ଦାବି ପୂରଣ ନ ହେଲେ ଜୁଲାଇ ୧ରୁ ସାମୂହିକ ଛୁଟି: ଚେତାବନୀ ଦେଲା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ
ନବରଙ୍ଗପୁର,୨୫।୬(ସଦାଶିବ ପ୍ରହରାଜ): ଓଡ଼ିଶାର ରାଜସ୍ବ ପ୍ରଶାସନର ମେରୁଦଣ୍ଡ ଆର୍ଆଇ, ଏଆର୍ଆଇ, ରେଭିନ୍ୟୁ ସୁପରଭାଇଜରମାନେ ୨୨ ତାରିଖରୁ ମିଶନ୍ ସ୍ବାଭିମାନ ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି। ଏନେଇ ବୁଧବାର ନବରଙ୍ଗପୁର ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ ସଦସ୍ୟମାନେ ୨୫ ତାରିଖରେ ଅଫିସିଆଲ୍ ହ୍ବାଟ୍ସଆପ୍ ଗ୍ରୁପ୍ ଛାଡ଼ିବେ। ପୂରଣ ହେବା ପର୍ଯ୍ୟନ୍ତ ୧ ଜୁଲାଇଠାରୁ ସାମୂହିକ ଛୁଟିରେ ରହିବେ ବୋଲି ଚେତାବନୀ ଦିଆଯାଇଛି।
ଉଲ୍ଲେଖ ରହିଛି ଯେ, ରାଜ୍ୟରେ ମାତ୍ର ୫୦% କର୍ମଚାରୀ ଉପରେ ୨୦୦%ରୁ ଅଧିକ କାର୍ଯ୍ୟଭାର ଚାପି ଦିଆଯାଉଛି। ମୌଳିକ ସୁବିଧା ଯଥା ବିଦ୍ୟୁତ୍, ଇଣ୍ଟରନେଟ୍, ସ୍ଥାୟୀ ଭ୍ରମଣ ଭତ୍ତା (ଏଫ୍ଟିଏ), ଗ୍ରୁପ୍-ଡି ପଦବୀ ପୂରଣ ଏବଂ କ୍ୟାଡର ପୁନର୍ଗଠନ ନ ହେବା ଯୋଗୁ ରେଭିନ୍ୟୁ ଫିଲ୍ଡ କର୍ମଚାରୀମାନେ ଅମାନବିକ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି। ବର୍ଷ ବର୍ଷ ଧରି ସେମାନଙ୍କ ସମ୍ମାନ ଓ ଅଧିକାରକୁ ଅବହେଳା କରାଯାଉଛି। ବାରମ୍ବାର ସରକାର ଜିଲା ପ୍ରଶାସନକୁ ସମସ୍ୟା ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଆରମ୍ଭ କରାଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ ପାଇଁ ମୌଳିକ ସୁବିଧା, କ୍ୟାଡର ପୁନର୍ଗଠନ ଏବଂ ଯଥାର୍ଥ କାର୍ଯ୍ୟଭାର ନିର୍ଦ୍ଧାରଣ ଦାବି କରାଯାଇଛି ବୋଲି ସଂଘ ସଭାପତି ସୁଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।