ରାସ୍ତା ନାହିଁ, ଅସରାଏ ବର୍ଷା ହେଲେ ରୋଗୀଙ୍କୁ ବାଉଁଶ ଦୋଳା ଭରସା
ମହାକାଳପଡ଼ା,୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ସାନ୍ତାଳୀ ଗାଁ ପାଣିଖିଆକୁ ଭଲ ରାସ୍ତା ନାହିଁ। ଅସରାଏ ବର୍ଷା ହେଲେ ରୋଗୀଙ୍କୁ ବାଉଁଶ ଦୋଳା ଭରସା। ଆଦିବାସୀ ଅଧ୍ୟୁଷିତ ଏହି ଆଦିବାସୀ ସାନ୍ତାଳୀ ଗାଁକୁ ଘେରି ରହିଛି ଲୁଣା ହେନ୍ତାଳ ଘଞ୍ଚ ଜଙ୍ଗଲ। ସେମାନଙ୍କ ପୂର୍ବଜମାନେ ସୁଦୂର ମୟୂରଭଞ୍ଜ ଜିଲାରୁ ଆସି ଏଠାରେ ବସବାସ କରୁଥିବା ଗ୍ରାମବାସୀ କହିଛନ୍ତି। ଗାଁକୁ ଥିବା ସବୁଦିନିଆ ରାସ୍ତା ବର୍ଷା ଯୋଗୁ କାଦୁଅ ହୋଇଯାଉଛି। ଗୁରୁତର ଗର୍ଭବତୀ, ରୋଗୀ ବାଉଁଶ ଦୋଳାରେ ମେଡିକାଲ ଯାଆନ୍ତି। ନିର୍ବାଚନ ଆସିଲେ ଗାଁକୁ ରାସ୍ତା ପାଇଁ ପ୍ରତିଶ୍ରୁତି ମିଳେ, କିନ୍ତୁ ସରିଲେ ଏହି ଜନଜାତିଙ୍କ ଭାଗ୍ୟ ଅନିଶ୍ଚିତତା ଘେରରେ ରହିଯାଏ। ଗାଁରେ ୫୦ ପରିବାର ୩ ଶହରୁ ଅଧିକ ଜନସଂଖ୍ୟା ଦୃଷ୍ଟିରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। କିଛିଦିନ ପୂର୍ବେ ଗାଁକୁ ପକ୍କାରାସ୍ତା ନିର୍ମାଣ ପାଇଁ ଫଳକ ଲାଗିଛି। ହେଲେ କାମ ନାଁ ଧରୁ ନାହାନ୍ତି ପ୍ରଶାସନ। ସାନ୍ତାଳୀ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ପ୍ରୟାସ କରିବାକୁ ନେଇ ଅଭିଯୋଗ କରିଛନ୍ତି ଗୁରୁଭା ହାଁସଦା, ସୁନା ମାରାଣ୍ଡି, ଲବ ମାରାଣ୍ଡି, କୁଶ ମାରାଣ୍ଡି, ରାମେଶ୍ବର ମାରାଣ୍ଡି, ଗଜେନ୍ଦ୍ର ମାରାଣ୍ଡି ଓ ବାବୁଲା ଟୁଡୁଙ୍କ ସମେତ ଅନ୍ୟମାନେ କହିଛନ୍ତି। ପ୍ରଶାସନ ପକ୍ଷରୁ ଏହି ଗ୍ରାମର ବିକାଶ ପାଇଁ କି ଯୋଜନା ପ୍ରସ୍ତୁତ କରିଛନ୍ତି ଏ ସଂକ୍ରାନ୍ତରେ ବିଡିଓ ରବି ନାରାୟଣ ଆଚାର୍ଯ୍ୟ ମତାମତ ନେବାରେ ଉକ୍ତ ଗ୍ରାମ ପ୍ରତି ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବେ ବୋଲି କହିଛନ୍ତି।