ସୌରଚାଳିତ ପ୍ରକଳ୍ପ ଅଚଳ, ଚୁଆପାଣି ଭରସାରେ ଲେଞ୍ଜିଗୁଡ଼ା ଗ୍ରାମବାସୀ

Jun 02, 2026 - 12:58

ନନ୍ଦପୁର/ପାଡୁଆ,୨।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଖରା ଦିନର ଗ୍ରୀଷ୍ମ ପ୍ରକୋପ ଚର୍ଚ୍ଚା ସବୁଆଡେ ଥିବା ବେଳେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ଚାଟୁଆ ପଞ୍ଚାୟତ ଲେଞ୍ଜିଗୁଡ଼ା ଗ୍ରାମରେ ପାନୀୟ ଜଳ କଷ୍ଟ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି । ମାସାଧିକ କାଳ ହେଲା ଗାଁରେ ଥିବା ସୌରଚାଳିତ ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି ।

ଗ୍ରାମବାସୀ ଗାଁ ଠାରୁ ୫ଶହ ମିଟର ଦୂର ବିଲ ହୁଡା ଓ ନଦୀର ପାଣି ସଂଗ୍ରହ କରି ଆଣି ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି । ଗାଁରେ ୨୦ ପରିବାର ୧୫୦ ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି । ସୌରଚାଳିତ ପ୍ରକଳ୍ପ ମରାମତି କରିବାକୁ ବହୁବାର ଚାଟୁଆ ପଞ୍ଚାୟତ ସରପଞ୍ଚ ଓ ପିଇଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମର ହରି ପାଙ୍ଗି, ନାରୁସୁ ଗେମେଲ, କସାର ପାଙ୍ଗି, ମୁଲେଇ ଗେମେଲେ ପ୍ରମୁଖ ଅଭିଯୋଗ କରିଛନ୍ତି ।

ତେଣୁ ବ୍ଲକ ଓ ଜିଲା ପ୍ରଶାସନ ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ତୁରନ୍ତ ସୌରଚାଳିତ ପ୍ରକଳ୍ପର ମରାମତି କରାଯାଉ ବୋଲି ଅନୁରୋଧ କରିଛନ୍ତି । ନନ୍ଦପୁର ବ୍ଲକ ବିଡିଓ ଦୁର୍ଗା ପ୍ରସାଦ ଦୋରା ଓ ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ କାହ୍ନୁ ଚରଣ ସେଠୀଙ୍କୁ ଗ୍ରାମବାସୀଙ୍କ ଜଳକଷ୍ଟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି ଦିନେ ଦୁଇଦିନ ମଧ୍ୟରେ ଗାଁକୁ ମରାମତି ଦଳ ପଠାଇ ପ୍ରକଳ୍ପର ମରାମତି କରାଯାଇ ଜଳ ଯୋଗାଣ ସ୍ୱାଭାବିକ କରାଯିବ ବୋଲି ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

The post ସୌରଚାଳିତ ପ୍ରକଳ୍ପ ଅଚଳ, ଚୁଆପାଣି ଭରସାରେ ଲେଞ୍ଜିଗୁଡ଼ା ଗ୍ରାମବାସୀ appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।