ସରକାରଙ୍କୁ ସହାୟତା କରନ୍ତୁ ,ବିପଦ ଟଳିଯିବ - ରାଜସ୍ବ ମନ୍ତ୍ରୀ

Jul 31, 2026 - 13:40
ସରକାରଙ୍କୁ ସହାୟତା କରନ୍ତୁ ,ବିପଦ ଟଳିଯିବ - ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ଲୋକ ସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବନ୍ୟା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ୟା ସମୀକ୍ଷା, ପାଣିପାଗ ପୂର୍ବାନୁମାନ, ରିଲିଫ୍ ବଣ୍ଟନ, ସ୍ୱାସ୍ଥ୍ୟ ସେବା ଓ ସହାୟତା ପ୍ରଦାନ ଆଦି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । 

ବୈଠକ ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି ,ବନ୍ୟା ସମୟରେ ସାପ କାମୁଡ଼ା ର ଭୟ ଅଧିକ ଥାଏ । ପ୍ରତିଟି ଜୀବନ ମୂଲ୍ୟବାନ ତେଣୁ ବନ୍ୟା ପ୍ଲାବିତ ଅଞ୍ଚଳରୁ ଲୋକେ ଯଥାଶୀଘ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ସେଲଟର ହୋମ କୁ ଆସନ୍ତୁ । ଭୟଭୀତ ହୁଅନ୍ତୁ ନାହିଁ ,ସରକାରଙ୍କୁ ସହାୟତା କରନ୍ତୁ ,ବିପଦ ଟଳିଯିବ । ଏହା ଲୋକଙ୍କ ସରକାର,ଲୋକଙ୍କୁ ସହାୟତା ପାଇଁ ପ୍ରଭାବିତ ଅଞ୍ଚଳରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଯେଉଁ ସବୁ ଅଞ୍ଚଳରେ ୪ ଫୁଟ ପର୍ଯ୍ୟନ୍ତ ପାଣି ରହିଛି । ସେହି ଅଞ୍ଚଳକୁ ଗାଡ଼ିରେ ଯାଆନ୍ତୁ ନାହିଁ ,କାରଣ କେତେକ ସ୍ଥାନରେ ବାଇକ ସହ ଚାଳକ ଭାସି ଯାଇଥିବା ଖବର ମାନ ଆସୁଛି । ବର୍ତ୍ତମାନ ଦେବୀ, କୁଶଭଦ୍ରା, ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧରା, ଋଷିକୂଲ୍ୟା ଓ ଜଳକା ବିପଦ ସଙ୍କେତ ତଳେ ରହିଥିବାବେଳେ ମହାନଦୀର ଜଳ ପତ୍ତନ ବୃଦ୍ଧି ପାଉଛି ।

ଗତ କାଲି ହୀରାକୁଦ ର ୨ଟି ଗେଟ ଖୋଲା ଯାଇଥିବାବେଳେ ଆଜି ସକାଳେ ପ୍ରଥମ ପର୍ଯାୟରେ ୧୦ ଟି ଏବଂ ପରେ ପୁଣି ଆଉ ୨ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ସମୁଦାୟ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦରେ ଛଡ଼ା ଯାଉଥିବା ପାଣି ନରାଜ ପହଁଚିବାରୁ ଆହୁରି ୪୦ ଘଣ୍ଟା ସମୟ ନେବ । ଏହା ପରେ ନରାଜରେ ଜଳ ପତ୍ତନ ବୃଦ୍ଧି ପାଇବ । ଆବଶ୍ୟକ ପଡ଼ିଲେ ହୀରାକୁଦର ଆହୁରି ଗେଟ୍ ଖୋଲାଯାଇପାରେ । ଏହା ଉପରେ ଜଳ ସମ୍ପଦ ବିଭାଗ ନଜର ରଖିଛି । ସେଥିପାଇଁ ଖୋର୍ଦ୍ଧା,ପୁରୀ,କଟକ ଏନ ଜଗତସିଂହପୁର ଜିଲ୍ଲାକୁ ଆଲର୍ଟ କରାଯାଇଛି । ହୀରାକୁଦ ଡ୍ୟାମ ର ଇନଫ୍ଲୋ ବଢ଼ୁଥିବାରୁ ଯାହା ଆଶା କରାଯାଉଛି ଆଜି ସନ୍ଧ୍ୟା ସୁଦ୍ଧା ୨୦ ଟି ଗେଟ ଖୋଲାଯାଇପାରେ । ତେବେ ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ । ଅପରାହ୍ନ ୩ ଟା ପରେ ଏନେଇ ସୂଚନା ଦିଆଯିବ ।  

ଗତ ୨୪ ଘଣ୍ଟା ମଧ୍ୟରେ ପାଗ ଶୁଖିଲା ରହିଛି । ଆଗାମୀ ୨୪ ଘଣ୍ଟା ଯାଏ ପାଗ ଶୁଖିଲା ରହିବା ନେଇ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଗାମୀ ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ ହୋଇପାରେ । କିନ୍ତୁ ଉତ୍ତର ଓଡ଼ିଶାରେ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ । 

ସେପଟେ ବନ୍ୟା ପ୍ଲାବିତ ଅଞ୍ଚଳରେ ବନ୍ୟା ଆଶ୍ରୟ ସ୍ଥଳ କାର୍ଯ୍ୟକ୍ଷମ ରହିଛି । ସେଠାରେ ଚୁଡ଼ା, ବିସ୍କୁଟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଯେଉଁଠାରେ ଲୋକେ ଆସି ନାହାଁନ୍ତି, ପାଣି ଘେରରେ ରହିଛନ୍ତି ସେମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି । ତିନି ପରେ ବିଡ଼ିଓମାନେ ରିଲିଫ୍ କେନ୍ଦ୍ର ଚଳାଇବାର କ୍ଷମତା ନାହିଁ । କିନ୍ତୁ ଯେଉଁଠାରେ ସମ୍ପୂର୍ଣ୍ଣ ଜଳ ମୁକ୍ତ ହୋଇ ଚୂଲିରେ ରାନ୍ଧିବାକୁ ସକ୍ଷମ ହୋଇନାହାଁନ୍ତି ସେମାନଙ୍କୁ ରିଲିଫ୍ ଯୋଗାଣ ଜାରି ରହିବ । 

ସେହିପରି ଚାଷୀ ଭାଇମାନେ ଚିନ୍ତିତ ନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପରିବା ଚାଷୀଠାରୁ ଆରମ୍ଭ କରି ଧାନ ଚାଷୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସରକାରଙ୍କ ନିୟମାବଳୀ ଅନୁସାରେ ସହାୟତା ଯୋଗାଇ ଦିଆଯାଇଛି । କ୍ଷତିଗ୍ରସ୍ତ ରିପୋର୍ଟ ଆସିଲେ ୩ ଦିନ ମଧ୍ୟରେ ସହାୟତା ଯୋଗାଇ ଦିଆଯିବ ।

ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଖୁବ ସଜାଗ ରହିଛି । ଯେଉଁଠାରେ ପାଣି କମିଛି ସେଠାରେ ଟ୍ୟୁବୱେଲ୍ ମରାମତି କରାଯାଉଛି । ଜଳ ବିଶୋଧନ ପାଇଁ କ୍ଲୋରିନ୍ ବଟିକା ଓ ବ୍ଲିଚିଂ ପାଉଡର୍ ଯୋଗାଇ ଦିଆଯାଉଛି । ପାଣିକୁ ଫୁଟାଇ ପିଇବାକୁ ମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । 

ଆଜିର ବୈଠକରେ ବନ୍ୟା ପ୍ଲାବିତ ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳ, କୃଷି, ସ୍ୱାସ୍ଥ୍ୟ, ଜଳ ସମ୍ପଦ, ପାନୀୟ ଜଳ  ଓ ପଶୁ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ଏସଆରସି ମଧ୍ୟ ଉପସ୍ଥିତ ଥିଲେ । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।