ସରକାରଙ୍କ ବଡ଼ ନିଷ୍ପତ୍ତି, ୫ ବର୍ଷ ଲାଗି ବଢ଼ିଲା ସହାୟତ ରାଶି

Jul 31, 2026 - 19:30
ସରକାରଙ୍କ ବଡ଼ ନିଷ୍ପତ୍ତି, ୫ ବର୍ଷ ଲାଗି ବଢ଼ିଲା ସହାୟତ ରାଶି

ନୂଆଦିଲ୍ଲୀ, ୩୧ା୭: କେନ୍ଦ୍ର ସରକାର ନ୍ୟାଶନାଲ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକ ଲାଗି ବଜେଟରେ ସହାୟତ ରାଶି ବୃଦ୍ଧି କରିଛନ୍ତି। ଖେଲୋ ଇଣ୍ଡିଆ ସ୍କିମକୁ ମଧ୍ୟ ସମ୍ପ୍ରସାରିତ କରାଯାଇଛି। ଏଥିପାଇଁ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ଆସନ୍ତା ୫ ବର୍ଷ ପାଇଁ ମୋଟ ୩୬, ୪୪୧ କୋଟି ଟଙ୍କା ମଞ୍ଜୁର କରିଛି। ସରକାର ଆସନ୍ତା ୫ ବର୍ଷ ଲାଗି ଖେଲୋ ଇଣ୍ଡିଆ ସ୍କିମ୍‌ ପାଇଁ ୨୯,୦୫୪ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

ଭାରତ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବା ଲାଗି ଅଧିକାର ହାସଲ କରିଥିବା ବେଳେ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିଛି। ଦେଶକୁ ଏକ ଗ୍ଲୋବାଲ ସ୍ପୋର୍ଟିଂ ହବ୍‌ରେ ପରିଣତ କରିବା ଲାଗି ସରକାର ଚାହୁଛନ୍ତି। ଏହାକୁ ନଜରରେ ରଖି ତୃଣମୂଳସ୍ତରରେ ପ୍ରତିଭାସମ୍ପନ୍ନ ଆଥ୍‌ଲେଟ୍‌ଙ୍କୁ ଚିହ୍ନଟ କରି ସେମାନଙ୍କୁ ନେଇ ଏକ ପୁଲ୍‌ ଗଠନ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।

ଆସନ୍ତା ୫ବର୍ଷ ପାଇଁ ନ୍ୟାଶନାଲ ସ୍ପୋଟର୍‌ସ ଫେଡେରେଶନଗୁଡ଼ିକ ଲାଗି ୭୩୮୭ କୋଟି ଟଙ୍କା ପାଣ୍ଠିର ବ୍ୟବସ୍ଥା କରାଯାଇଛି। ୨୦୨୬-୨୭ ବର୍ଷ ପାଇଁ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ୪୨୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି, ଯାହାକି ପୂର୍ବ ଖେଲୋ ଇଣ୍ଡିଆ ସ୍କିମ୍‌ ପାଇଁ ମଞ୍ଜୁର କରାଯାଇଥିବା ରାଶି ତୁଳନାରେ ୮ ଗୁଣା ଅଧିକ। ଏହା ଦ୍ୱାରା ଭାରତ ବିଶ୍ୱର ଏକ ଗ୍ଲୋବାଲ ସ୍ପୋର୍ଟିଂ ପାଓ୍ବାର ହାଉସରେ ପରିଣତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି ସରକାରଙ୍କ ତରଫରୁ ରିଲିଜ କରାଯାଇଥିବା ଏକ ବିବୃତ୍ତିରେ ଏକଥା କୁହାଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।