ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ
ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ ଅନୁଷ୍ଠିତ ୩ୟ ଓଡ଼ିଶା ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬ ରେ ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଡୁମେର ପଦର ଗ୍ରାମର କ୍ରୀଡ଼ାବିତ୍ ଶୁଭମ୍ ଶ୍ରୀଚନ୍ଦନ ନାଏକ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଦ୍ବିବିଧ ସଫଳତା ହାସଲ କରିଛନ୍ତି । ଶୁଭମ୍ ହେଉଛନ୍ତି ଥୁଆମୂଳ ରାମପୁର ବ୍ଲକ୍ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଥଥା ବର୍ତ୍ତମାନର ସମିତି ସଭ୍ୟ ରାଇଦାସ ନାଏକଙ୍କ ସୁପୁତ୍ର।
ତାଳଚେର ରାଇଫଲ କ୍ଲବ୍, ଅନୁଗୁଳ ଜିଲା ରାଇଫଲ ଆସୋସିଏସନ୍ ଏବଂ ଓଡ଼ିଶା ରାଇଫଲ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଜୁଲାଇ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଏହି ରାଜ୍ୟସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗୀମାନେ ଭାଗ ନେଇଥିବା ବେଳେ ଶୁଭମ୍ ଶ୍ରୀଚନ୍ଦନ ନାଏକ ନିଜର ନିଖୁଣ ସୁଟିଂ କଳା ପ୍ରଦର୍ଶନ କରି ଗ୍ରୁପ୍ ସୁଟିଙ୍ଗ୍ ବର୍ଗରେ ସ୍ୱର୍ଣ୍ଣ ପଦକ (ପ୍ରଥମ ସ୍ଥାନ) ଏବଂ ସିନିୟର ମ୍ୟାନ୍ ବର୍ଗରେ ବ୍ରୋଞ୍ଜ ପଦକ (ତୃତୀୟ ସ୍ଥାନ) ହାସଲ କରିଛନ୍ତି। ଏହି ଚାମ୍ପିୟନସିପ୍ର ଉଦ୍ଯାପନୀ ଉତ୍ସବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଅନୁଗୁଳର ଅତିରିକ୍ତ ଜିଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ସୁଟର ଶୁଭମ୍ଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
କଳାହାଣ୍ଡିର ଏହି ପଛୁଆ ଦୁର୍ଗମ ଅଞ୍ଚଳରୁ ବାହାରି ରାଜ୍ୟସ୍ତରରେ ଏଭଳି ସଫଳତା ହାସଲ କରି ଚାମ୍ପିୟନ୍ ହୋଇଥିବାରୁ ଏହା ସମଗ୍ର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ସାଜିଛି । ଏହି ସଫଳତା ପାଇଁ ଶୁଭମ୍ ଶ୍ରୀଚନ୍ଦନ ନାଏକଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ, କ୍ରୀଡ଼ାପ୍ରେମୀ, ପରିବାର ଓ ଶୁଭେଚ୍ଛୁମାନଙ୍କ ତରଫରୁ ଅନେକ ଅନେକ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଆଗାମୀ ଦିନରେ ସେ ଜାତୀୟ ସ୍ତରରେ ସୁଟିଂ କ୍ରୀଡ଼ାରେ ଆହୁରି ସୁନାମ ଆଣିବେ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।