ସଂସ୍କୃତି ସୁରକ୍ଷା ଚିନ୍ତା

Jul 30, 2026 - 08:56
ସଂସ୍କୃତି ସୁରକ୍ଷା ଚିନ୍ତା

ଇସ୍କନ ରଥଯାତ୍ରାର ତିଥି ବାରକୁ ବେଖାତିର କରି ବିଶ୍ୱର ବିଭିନ୍ନ ଭାଗରେ ଅଦିନିଆ ରଥଯାତ୍ରା ପାଳନ କରୁଛି। ପାଞ୍ଚ କୋଟି ଜନସଂଖ୍ୟା ବିଶିଷ୍ଟ ତଥା ଅଷ୍ଟମ ବୃହତ୍ତମ ପ୍ରାଚୀନ ରାଜ୍ୟ ତା’ ସଂସ୍କୃତିର ସୁରକ୍ଷା ପାଇଁ କହିଲେ ମଧ୍ୟ ଇସ୍କନ କର୍ଣ୍ଣପାତ କରୁନାହିଁ। ଇସ୍କନ ଏକ ଧାର୍ମିକ ସଂସ୍ଥା ଏବଂ ୧୯୬୬ ମସିହା ଜୁଲାଇ ୧୩ ରେ ଆମେରିକାର ନ୍ୟୁୟର୍କ ସହରରେ ଗଢ଼ିଉଠିଥିଲା। ଭକ୍ତି ବେଦାନ୍ତ ସ୍ବାମୀ ପ୍ରଭୁ ପାଦ ଏହାକୁ ଆରମ୍ଭ କରିଥିଲେ। ଏହାର ମୁଖ୍ୟାଳୟ ପଶ୍ଚିମବଙ୍ଗର ନଦିଆ ଜିଲା ମାୟାପୁରରେ। ଇସ୍କନ କହିବା ଅନୁସାରେ ତା’ର ବିଶ୍ୱରେ ମୋଟ ୧୦ ଲକ୍ଷ ସଦସ୍ୟ ଅଛନ୍ତି। ପ୍ରଶ୍ନ ଉଠେ, ଇସ୍କନ ଏକ ହିନ୍ଦୁ ସଂସ୍ଥା ହୋଇଥିବାବେଳେ ହିନ୍ଦୁ ଧର୍ମକୁ ବିକୃତ କରିବା କ’ଣ ତାହାର କର୍ତ୍ତବ୍ୟ ? ଏହାର କାର୍ଯ୍ୟକଳାପକୁ ବିଶ୍ଳେଷଣ କଲେ ଜଣାଯାଏ ଯେ, ଏହି ସଂସ୍ଥା ଅଦିନିଆ ଦୁର୍ଗାପୂଜା,ଜନ୍ମାଷ୍ଟମୀ ଓ ଶ୍ରୀରାମ ନବମୀ ପାଳନ କରୁନାହିଁ। କିନ୍ତୁ ସେମାନେ ଜଗନ୍ନାଥ ପରମ୍ପରାକୁ ଅଣଦେଖା କରି ବିଦେଶରେ ଅଦିନିଆ ରଥଯାତ୍ରା କରିବାରେ ବ୍ୟସ୍ତ। ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରି ସଂସ୍କୃତିର ସୁରକ୍ଷା କରିବା ଆମର ଦାୟିତ୍ୱ। କୌଣସି ଧର୍ମ ଅଦିନିଆ ପର୍ବକୁ ନିଷେଧ କରେ। ଆପଣ ଦେଖିଛନ୍ତି କି କୌଣସି ଖ୍ରୀଷ୍ଟ ଧର୍ମାବଲମ୍ବୀ ଅଦିନିଆ ବଡ଼ଦିନ କିମ୍ବା ଇଷ୍ଟର ପାଳିଛି। ସେହିପରି ମୁସଲମାନମାନେ ଅଦିନିଆ ଇଦ୍‌, ବକରିଦ କିମ୍ବା ମହମ୍ମଦଙ୍କ ଜନ୍ମଦିନ ପାଳନ୍ତି ନାହିଁ। ତାହା ମଧ୍ୟ ଶିଖ୍‌, ବୁଦ୍ଧ ଓ ଜୈନ ଧର୍ମରେ ଦେଖାଯାଏ। ଅଦିନିଆ ରଥଯାତ୍ରା କେବଳ ଓଡ଼ିଶାର ଧର୍ମୀୟ ପରମ୍ପରା ପ୍ରତି କୁଠାରାଘାତ ନୁହେଁ ବରଂ ସମଗ୍ର ହିନ୍ଦୁ ଧର୍ମକୁ ବିକୃତ କରିବାର ପ୍ରୟାସ। ଆଜି ଅଦିନିଆ ରଥଯାତ୍ରା ପାଳନ ହେଉଛି, କାଲି ହୁଏତ ଅଦିନିଆ ଦୁର୍ଗାପୂଜା, ଜନ୍ମାଷ୍ଟମୀ ଓ ଶ୍ରୀରାମ ନବମୀ ମଧ୍ୟ ପାଳିବେ।
ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ବୟଂ ନାରାୟଣଙ୍କ ଅବତାର। ଦ୍ୱିତୀୟରେ ଶ୍ରୀଜଗନ୍ନାଥ ଧାମ ହେଉଛି ହିନ୍ଦୁଙ୍କର ଚାରି ମୋକ୍ଷ ଧାମରୁ ଅନ୍ୟତମ। ବଦ୍ରିକା ଧାମ, ଦ୍ୱାରକା ଧାମ, ଶ୍ରୀଜଗନ୍ନାଥ ଧାମ ଓ ରାମେଶ୍ୱର ଏହି ଚାରି ଧାମ ହିଁ ହିନ୍ଦୁମାନଙ୍କର ମୋକ୍ଷ ଧାମ। କାରଣ ବିଶ୍ୱାସ ଅଛି ସ୍ବୟଂ ନାରାୟଣ ବା ବିଷ୍ଣୁ ପ୍ରତ୍ୟହ ଏହି ଚାରିଧାମ ପ୍ରଦକ୍ଷିଣ କରନ୍ତି। ସେ ବଦ୍ରିକା ଧାମରେ ଶଯ୍ୟା ତ୍ୟାଗ କରନ୍ତି, ଅଳକାନନ୍ଦା ନଦୀରେ ସ୍ନାନ କରନ୍ତି, ଦ୍ୱାରକାରେ ବେଶ ଧାରଣ କରନ୍ତି, ପୁରୀରେ ଭୋଜନ କରନ୍ତି ଓ ରାମେଶ୍ୱରରେ ଶୟନ କରନ୍ତି। ଯେହେତୁ ସ୍ବୟଂ ବିଷ୍ଣୁ ଭଗବାନ ପୁରୀରେ ନିଜେ ଭୋଜନ କରନ୍ତି, ସେଥିପାଇଁ ଏଠାରେ ଅର୍ପିତ ନୈବେଦ୍ୟର ନାମ ମହାପ୍ରସାଦ, କିନ୍ତୁ ବିଶ୍ୱର ଅନ୍ୟ ସବୁଠି ତାହା ପ୍ରସାଦ। କାରଣ ସେଠି ପ୍ରତୀକାତ୍ମକ ଭୋଜନ କରନ୍ତି। ସେଥିପାଇଁ ପୁରୀରେ ଦୈନିକ ୫୬ ପ୍ରକାର ଭୋଗ ରନ୍ଧନ ଓ ପରିବେଷଣ ପରମ୍ପରା ରହିଆସିଛି। ପୂର୍ବେ ଜଗନ୍ନାଥ ମନ୍ଦିରରେ ବାର୍ଷିକ ୪୩୫ ପ୍ରକାର ଭୋଗ ଅର୍ପଣ ହେଉଥିବା ବେଳେ ବର୍ତ୍ତମାନ ତାହା ୧୫୦ ପ୍ରକାରକୁ କମିଆସିଛି। ବିଲୁପ୍ତ ହୋଇଥିବା ଭୋଗର ପୁନରୁଦ୍ଧାର ପାଇଁ ଆମେ ଚେଷ୍ଟା ମଧ୍ୟ କରିବା ଉଚିତ। ବର୍ତ୍ତମାନ ପ୍ରଶ୍ନ ଉଠେ ଇସ୍କନର ଅଦିନିଆ ରଥଯାତ୍ରା ବନ୍ଦ କିପରି ହେବ ? ପ୍ରତ୍ୟକ ଧର୍ମର ସୁରକ୍ଷା ଆମ ସମ୍ବିଧାନରେ ଉଲ୍ଲେଖ ରହିଛି। ଅନ୍ୟ ଧର୍ମାବଲମ୍ବୀଙ୍କ ଧର୍ମୀୟ ବିଶ୍ୱାସରେ ବାଧା ସୃଷ୍ଟି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଅଛି। ଯେହେତୁ ଇସ୍କନ ଆମ ଧର୍ମ ବିଶ୍ୱାସରେ ବାଧା ସୃଷ୍ଟି କରୁଛି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗକୁ ଏ ବିଷୟରେ ଅବଗତ କରାନ୍ତୁ। କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଇସ୍କନ ଉପରେ ଚାପ ପକାଯାଉ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ। ଅତୀତରେ ଯେତେବେଳେ ଓଡ଼ିଆ ଭାଷା ବିଲୁପ୍ତ ପାଇଁ ଉଦ୍ୟମ ହୋଇଥିଲା ଆମେ ସମସ୍ତେ ଏକାଠି ହୋଇ ଏହାର ଦୃଢ଼ ପ୍ରତିବାଦ କରିଥିଲେ ଓ ଆମ ଭାଷାକୁ ପୁନଃ ପ୍ରଚଳନ କରିବାରେ ସକ୍ଷମ ହୋଇଥିଲେ। ଅତୀତରେ ଭକ୍ତ କବି ଜୟଦେବଙ୍କ କଥା ହେଉ କିମ୍ବା ରସଗୋଲା ଯେତେବେଳେ ଆମ ସଂସ୍କୃତିକୁ ଅପହରଣ କରିବାର ଉଦ୍ୟମ ହୋଇଛି, ଆମେ ଦୃଢ଼ ପ୍ରତିବାଦ କରି ତାକୁ ସୁରକ୍ଷା ପ୍ରଦାନ କରିଛେ। ଇସ୍କନ ଆମ ସଂସ୍କୃତିକୁ ବିକୃତ କରିବାକୁ ବସିଲାଣି। ସମୟ ଆସିଛି ଦୃଢ଼ ପ୍ରତିବାଦ କରିବା ପାଇଁ। ଅଦିନିଆ ରଥଯାତ୍ରା ବନ୍ଦ ଅର୍ଥ ହିନ୍ଦୁ ଧର୍ମର ସୁରକ୍ଷା କରିବା।
ମୈତ୍ରୀବିହାର, ଭୁବନେଶ୍ବର,
ମୋ: ୮୯୧୭୪୨୬୪୪୦


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।