ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ବାସ୍ତବ ଜୀବନ ସହ ଶିକ୍ଷାର ସମ୍ପର୍କ ସ୍ଥାପନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହି ଦୃଷ୍ଟିକୋଣ ଅର୍ଥପୂର୍ଣ୍ଣ ପ୍ରକଳ୍ପ-ଆଧାରିତ ଶିକ୍ଷଣ ସହ ସମ୍ପୂର୍ଣ୍ଣ ସଙ୍ଗତିପୂର୍ଣ୍ଣ । କିନ୍ତୁ ବାସ୍ତବରେ ନୀତି ଓ ତାହାର କାର୍ଯ୍ୟକାରିତା ମଧ୍ୟରେ ଏକ ବଡ଼ ବ୍ୟବଧାନ ରହିଯାଉଛି ।
ଅନେକ ବିଦ୍ୟାଳୟ ଜାତୀୟ ଶିକ୍ଷା ନୀତି–୨୦୨୦ର ନାମ ନେଉଥିଲେ ମଧ୍ୟ ପିଲାମାନଙ୍କୁ ଏପର୍ଯ୍ୟନ୍ତ ଏପରି ପ୍ରକଳ୍ପ ଦେଉଛନ୍ତି ଯାହା ପ୍ରକୃତ ଶିକ୍ଷଣଠାରୁ ଅଧିକ, ବାହ୍ୟ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଉଛି । ଯଦି ବିଦ୍ୟାଳୟମାନେ ସତରେ ଜାତୀୟ ଶିକ୍ଷା ନୀତି–୨୦୨୦ର ଭାବନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ପ୍ରକଳ୍ପ କାର୍ଯ୍ୟର ସ୍ୱରୂପ ଓ ଉଦ୍ଦେଶ୍ୟ ଉପରେ ପୁନର୍ବିଚାର କରିବା ଆବଶ୍ୟକ । ଏହି ନୀତି ପିଲାମାନଙ୍କୁ କେବଳ ଚମତ୍କାର ମଡେଲ୍ ତିଆରି କରି ପ୍ରଦର୍ଶନ କରିବାକୁ କହୁନାହିଁ, ବରଂ ଏହା ଶିକ୍ଷକମାନଙ୍କୁ ଏପରି ଶିକ୍ଷଣ ପରିବେଶ ସୃଷ୍ଟି କରିବାକୁ କହୁଛି, ଯେଉଁଠାରେ ପିଲାମାନେ ନିଜେ ଅନୁସନ୍ଧାନ କରିବେ, ପର୍ଯ୍ୟବେକ୍ଷଣ କରିବେ, ପ୍ରଶ୍ନ ପଚାରିବେ, ଚିନ୍ତା କରିବେ ଏବଂ ନିଜ ଅନୁଭୂତିରୁ ଶିଖିବେ । ଏହାହିଁ ପ୍ରକୃତ ଅର୍ଥରେ ପ୍ରକଳ୍ପ-ଆଧାରିତ ଶିକ୍ଷଣର ଉଦ୍ଦେଶ୍ୟ । ହେଲେ କିଛି ସ୍କୁଲ ପାଠପଢ଼ା ବା ପ୍ରକଳ୍ପ କରିବାକୁ ଏତେ ରଞ୍ଜିତ କରିଦେଉଛନ୍ତି ଯେ, ତାହା ଶିକ୍ଷାଗତ ଅସମାନତାକୁ ପ୍ରଶ୍ରୟ ଦେଉଛି । ଯେମିତିକି, ସ୍କୁଲରେ ଦିଆଯାଉଥିବା ପ୍ରକଳ୍ପ ସମସ୍ତଙ୍କ ପାଇଁ ସମାନ ଥାଏ ଏବଂ ସମାନ ପ୍ରକାରର ପ୍ରକଳ୍ପ ପ୍ରସ୍ତୁତ କରିବାକୁ କୁହାଯାଏ । କିନ୍ତୁ ସମାନ ନିର୍ଦ୍ଦେଶ ମିଳିଲେ ମଧ୍ୟ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନଥାଏ । ଏକ ସମ୍ପନ୍ନ ପରିବାରର ପିଲା ନିଜର ଶିକ୍ଷିତ ପିତାମାତାଙ୍କ ସହଯୋଗ, ଇଣ୍ଟରନେଟ୍, କମ୍ପ୍ୟୁଟର, ପ୍ରିଣ୍ଟର, ବିଭିନ୍ନ ପ୍ରକଳ୍ପ ସାମଗ୍ରୀ ଏବଂ ବିଶେଷଜ୍ଞଙ୍କ ସାହାଯ୍ୟରେ ଉତ୍ତମ ଅତ୍ୟାଧୁନିକ ପ୍ରକଳ୍ପ ତିଆରି କରିବାରେ ସକ୍ଷମ ହୁଅନ୍ତି । କିନ୍ତୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ପିଲାମାନଙ୍କ ପାଇଁ ଏସବୁ ସୁବିଧା ସବୁବେଳେ ଉପଲବ୍ଧ ନଥାଏ । ଫଳରେ ପ୍ରକଳ୍ପଟି ଆଉ ଛାତ୍ରଛାତ୍ରୀଙ୍କ ଜ୍ଞାନ କିମ୍ବା ଧାରଣାଗତ ବୁଝାମଣାର ମୂଲ୍ୟାଙ୍କନ ପରିବର୍ତ୍ତେ ପରିବାରର ଆର୍ଥିକ ସାମର୍ଥ୍ୟ, ଶିକ୍ଷାଗତ ପୃଷ୍ଠଭୂମି ଏବଂ ଉପଲବ୍ଧ ସମ୍ବଳକୁ ପ୍ରତିଫଳିତ କରେ । ଅଧିକ ସୁବିଧା ପାଉଥିବା ପିଲାମାନେ ସ୍ୱାଭାବିକ ଭାବେ ଭଲ ପ୍ରକଳ୍ପ ପ୍ରସ୍ତୁତ କରି ପ୍ରଶଂସା ପାଆନ୍ତି, ଯେତେବେଳେ କମ୍ ସୁବିଧାପ୍ରାପ୍ତ ପିଲାମାନେ ନିଜର ଦକ୍ଷତା ଥିଲେ ମଧ୍ୟ ପଛରେ ପଡ଼ିଯାଆନ୍ତି ।
ଭାରତ ଭଳି ଦେଶରେ, ଯେଉଁଠାରେ ସମସ୍ତଙ୍କୁ ସମାନ ଶିକ୍ଷା ସୁଯୋଗ ଦେବା ଏପର୍ଯ୍ୟନ୍ତ ଏକ ବଡ଼ ଆହ୍ୱାନ, ସେଠାରେ ଏହି ବାସ୍ତବତା ଅଧିକ ଚିନ୍ତାଜନକ । ତେଣୁ ପ୍ରକଳ୍ପ-ଆଧାରିତ ଶିକ୍ଷଣର ଉଦ୍ଦେଶ୍ୟ ଓ ମୂଲ୍ୟାଙ୍କନ ପଦ୍ଧତିକୁ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି । କେବଳ ଲୋକଦେଖାଣିଆ ଶିକ୍ଷା ପିଲାମାନଙ୍କ ମନରେ ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ଏକ ଭୁଲ୍ ଧାରଣା ସୃଷ୍ଟିକରେ । ଯେତେବେଳେ ଶିକ୍ଷା ଚକଚକିଆ ପ୍ରଦର୍ଶନରେ ସୀମିତ ହୋଇଯାଏ, ପିଲାମାନେ ଭାବିବାକୁ ଲାଗନ୍ତି ଯେ, ବୁଝିବା ଠାରୁ ଦେଖେଇ ହେବା ଅଧିକ ଜରୁରି । ଯେତେବେଳେ ବୟସ୍କମାନେ ସ୍କୁଲରେ ଦିଆଯାଇଥିବା ପ୍ରକଳ୍ପ ପିଲାମାନଙ୍କ ପାଇଁ କରିଦିଅନ୍ତି, ସେତେବେଳେ ପିଲାମାନେ ଭାବନ୍ତି ଯେ, ନିଜେ ପରିଶ୍ରମ ନକରି ଅନ୍ୟର ସହଯୋଗରେ ସଫଳତା ମିଳିଯାଇପାରେ । ଏହା ଶିକ୍ଷା ପାଇଁ ଏକ ଗଭୀର କ୍ଷତି । ଶିକ୍ଷା ଏପରି ଏକ ପରିବେଶ ସୃଷ୍ଟି କରିବା ଉଚିତ, ଯେଉଁଠାରେ ପିଲାମାନେ ପ୍ରଶ୍ନ କରିବେ, ନୂଆ କଥା ଅନ୍ୱେଷଣ କରିବେ, ଭୁଲ୍ରୁ ଶିଖିବେ ଏବଂ ନିଜର ଚେଷ୍ଟା ଓ ଅନୁଭବ ମାଧ୍ୟମରେ ଧୀରେ ଧୀରେ ପ୍ରକୃତ ବୁଝାମଣା ଗଢ଼ିତୋଳିବେ । ସେହି ଶିକ୍ଷା ହିଁ ଦୀର୍ଘସ୍ଥାୟୀ, ଅର୍ଥପୂର୍ଣ୍ଣ ଏବଂ ଜୀବନୋପଯୋଗୀ ହୋଇପାରିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।