ସିଂହଦ୍ବାରରେ ୩ ଠାକୁର, ଆଜି ସୁନାବେଶ: ସନ୍ଧ୍ୟା ୫ଟାରୁ ସୁନାବେଶ ଦର୍ଶନ
"ପୁରୀ: ଜନ୍ମବେଦି ଲୀଳା ସରିଛି।
ଚତୁର୍ଦ୍ଧା ବିଗ୍ରହ ଶ୍ରୀଗୁଣ୍ଡିଚାରୁ ମେଲାଣି ନେଇଛନ୍ତି।
ହେରାପଞ୍ଚମୀରେ ଲକ୍ଷ୍ମୀ ସାଆନ୍ତାଣୀ ଅଭିମାନ କରି ଫେରିଥିଲେ।
ତେଣୁ ଆଜି ବିଳମ୍ବରେ ବାହାରିଥିଲେ ହେଁ ସଅଳ ସଅଳ ରଥରେ ଗଡ଼ି ଆସିଛନ୍ତି ମଣିମା।
ଅନୁକୂଳ ପାଗ ଯୋଗୁଁ ଭକ୍ତଙ୍କ ସଂଖ୍ୟା ବହୁଗୁଣିତ ହୋଇଛି।
୬ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା ସଂରଚନା କରି ସିଂହଦ୍ବାରରେ ପହଞ୍ଚିଛନ୍ତି ମର୍ତ୍ତ୍ୟ ବୈକୁଣ୍ଠର ମହାଧୀଶ୍ବର।
ଘଣ୍ଟଘଣ୍ଟା ନାଦ, ହୁଳହୁଳି ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଛି ବଡ଼ଦାଣ୍ଡ।
ରାତି ହୋଇଯିବାରୁ ଉଚ୍ଚକ୍ଷମତା ସମ୍ପନ୍ନ ଆଲୋକମାଳା ସହ ରଥଟଣା ହୋଇଛି।
ତାଳଧ୍ବଜ ରଥ ରାତି ୮ଟା ୧୫ରେ ପହଞ୍ଚିଥିଲା।
ଦର୍ପଦଳନ ରଥ ୮ଟା ୫୮ ସୁଦ୍ଧା ସିଂହଦ୍ବାର ଚକଡ଼ାରେ ପହଞ୍ଚି ସାରିଥିଲେ।
ନନ୍ଦିଘୋଷ ରଥ ୯ଟା ୨୦ ସୁଦ୍ଧା ଶ୍ରୀନଅର ନିକଟରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା।
ଲକ୍ଷ୍ମୀନାରାୟଣଙ୍କ ଭେଟ ପରେ ନନ୍ଦିଘୋଷ ରଥ ଆସି ରାତି ପ୍ରାୟ ୧୦ଟା ୫୫ ବେଳକୁ ସିଂହଦ୍ବାରରେ ପହଞ୍ଚିଥିଲା।Advertisment Ratha yatra: ଆଡ଼ପ ମଣ୍ଡପରେ ନବମୀ ଦର୍ଶନ: ଦର୍ଶନ ନପାଇ ଭକ୍ତ କାନ୍ଦିଲେ, ପୁଣି ଖୋଲିଲା ଦ୍ବାର ଆଜି ସଅଳ ବାହୁଡ଼ା ନୀତି ସମ୍ପନ୍ନ କରିବା ଉଦ୍ଦେଶ୍ୟ ନେଇ ନୀତିକାନ୍ତି ଆରମ୍ଭ ହୋଇଥିଲା।
ପହଣ୍ଡି ଦିନ ୧୨ଟାରେ ଆରମ୍ଭ ହେବାର ଥିଲେ ହେଁ ସକାଳ ୧୦ଟା ୫୦ରେ ଆରମ୍ଭ ହୋଇଥିଲା।
ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସଅଳ ରଥ ଉପରକୁ ବାହୁଡ଼ି ଆସିଥିଲେ।
ତଥାପି ଗୁଣ୍ଡିଚା ଯାତ୍ରା ଭଳି ଆଜି ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଳମ୍ବ ହେଲା।
ପହଣ୍ଡି ସରିବା ବେଳକୁ ଦିନ ୨ଟା ୧୫ ବାଜି ଯାଇଥିଲା।
ମଧ୍ୟାହ୍ନ ୨ଟା ୩୫ ସୁଦ୍ଧା ଶ୍ରୀବିଗ୍ରହମାନେ ରୁନ୍ଧା ସରିବା ପରେ ୨ଟା ୪୫ରେ ମଦନମୋହନ, ରାମକୃଷ୍ଣ ବିଜେ କରିଥିଲେ।
ମଇଲମ ଶେଷ ପରେ ୩ଟା ୨୦ରେ ଗଜପତି ମହାରାଜ ପହଞ୍ଚି ଛେରାପହଁରା କରିଥିଲେ।
୪ଟା ୨୦ରେ ତିନି ରଥରେ ଛେରାପହଁରା ସାରି ଗଜପତି ପ୍ରତ୍ୟାବର୍ତ୍ତନ କରିବା ପରେ ଚାରମାଳ ଖୋଲାଯାଇ ଘୋଡ଼ା ଯୋଚା ହୋଇ ରଥଟଣା ଆରମ୍ଭ ହୋଇଥିଲା।
ତାଳଧ୍ବଜ ରଥ ଅପରାହ୍ଣ ୪ଟା ୨୯ରେ ଗଡ଼ିଥିଲା।
ଦର୍ପଦଳନ ରଥ ୫ଟା ୭ ଏବଂ ନନ୍ଦିଘୋଷ ରଥ ୫ଟା ୪୨ରେ ଗଡ଼ିଥିଲା।
ଗୁଣ୍ଡିଚା ଯାତ୍ରା ଅପେକ୍ଷା ଆଜି ବାହୁଡ଼ାରେ ରଥ ଘର୍ଘର ନାଦରେ ବିନା ଦ୍ବିଧାରେ ଗଡ଼ିଚାଲିଥିଲା।
ନୀତି ନିର୍ଘଣ୍ଟ ଅନୁଯାୟୀ, ବାହୁଡ଼ାଯାତ୍ରା ପାଇଁ ଗତକାଲିଠାରୁ କୋଠ ସୁଆଁସିଆମାନେ ଚାରବନ୍ଧା କାମ ଶେଷ କରିଥିଲେ।
ରାତିରେ ବାହୁଟକଣ୍ଟ, କୁସୁମଲାଗି ପାଇଁ ଦଇତାପତିମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ।
ସେନାପଟା ଲାଗି ପରେ ଆଜି ସକାଳ ୮ଟା ୨୫ରେ ମଙ୍ଗଳ ଆଳତି ହୋଇ ଅନ୍ୟ ନୀତି ବଢ଼ିଥିଲା।
ମଙ୍ଗଳାର୍ପଣ ହୋଇ ସକାଳ ଚତୁର୍ଦ୍ଧାବିଗ୍ରହଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା।
ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଶେଷ ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ରଥରେ ବିରାଜିଥିଲେ।
ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ସ୍ବତନ୍ତ୍ର ମେହେନାରେ ରଥ ନିକଟରେ ପହଞ୍ଚିବା ପରେ ଛେରାପହଁରା ସହ ଚତୁର୍ଦ୍ଧା ବିଗ୍ରହଙ୍କୁ ଆଳତି ସମର୍ପଣ ସହ ଚାମର ଓ ଆଲଟ ସେବା କରିଥିଲେ।
ଶ୍ରୀନଅର ନିକଟରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପାଦନ ଯୋଗୁଁ ନନ୍ଦିଘୋଷ ରଥ ବିଳମ୍ବରେ ପହଞ୍ଚିଥିଲା।
ରାତି ୧୦ଟା ପରେ ନନ୍ଦିଘୋଷ ସିଂହଦ୍ବାର ଚକଡ଼ାରେ ପହଞ୍ଚିବା ପରେ ରଥଟଣା ଶେଷ ହୋଇଥିଲା।
ଶନିବାର ସୁନାବେଶ, ୨୬ରେ ଅଧରନୀତି ଓ ଶ୍ରୀଗରୁଡ଼ ଶୟନ ନୀତି ଓ ୨୭ରେ ତ୍ରୟୋଦଶୀରେ ନୀଳାଦ୍ରି ବିଜେ ପର୍ବ ଅନୁଷ୍ଠିତ ହେବ।
ସନ୍ଧ୍ୟା ୫ଟାରୁ ସୁନାବେଶ ଦର୍ଶନ ପୁରୀ: ମହଣ ମହଣ ସୁନାରେ ଛାଉଣି ହେବେ ଦାରୁବ୍ରହ୍ମ।
ଆଷାଢ଼ ଶୁକ୍ଳ ଏକାଦଶୀ ତିଥି (ଶନିବାର) ବଡ଼ତଢ଼ାଉ ତଥା ସୁନାବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ।
ଗୁଣ୍ଡିଚା ଲୀଳା ସାରି ବାହୁଡ଼ିବା ପରେ ମହାପ୍ରଭୁ ସିଂହଦ୍ବାରରେ ବିଶ୍ରାମ ନେଇଛନ୍ତି।
ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ହୋଇ ସୁନାବେଶରେ ଝଟକିବେ ଜଗତାଧିପତି।
ଆପାଦ ମସ୍ତକ ସୁନାରେ ସଜେଇ ହୋଇ ମହାପ୍ରଭୁ ରାଜବେଶରେ ଦର୍ଶନ ଦେଉଥିବାରୁ ଏହି ବେଶ ସଂଦର୍ଶନ ପାଇଁ ବହୁ ଭକ୍ତ ଉତ୍କଣ୍ଠାରେ ପ୍ରତୀକ୍ଷା କରିଛନ୍ତି।
ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, ବାହାଡ଼ାମାଳି, ତାବିଜମାଳି, ହରିଡ଼ାମାଳି, କଦମ୍ୱମାଳି, ବାଘନଖୀମାଳି, ସେବତୀମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେବେ।
Ratha yatra: ରଥ ଦକ୍ଷିଣାଭିମୁଖୀ: ଟଣା ହୋଇପାରିଲାନି ନନ୍ଦିଘୋଷ ସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେବ।
ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି (ଖୋଲା ହେବ) ହେବ।
ନୀତିକାନ୍ତି ସଅଳ ହେଲେ ଅପରାହ୍ଣରୁ ସୁନାବେଶ ଦର୍ଶନର ସୁଯୋଗ ପାଇପାରିବେ ଭକ୍ତ।
ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍ ଛକରୁ ବଡ଼ଦାଣ୍ଡରେ ବାରିକେଡ୍ ବ୍ୟବସ୍ଥା କରାଯାଉଛି।
ଭକ୍ତ ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ଦର୍ଶନ ପାଇଁ ପ୍ରବେଶ କରିବେ।
ରଥ ଆଗ ଦେଇ ଦର୍ଶନ ସାରିବା ପରେ ଡାହାଣ ପାର୍ଶ୍ବରେ ପ୍ରସ୍ଥାନ କରିବେ।
ନିର୍ଘଣ୍ଟ ନୀତି ଅନୁଯାୟୀ, ରବିବାର ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ପରେ ଅନ୍ୟାନ୍ୟ ନୀତି ବଢ଼ିବ।
ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହୋଇ ସାଢ଼େ ୬ଟା ଭିତରେ ଶେଷ ହେବ।
ରାତି ୧୧ଟା ପରେ ସୁନାବେଶ ମଇଲମ (ଖୋଲାଯିବ) ହେବ।
୧୧ଟାରେ ଚନ୍ଦନଲାଗି, ରାତି ୧୨ଟାରେ ବଡ଼ସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ।
ରାତି ସାଢ଼େ ଗୋଟାଏରେ ଶୟନ ଠାକୁର ବିଜେ କରିବେ।
ଭୋର ୪ଟାରେ ହରିଶୟନ ନୀତି ପରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ।
ଦର୍ପଦଳନ ରଥ ପାଖରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ପୁରୀ: ପବିତ୍ର ବାହୁଡ଼ାଯାତ୍ରା ଅବସରରେ ଆଜି ଦର୍ପଦଳନ ରଥ ପାଖରେ ଜଣେ ଶ୍ରଦ୍ଧାଳୁ ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କର ମୃତ୍ୟୁ ଘଟିଛି।
ମୃତକ ହେଲେ କଟକ ଅଞ୍ଚଳର ଅଭିମନ୍ୟୁ ଦାସ (୫୭)।
ସେ ଭୁବନେଶ୍ବର ବିଜେବି କଲେଜରେ ଉଦ୍ଭିଦବିଜ୍ଞାନ ବିଭାଗର ଅଧ୍ୟାପକ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଅଭିମନ୍ୟୁ ଉଚ୍ଚ ରକ୍ତଚାପଜନିତ ସମସ୍ୟାରେ ପୀଡ଼ିତ ଥିଲେ।
ଆଜି ଅପରାହ୍ଣ ପ୍ରାୟ ୫ଟା ସମୟରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମାଉସୀମା ମନ୍ଦିର ଅତିକ୍ରମ କରିବା ପରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ।
ଘଟଣାସ୍ଥଳରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ ଓ ସେବାକର୍ମୀମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ବଗଲା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ।
ସେଠାରେ ପ୍ରାଥମିକ ଚିକିତ୍ସା ଓ ଜରୁରି ସେବା ଯୋଗାଇ ଦିଆଯାଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା।
ଫଳରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ସେଠାରେ ପହଞ୍ଚିବା ପରେ ଡିଉଟିରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି।
ଖବରପାଇ ତାଙ୍କ ପରିବାର ଲୋକେ ପୁରୀରେ ପହଞ୍ଚିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।