ରାଜ୍ୟରେ ବଢ଼ିବ ଚିନି ଉତ୍ପାଦନ, ଆଖୁଚାଷକୁ ମିଳିବ ପ୍ରୋତ୍ସାହନ: ଓୟୁଏଟି ବାହାର କରିଛି ୬ ପ୍ରକାରର ଆଖୁ କିସମ, ଖୋଲିବ ସ୍ୱତନ୍ତ୍ର କ୍ୟାମ୍ପସ୍
ଭୁବନେଶ୍ୱର,୧୩/୦୭: ରାଜ୍ୟରେ ଚିନି ଉତ୍ପାଦନ ବୃଦ୍ଧି କରାଯିବ । ୩୬୦ କୋଟି ଖର୍ଚ୍ଚରେ ବଡ଼ମ୍ବା ଚିନିକଳର ପୁନରୁଦ୍ଧାର ହେବ । ସେହିପରି ଆଗକୁ ନୟାଗଡ଼ ଚିନିକଳ ବି ଚାଲିବ । ଚିନି ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟରେ ଅଧିକ ଆଖୁ ଚାଷ କରାଯିବ । ଆଖୁ ଚାଷର ଉନ୍ନତି ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସ୍ୱତନ୍ତ୍ର ରଣକୌଶଳ ଆପଣାଇଛି । ଆଖୁ ଉପରେ ଅଧିକ ଗବେଷଣା ପାଇଁ ଖୋଲିବ ଓୟୁଏଟିର ସ୍ୱତନ୍ତ୍ର କ୍ୟାମ୍ପସ୍ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଓୟୁଏଟି କୁଳପତି ପ୍ରଫେସର ପି କେ ରାଉଳଙ୍କ ସୂଚନା ମୁତାବକ ରାଜ୍ୟରେ ଏଣିକି ଉଚ୍ଚ ଅମଳକ୍ଷମ ଆଖୁ ଚାଷ କରାଯିବ । ଇଥାନଲ୍ ପାଇଁ ସହାୟକ ହେବ । କୀଟ/ରୋଗ ପ୍ରତିରୋଧ କରିବା ସହିତ ମରୁଡ଼ି ସହନଶୀଳତା କିସମଗୁଡ଼ିକୁ ଓୟୁଏଟିର ସ୍ୱତନ୍ତ୍ର କ୍ୟାମ୍ପସରେ ବିକାଶ କରାଯିବ । ଚାରା ରୋପଣ ବେଳେ ବଡ୍ ଚିପ୍ ଟେକ୍ନୋଲୋଜି, ପୂର୍ବ ଅଙ୍କୁରିତ ଚାରା, ଟିସୁ କଲଚର୍, ମାଇକ୍ରୋ-ପ୍ରୋପାଗେସନ୍ ପ୍ରମୁଖ ଜ୍ଞାନ କୌଶଳ ଆପଣାଇବାକୁ ଚେଷ୍ଟା କରାଯିବ ।
ଅଧିକ ପଢ଼ନ୍ତୁ :- Unidentified Body: ୧୦ ବର୍ଷରେ ୩୧୪ ମୃତଦେହର ମିଳିନି ପରିଚୟ, ଶବ ଚିହ୍ନିବାରେ କଟକ ପୁଲିସ ଫେଲ୍
ସେହିପରି ଲାଭଦାୟକ ଆଖୁ-ଭିତ୍ତିକ ଆନ୍ତଃଫସଲ ପ୍ରଣାଳୀର ମାନକୀକରଣ ନିର୍ଦ୍ଧାରଣ କରାଯିବ । ଚାଷୀଟିଏ ବହୁବିଧ ଚାଷ କରି ଯେପରି ଲାଭବାନ ହୋଇ ପାରିବ ସେ ବାବଦରେ ଓୟୁଏଟି ତାଲିମ ଦେବ । ଆଖୁ ଚାଷରେ ଉନ୍ନତ ମାନର ନାନୋ-ସାର ଏବଂ ଜଳରେ ଦ୍ରବଣୀୟ ସାର ପ୍ରୟୋଗ, ଉପଯୁକ୍ତ କୃଷି ଯାନ୍ତ୍ରିକୀକରଣ ବାବଦରେ ତାଲିମ ଦିଆଯିବ । କେଉଁ ଅଞ୍ଚଳରେ ତଥା କେଉଁ ଜଳବାୟୁରେ ଉନ୍ନତ ମାନର ଆଖୁ ଚାଷ ହୋଇପାରିବ, ସେ ନେଇ ଅନୁସନ୍ଧାନ କରାଯିବ । ଚାଷ ବେଳେ କୀଟପତଙ୍ଗ ହେଲେ ତାହାକୁ କିଭଳି ରାସାୟନିକ ଦ୍ରବ୍ୟ ପ୍ରୟୋଗ ନକରି ଜୈବିକ ଉପାୟରେ ସମାଧାନ କରିହେବ, ସେ ନେଇ ମଡେଲର ବିକାଶ କରାଯିବ । ଆଖୁର ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି, ଉତ୍ପାଦ ବିବିଧତା ଏବଂ ଜୈବ ଅର୍ଥନୀତି ପଦକ୍ଷେପରେ ନବସୃଜନ ଅଣାଯିବ । ଗ୍ରାମାଞ୍ଚଳରେ କୃଷି-ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜୈବ ଗୁଡ଼ ଉତ୍ପାଦନ ପାଇଁ ପ୍ରଯୁକ୍ତିବିଦ୍ୟା ତାଲିମ ଦିଆଯିବ । ଆବଶ୍ୟକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବା ଏଆଇର ସାହାଯ୍ୟ ନିଆଯିବ ବୋଲି ପ୍ରଫେସର ରାଉଳ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଓଡ଼ିିଶାରେ ୧୯.୨ ହଜାର ହେକ୍ଟରରେ ଆଖୁ ଚାଷ ହେଉଛି । ପାଖାପାଖି ୧୪୫୩ ହଜାର ଟନ୍ ମୋଟ ଆଖୁ ଉତ୍ପାଦନ ହେଉଥିବା ବେଳେ ହେକ୍ଟର ପିଛା ହାରାହାରି ୭୫.୬୮ ଟନ୍ ଉତ୍ପାଦନ ହେଉଛି । ରାଜ୍ୟର ବିଭିନ୍ନ କୃଷି-ଜଳବାୟୁ ଜୋନ୍ ହୋଇଥିଲେ ସୁଦ୍ଧା କୋରାପୁଟ, ନବରଙ୍ଗପୁର, କଟକ, ଯାଜପୁର, ଢ଼େଙ୍କାନାଳ, ଏବଂ ନୟାଗଡ଼ ହେଉଛି ପ୍ରମୁଖ ଆଖୁ ଉତ୍ପାଦନ ଜିଲ୍ଲା । ତେବେ ପୂର୍ବରୁ ୨୦.୭୮ ହଜାର ହେକ୍ଟରରେ ଆଖୁ ଚାଷ ହେଉଥିବାବେଳେ ଏବେ ଏହା ୧୯.୨ ହଜାର ହେକ୍ଟରକୁ ଖସିଛି । ଉତ୍ପାଦନ ମଧ୍ୟ ୧୫୦୧.୭୨ ହଜାର ଟନ୍ରୁ ୧୪୫୩.୦୩ ହଜାର ଟନକୁ ଖସିଛି । ହେଲେ ହେକ୍ଟର ପିଛା ଉତ୍ପାଦନ ସାମାନ୍ୟ ବୃଦ୍ଧି ପାଇଛି । ପୂର୍ବରୁ ଆମ ରାଜ୍ୟରେ ହେକ୍ଟର ପିଛା ୭୨.୨୭ ଟନ୍ ଉତ୍ପାଦନ ହେଉଥିବା ବେଳେ ଏବେ ଏହା ୭୫.୬୮ଟନରେ ପହଞ୍ଚିଛି ।
ଏହି ଫସଲ କରିବା ଦ୍ୱାରା ୨୦୩୦ ସୁଦ୍ଧା ଇଥାନଲ ମିଶ୍ରଣକୁ ୨୦%କୁ ବୃଦ୍ଧି କରିବାର ଜାତୀୟ ଲକ୍ଷ୍ୟ ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଘରୋଇ ଇନ୍ଧନ ଉତ୍ପାଦନକୁ ମଜଭୁତ କରିବ । ଗୁଡ଼ ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀ, ଏହାର ମୂଲ୍ୟଯୁକ୍ତ ଉତ୍ପାଦ, ପ୍ୟାକେଜ୍ ଆଖୁ ରସର ବର୍ଦ୍ଧିତ ଚାହିଦାକୁ ମୁକାବିଲା କରିବା ନେଇ ଓଡ଼ିଶାକୁ ଆଖୁ ଭିତ୍ତିକ ଏକ ହବ୍ କରିବାରେ ସହାୟକ ହେବ । ତେବେ ଓୟୁଏଟି ୬ ପ୍ରକାର ଆଖୁ କିସମ ବାହାର କରିଛି । ସେଥି ମଧ୍ୟରୁ ୪ଟି ସହଳ କିସମ ହୋଇଥିବା ବେଳେ ୨ଟି ମଧ୍ୟମ ବିଳମ୍ବ କିସମ । ସବିତା, ନୀଳମାଧବ, ନୀଳଚକ୍ର ଓ କଳିଙ୍ଗ ଆଖୁ - ୩୪୬ ସହଳ କିସମ ହୋଇଥିବା ବେଳେ ରଘୁନାଥ ଓ ଚର୍ଚ୍ଚିକା ମଧ୍ୟମ ବିଳମ୍ବ କିସମ ବୋଲି ସୂଚନା ମିଳିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।