ଲିଭ୍-ଇନ୍ ପାର୍ଟନରଙ୍କୁ ମଧ୍ୟ ମିଳିବ ପତ୍ନୀଙ୍କ ଭଳି ଅଧିକାର: ସୁପ୍ରିମକୋର୍ଟ

Aug 03, 2026 - 15:41
ଲିଭ୍-ଇନ୍ ପାର୍ଟନରଙ୍କୁ ମଧ୍ୟ ମିଳିବ ପତ୍ନୀଙ୍କ ଭଳି ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୮: ଲିଭ୍-ଇନରେ ରହୁଥିବା ପାର୍ଟନରକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଲିଭ୍-ଇନ୍ ସମ୍ପର୍କରେ ଥିବା ବ୍ୟକ୍ତି ନିଜ ସାଥୀ କିମ୍ବା ସାଥୀଙ୍କ ପରିବାର ଦ୍ୱାରା ନିର୍ଯାତନାର ଶିକାର ହେଲେ, ସେମାନଙ୍କୁ ମଧ୍ୟ ବିବାହିତ ପତ୍ନୀଙ୍କ ଭଳି ଆଇନଗତ ସୁରକ୍ଷା ମିଳିବ ।

ସୁପ୍ରିମକୋର୍ଟଙ୍କ ମତରେ, ଭାରତୀୟ ଦଣ୍ଡ ସଂହିତା (IPC)ର ଧାରା ୪୯୮-ଏ, ଯାହା ସ୍ୱାମୀ କିମ୍ବା ତାଙ୍କ ପରିବାର ପକ୍ଷରୁ ନିର୍ଯାତନା ସମ୍ବନ୍ଧୀୟ ମାମଲାରେ ପ୍ରଯୁଜ୍ୟ । ଲିଭ୍-ଇନରେ ରହୁଥିବା ସାଥୀଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ହେବ ।  ଅଦାଲତ କହିଛନ୍ତି ଯେ, ସମାଜରେ ପରିବର୍ତ୍ତନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇନର ବ୍ୟାଖ୍ୟା କରାଯିବା ଆବଶ୍ୟକ। କେବଳ ବିବାହିତ ସମ୍ପର୍କକୁ ସୁରକ୍ଷା ଦେଇ ଲିଭ୍-ଇନ୍ ସମ୍ପର୍କକୁ ବାଦ ଦେବା ଉଚିତ ନୁହେଁ । ସାଥୀ ପୁରୁଷ ହୁଅନ୍ତୁ କିମ୍ବା ମହିଳା, ଆଇନଗତ ସୁରକ୍ଷା ପାଇବାର ଅଧିକାର ସମସ୍ତଙ୍କର ରହିଛି।

ଉଲ୍ଲେଖଯୋଗ୍ୟ, IPC ଧାରା ୪୯୮-ଏ ଅନୁଯାୟୀ ସ୍ୱାମୀ କିମ୍ବା ତାଙ୍କ ପରିବାର ପକ୍ଷରୁ ପତ୍ନୀଙ୍କ ଉପରେ ଶାରୀରିକ କିମ୍ବା ମାନସିକ ନିର୍ଯାତନା, ଆତ୍ମହତ୍ୟା ପାଇଁ ପ୍ରରୋଚନା କିମ୍ବା ଯୌତୁକ ଭଳି ବେଆଇନ ଦାବି କଲେ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି। ଏହି ରାୟ ପରେ ଲିଭ୍-ଇନ୍ ରିଲେସନଶିପ୍‌ରେ ଥିବା ବ୍ୟକ୍ତିମାନେ ମଧ୍ୟ ନିର୍ଯାତନାର ଶିକାର ହେଲେ କୋର୍ଟର ଦ୍ୱାରସ୍ଥ ହୋଇ ନ୍ୟାୟ ଓ ଆଇନଗତ ସୁରକ୍ଷା ମାଗିପାରିବେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।