ବିରଳ ରେକର୍ଡ

ଅଷ୍ଟ୍ରେଲିଆର କ୍ୟାନବେରାରେ ରହୁଥିବା ୫୮ ବର୍ଷୀୟ ଜୋସେଫ୍ ମୈକଗ୍ରେଲ୍-ବେଟଅପ୍ ଏକ ଜେଟ୍ ବିମାନର ଉଡ଼ାଣର ଗର୍ଜନ ସଦୃଶ ଅତ୍ୟନ୍ତ କ୍ଷୀପ୍ର ପାଟିରେ ଚିତ୍କାର କରି ଗିନିଜ୍ ୱାର୍ଲ୍ଡ ରେକର୍ଡ୍ସରେ ନିଜ ନାମ ସାମିଲ କରିଛନ୍ତି । ଯେଉଁଠି ସେ ଏକ ରେଡିଓ ଷ୍ଟୁଡିଓରେ "ନାଓ" ଶବ୍ଦ ଚିଲ୍ଲାଇଥିଲେ ଯାହା ୧୨୨.୪ ଡେସିବଲ୍ର ଥିଲା । ପୂର୍ବରୁ ୧୨୧.୭ ଡେସିବଲ୍ର ପୁରୁଣା ରେକର୍ଡକୁ ଉକ୍ତ ବ୍ୟକ୍ତି ଭାଙ୍ଗିବାରେ ସଫଳ ହୋଇଛନ୍ତି । ଏହି ବିଶ୍ୱ ରେକର୍ଡ ସୃଷ୍ଟି କରିବା ପାଇଁ ଜୋସେଫଙ୍କୁ ୭ ଥର ଚେଷ୍ଟା କରିବାକୁ ପଡ଼ିଥିଲା । ମେ’ ୨ ତାରିଖରେ ହୋଇଥିବା ଏହି ରେକର୍ଡିଂ ପାଇଁ କ୍ରମାଗତ ପ୍ରୟାସ ଯୋଗୁଁ ଅନେକ ଦିନ ଧରି ତାଙ୍କ ଗଳା ବସିଯାଇଥିଲା । ଏହି ରେକର୍ଡ ପାଇଁ ଅଭ୍ୟାସ କରିବା ତାଙ୍କ ପାଇଁ ଆଦୌ ସହଜ ନଥିଲା। ପେଶାରେ ଜଣେ ଏସି ସଫା କରୁଥିବା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଜୋସେଫ୍ ପୂର୍ବରୁ ଧନୁର୍ବିଦ୍ୟାରେ ମଧ୍ୟ ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିସାରିଛନ୍ତି । ଗିନିଜ୍ ୱାର୍ଲ୍ଡ ରେକର୍ଡ୍ସ ପକ୍ଷରୁ ନିକଟରେ ତାଙ୍କର ଏହି ନୂତନ ସଫଳତାକୁ ଆଧିକାରିକ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି ।