ସରପଞ୍ଚ ଚାମେଲି ଓଝାଙ୍କ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲା ହାଇକୋର୍ଟରୁ ବୁଧବାର ପ୍ରତ୍ୟାହୃତ ହୋଇଛି
କଟକ: ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲା ହାଇକୋର୍ଟରୁ ବୁଧବାର ପ୍ରତ୍ୟାହୃତ ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଭାରତୀୟ ବିକାଶ ପରିଷଦ ତରଫରୁ ଦାୟର ଏ ସଂପର୍କିତ ଜନସ୍ବାର୍ଥ ଆବେଦନର ପ୍ରାରମ୍ଭିକ ଶୁଣାଣି ହୋଇଛି। ଶୁଣାଣି ବେଳେ ଆବେଦନର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଥିଲା। ଏହାପରେ ଆବେଦନ ପ୍ରତ୍ୟାହାର ପାଇଁ ଆବେଦନକାରୀଙ୍କ ତରଫରୁ ଅନୁମତି ଲୋଡ଼ା ଯାଇଥିଲା। ହାଇକୋର୍ଟ ଏଥି ପାଇଁ ଅନୁମତି ଦେବା ସହିତ ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି।
ନିରପେକ୍ଷ ତଦନ୍ତ ଦାବି
ଉଲ୍ଲେଖଯୋଗ୍ୟ ଯେ ଚାମେଲିଙ୍କୁ ନିର୍ଯାତନା ଓ ଗିରଫଦାରୀ ଘଟଣାକୁ ନେଇ ଭାରତୀୟ ବିକାଶ ପରିଷଦ ତରଫରୁ ଗତ ସପ୍ତାହରେ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଆବେଦନରେ ଦର୍ଶାଯାଇଥିଲା ଯେ ଜଣେ ଜନ ପ୍ରତିନିଧି ମହାକାଳପଡ଼ା ବିଡିଓଙ୍କ ପାଖକୁ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ପ୍ରସଂଗକୁ ନେଇ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଅନ୍ୟପକ୍ଷରେ ସେ ପୁଲିସକୁ ଆକ୍ରମଣ କରିଥିଲେ ବୋଲି ଦର୍ଶାଯାଇ ତାଙ୍କୁ ଗିରଫ କରାଯାଇଥିଲା। ଏଭଳି ଘଟଣାର ନିରପେକ୍ଷ ତଦନ୍ତ କରାଯିବା ଆବଶ୍ୟକ। ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଦ୍ବାରା ସମଗ୍ର ଘଟଣାର ତଦନ୍ତ କରାଗଲେ ସତ ପଦାକୁ ଆସିବ।
ସେହିପରି ଭାବେ ବିଡିଓଙ୍କ ସହିତ ଚାମେଲି କଥା ହେବା ବେଳେ ସଂପୂର୍ଣ୍ଣ ଭାବେ ସୁସ୍ଥ ଥିଲେ। ପରବର୍ତ୍ତୀ ସମୟରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚାମେଲିଙ୍କ ସ୍ବାସ୍ଥ୍ୟବସ୍ଥା କାହିଁକି ବିଗିଡ଼ିଥିଲା ଓ ତାଙ୍କୁ ଆକ୍ରମଣ କରାଯାଇଥିଲା କି ନାହିଁ ତାହା ଯାଞ୍ଚ ହେବା ଜରୁରୀ। ଏଭଳି ସ୍ଥିତିରେ ଚାମେଲିଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ସଂପର୍କିତ ରିପୋର୍ଟ ତଲବ କରାଯାଉ। ଏଥି ସହିତ ଘଟଣା ଦିନର ସିସି ଟିଭି ଫୁଟେଜ ସଂରକ୍ଷିତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ସମ୍ବେଦନଶୀଳ ସ୍ଥିତିରେ ସାଧାରଣ ଲୋକଙ୍କ ପ୍ରତି ପୁଲିସର ଉଚିତ ବ୍ୟବହାର ପ୍ରଦର୍ଶନ ନେଇ ଏକ ସ୍ୱତନ୍ତ୍ର ଗାଇଡଲାଇନ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ମାମଲାରେ ମୁଖ୍ୟ ସଚିବ, ଗୃହ ସଚିବ, ପଞ୍ଚାୟତିରାଜ ସଚିବ, ପୁଲିସ ଡିଜି, କେନ୍ଦ୍ରାପଡା ଏସପି, ଜିଲାପାଳ, ମହାକାଳପଡ଼ା ବିଡିଓ ଓ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।