‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ
ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଦେଶର ଶିକ୍ଷା ପ୍ରଣାଳୀ ଗମ୍ଭୀର ସଙ୍କଟ ଦେଇ ଗତି କରୁଛି ଏବଂ ଛାତ୍ରଛାତ୍ରୀଙ୍କ ସ୍ୱର ଶୁଣିବା ପରିବର୍ତ୍ତେ ସେମାନଙ୍କ ବିରୋଧରେ ବଳପ୍ରଯୋଗ କରାଯାଉଛି।
ଏହି ସମୟରେ ଏକ ସାଂଘାତିକ ଅଭିଯୋଗ ଆଣି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମ୍ନାରୁ ମୋତେ ଘୋଷାଡ଼ି ନେଉଥିବା ପୋଲିସ କର୍ମଚାରୀ ଜଣକ ନିଜେ କହିଥିଲେ ଯେ- ଏହି ସରକାରକୁ ହଟାନ୍ତୁ।”
ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଜି ସବୁଠାରୁ ବଡ଼ ପ୍ରଶ୍ନ ହେଉଛି- ‘ଛାତ୍ରଛାତ୍ରୀଙ୍କର ଭୁଲ୍ କ’ଣ?’ ତାଙ୍କ କହିବା ଅନୁଯାୟୀ, ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଢଙ୍ଗରେ ନିଜର ଦାବି ଉପସ୍ଥାପନ କରୁଛନ୍ତି ଏବଂ ସେମାନେ କେବଳ ଏକ ନିରପେକ୍ଷ, ସ୍ୱଚ୍ଛ , ଭରସାଯୋଗ୍ୟ ଶିକ୍ଷା ବ୍ୟବସ୍ଥାର ଦାବି କରୁଛନ୍ତି।
ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ କଂଗ୍ରେସ ଏବଂ ସମଗ୍ର ବିରୋଧୀ ମେଣ୍ଟ (INDIA Block) NEET ପେପର୍ ଲିକ୍ ମୁଦ୍ଦାକୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛି। ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ଯେ ଯେପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ନମିଳିଛି ଏବଂ ଦେଶର ଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଇଛନ୍ତି, ସେପର୍ଯ୍ୟନ୍ତ ସଡ଼କରୁ ସଂସଦ ପର୍ଯ୍ୟନ୍ତ ଏହି ପ୍ରତିବାଦ ଜାରି ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।