ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ
ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ୪୮ ଘଣ୍ଟା ନ ପୂରୁଣୁ ରବିବାର ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ନିଜ ଗ୍ରାମରେ ଲୁଚିକି ଥିବା ବେଳେ ଯାନ୍ତ୍ରିକ ପଦ୍ଧତି ସହାୟତା ନେଇ ଗିରଫ କରାଯାଇଛି। ଏଥିସହ ଗୋଟିଏ ମୋବାଇଲ ଅଭିଯୁକ୍ତଙ୍କଠାରୁ ଜବତ ହୋଇଛି। ଗିରଫ ଅଭିଯୁକ୍ତ କଳିଙ୍ଗା ପଞ୍ଚାୟତ ଇଚ୍ଛାପୁର ଗ୍ରାମର ସୁବାସ ଦାସଙ୍କ ପୁଅ ସୁଶାନ୍ତ (୨୮)।
ସୂଚନାନୁସାରେ, ସୁଶାନ୍ତ ନିଜ ଫେସ୍ବୁକ୍ ଆଇଡି ‘ଦାସ କୁମାର ଦାସ ସୁଶାନ୍ତ’ରେ ମୁଖ୍ୟମନ୍ତ୍ରୀ ମାଝୀଙ୍କ ପ୍ରତି ସାଙ୍ଘାତିକ ଅଶାଳୀନ ମନ୍ତବ୍ୟ ଲେଖି ଭିଡିଓ ପୋଷ୍ଟ କରିଥିଲେ। ଏପରିକି ଉକ୍ତ ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା। ଅପର ପକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ଚକ୍ରାନ୍ତ କରି ବଦନାମ ଉଦ୍ୟମ କରାଯାଉଥିବା ନେଇ ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା କର୍ମୀ ଏବଂ ନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ କଳିଙ୍ଗା ଗ୍ରାମର କହ୍ନେଇ ଚରଣ ଦାସ ନନ୍ଦୀପଦା ଥାନାରେ ଗତ ଜୁଲାଇ ୩୧ ଶୁକ୍ରବାର ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୋଲିସ କେସ୍ ନଂ ୩୧୪/୨୦୨୬ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା। ଏଥିସହ ଅଭିଯୋଗକାରୀ କହ୍ନେଇ ଫେସ୍ବୁକ୍ରେ ପୋଷ୍ଟ ହୋଇଥିବା ଭିଡିଓର ରେକର୍ଡ ଥାନାଧିକାରୀଙ୍କୁ ପ୍ରଦାନ କରିଥିଲେ। ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ, ଅଭିଯୁକ୍ତ ସୁଶାନ୍ତଙ୍କୁ ରବିବାର ସକାଳୁ ଗିରଫ କରାଯାଇଛି। ଘଟଣା ବାବଦରେ ଆହୁରି ଅନେକ ଦିଗ ପ୍ରତି ତର୍ଜମା କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।