ରାସ୍ତା ଅଭାବ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁର୍ଦ୍ଦଶା

Jun 29, 2026 - 23:27

ଗୁଡ଼ାରୀ: ପୁଣିଥରେ ସାମ୍ନାକୁ ଆସିଛି ରାସ୍ତା ଅଭାବ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁର୍ଦ୍ଦଶା। ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ପ୍ରାୟ ୩ରୁ ୪ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହି ଗାଁକୁ ନେବାକୁ ପଡ଼ିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି।ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କର୍ଲାଘାଟି ପଞ୍ଚାୟତର ପେଟାଖାଲ ଗାଁର ବାସିନ୍ଦା ସେବତୀ ନାରେଙ୍ଗାକା ପ୍ରସବ ପାଇଁ ପ୍ରାୟ ୧୫ ଦିନ ଧରି ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମା’ ଗୃହରେ ରହୁଥିଲେ। ଗତ ୨୬ ତାରିଖରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ରେଫର କରାଯାଇଥିଲା। ହେଲେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଦୁଃଖର ବିଷୟ, ନବଜାତ ଶିଶୁକୁ ମଧ୍ୟ ବଞ୍ଚାଇ ପରାଯାଇନଥିଲା।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗୁଡ଼ାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀରୋଗ ବିଶେଷଜ୍ଞ ନଥିବାରୁ ଜଟିଳ ପ୍ରସବ ହେଲେ ରୋଗୀଙ୍କୁ ଗୁଣୁପୁରକୁ ରେଫର କରାଯାଉଛି। ଠିକ୍ ସମୟରେ ଉନ୍ନତ ଚିକିତ୍ସା ମିଳିଲେ ଏଭଳି ଘଟଣାକୁ ଏଡ଼ାଯାଇପାରିଥାନ୍ତା ବୋଲି ସେମାନେ କହିଛନ୍ତି।ଗୁଣୁପୁରରୁ ଆମ୍ବୁଲାନ୍ସରେ ମୃତଦେହକୁ ହେଣ୍ଡେଡ଼େପା ଆର୍‌ଡି ରାସ୍ତା ପର୍ଯ୍ୟନ୍ତ ଅଣାଯାଇଥିଲା। କିନ୍ତୁ ପେଟାଖାଲ ଗାଁକୁ ସଡ଼କ ସଂଯୋଗ ନଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା। ଫଳରେ ପରିବାର ଲୋକ ଓ ଗ୍ରାମବାସୀମାନେ ମୃତଦେହକୁ ଖଟିଆରେ ବୋହି ଗାଁକୁ ନେଇଥିଲେ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହା ପ୍ରଥମ ଘଟଣା ନୁହେଁ। ରାସ୍ତା ନଥିବାରୁ ପୂର୍ବରୁ ମଧ୍ୟ ଅସୁସ୍ଥ ରୋଗୀ ଏବଂ ମୃତଦେହକୁ ଏଭଳି ଖଟିଆରେ ବୋହିବାକୁ ପଡ଼ିଛି। ବାରମ୍ବାର ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ।