ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

Jul 24, 2026 - 11:15
ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

ଆଗାମୀ ସେପ୍ଟେମ୍ବର ମାସରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସବୁଠାରୁ ଖାସ୍ କଥା ହେଉଛି, ଏହି ସିରିଜ୍ ଭାରତରେ ଖେଳାଯାଉଥିଲେ ମଧ୍ୟ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ACB) ଏହାର ଆୟୋଜନ କରିବ। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଐତିହାସିକ ଷ୍ଟାଡିୟମରେ ଏହି ସମସ୍ତ ମ୍ୟାଚ୍ ଅନୁଷ୍ଠିତ ହେବ।

ଦିଲ୍ଲୀରେ ଖେଳାଯିବ ସମସ୍ତ ମ୍ୟାଚ୍

ସୂଚନା ଅନୁସାରେ, ଏହି ଟି-୨୦ ସିରିଜ୍‌ର ତିନୋଟି ଯାକ ମ୍ୟାଚ୍ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯିବ। ମ୍ୟାଚ୍ ଗୁଡ଼ିକ ଆସନ୍ତା ସେପ୍ଟେମ୍ବର ମାସର ୧୩, ୧୫ ଏବଂ ୧୭ ତାରିଖରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବା ପରେ ଭାରତୀୟ ଦଳକୁ ପ୍ରାୟ ଦୁଇ ସପ୍ତାହର ବିଶ୍ରାମ ମିଳିବ ଏବଂ ତା'ପରେ ଦଳ ଆଫଗାନିସ୍ତାନ ବିପକ୍ଷରେ ଏହି ଟି-୨୦ ସିରିଜ୍ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ।

ଏସୀୟ କ୍ରୀଡ଼ା ପୂର୍ବରୁ ପ୍ରସ୍ତୁତି ସୁଯୋଗ

ସାମ୍ପ୍ରତିକ ସମୟରେ ଧଳା ବଲ୍ କ୍ରିକେଟ୍‌ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ କିଛି ମାତ୍ରାରେ ନିରାଶାଜନକ ରହିଛି। ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ସିରିଜ୍ ହାରିବା ପରେ ଦଳ ପାଇଁ ଆଫଗାନିସ୍ତାନ ବିପକ୍ଷ ସିରିଜ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ଆସନ୍ତା ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ଏସୀୟ କ୍ରୀଡ଼ା (Asian Games)। ତେଣୁ ଏହି ସିରିଜ୍ ମାଧ୍ୟମରେ ଭାରତୀୟ ଖେଳାଳିମାନେ ନିଜର ଆତ୍ମବିଶ୍ୱାସ ଏବଂ ଲୟ ଫେରିପାଇବାକୁ ପ୍ରୟାସ କରିବେ। ଅନ୍ୟପକ୍ଷରେ, ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପରେ ଆଫଗାନିସ୍ତାନ ଦଳ ପ୍ରଥମ ଥର ପାଇଁ ଟି-୨୦ ମୁକାବିଲା ଖେଳିବାକୁ ଯାଉଛି। ତେଣୁ ସେମାନେ ମଧ୍ୟ ଏହି ସିରିଜରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିବେ।

ଜୁନ୍ ମାସରେ ମଧ୍ୟ ହୋଇଥିଲା ମୁକାବିଲା

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସରେ ଆଫଗାନିସ୍ତାନ ଦଳ ଭାରତ ଗସ୍ତରେ ଆସିଥିଲା। ସେହି ସମୟରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍‌କୁ ଭାରତ ଏକ ଇନିଂସ୍ ଓ ୩୦୦ ରନ୍‌ରେ ଜିତିଥିଲା। ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ମଧ୍ୟ ଭାରତ ଦମଦାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ ୩-୦ ରେ କ୍ଲିନ୍ ସୁଇପ୍ କରିଥିଲା। ଏବେ ଉଭୟ ଦଳ ପୁଣିଥରେ କ୍ଷୁଦ୍ର ଫର୍ମାଟ୍‌ରେ ପରସ୍ପରର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।