Welcome!

Unlock your personalized experience.
Sign Up

ଡିଜେ ସାଉଣ୍ଡ୍‌ରେ ଅତିଷ୍ଠ ହୋଇ ପିସିଆରକୁ କରିଥିଲେ କଲ୍, ବରଯାତ୍ରୀଙ୍କ ସାମ୍ନାରେ ଆଇନଜୀବୀଙ୍କୁ ଧରାଇଦେଲେ ମୂଳିଆ ବାବୁ

Jul 13, 2026 - 14:23
ଡିଜେ ସାଉଣ୍ଡ୍‌ରେ ଅତିଷ୍ଠ ହୋଇ ପିସିଆରକୁ କରିଥିଲେ କଲ୍, ବରଯାତ୍ରୀଙ୍କ ସାମ୍ନାରେ ଆଇନଜୀବୀଙ୍କୁ ଧରାଇଦେଲେ ମୂଳିଆ ବାବୁ

ଭୁବନେଶ୍ୱର,୧୩/୦୭: ହେଲୋ... । ଆଜ୍ଞା, ଏଇଟା ପୁଲିସ କଣ୍ଟ୍ରୋଲ ରୁମ୍ ତ । ଏବେ ରାତି ପ୍ରାୟ ୧୧ଟା । ଆମ ଗଳିରେ ଏକ ବାରଯାତ୍ରୀ  ଡିଜେ ସାଉଣ୍ଡ ବାଜୁଛି । ଅହରହ ବାଣ ଫୁଟୁଛି । ଡିଜେ ଓ ଗଡ଼ମା ବାଣର ଛାତିଥରା ଗର୍ଜନରେ ଶୋଇ ହେଉନି । ପ୍ରାୟ ଅଧ ଘଣ୍ଟା ଧରି ଏମିତି ତାମସା ଚାଲିଛି । ଜଲ୍‌ଦି  କିଛି କରନ୍ତୁ ।

‘ଜରୁରୀ ସେବା-୧୧୨’କୁ ଏଭଳି କିଛି ଅଭିଯୋଗ ଜଣେ ପ୍ରାପ୍ତ ବୟସ୍କ ବରିଷ୍ଠ ଆଇନ୍‌ଜୀବୀଙ୍କୁ ମହଙ୍ଗା ପଡିଛି । ବାରାତ୍‌କୁ ବନ୍ଦ କରିବା ବଦଳରେ ପିସିଆର୍ କର୍ମଚାରୀ ବରଯାତ୍ରୀମାନଙ୍କୁ ଅଭିଯୋଗକାରୀଙ୍କ ନାମ, ଠିକଣା ଦେଇଛନ୍ତି । ଯାହାକୁ ନେଇ ଆଇନଜୀବୀଜଣକ ବେଶ୍ ହଇରାଣ ହୋଇଛନ୍ତି । ରବିଟକିଜ୍‌ର ଟଙ୍କପାଣି ରୋଡରୁ ଏଭଳି ସମ୍ବେଦନଶୀଳ ଘଟଣା ସାମନାକୁ ଆସିଛି । ଅଭିଯୋଗକାରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ପିସିଆର କର୍ମଚାରୀଙ୍କ ଦାୟିତ୍ୱହୀନତା ପଦାରେ ପଡ଼ିଛି ।

ରବିବାର ବିବାହ ତିଥି ଥିବାରୁ ରବିଟକିଜ୍ ଛକରୁ ଟଙ୍କପାଣି ରୋଡରେ ପ୍ରାୟ ଅଧ ଡଜନେ ବରଯାତ୍ରୀଙ୍କ ଶୋଭାଯାତ୍ରା ଯାଇଥିଲା । ଚିଲ୍ଲି ପୋଖରୀ ନିକଟରେ ଅଧିକାଂଶ ମଣ୍ଡପ ଥିବାରୁ ସେଠାକାର ବାସିନ୍ଦା ସନ୍ଧ୍ୟାରୁ ରାତି ୧୦ଟା ଯାଏ ଡିଜେ ଓ ବାଣ ଶଦ୍ଦରେ ନାକେଦମ ହୋଇଥିଲେ । କିନ୍ତୁ ଏହି ବରଯାତ୍ରୀ ପ୍ରୋସେସନଟି ରାତି ସାଢ଼େ ୧୦ଟା ପରେ ବି ବାଜୁଥିଲା । ଆଇନଜୀବୀଙ୍କ ସମେତ ଉକ୍ତ ଇଲାକାର ଅନ୍ୟ ଲୋକମାନେ ଶୋଇପାରୁ ନଥିଲେ । କିଛି ସ୍ଥାନୀୟ ବାସିନ୍ଦା ବରଯାତ୍ରୀଙ୍କୁ ବୁଝାସୁଝା କରିବା ସତ୍ତେ୍ୱ କିିଛି ଫଳ ମିଳିଲା ନାହିଁ ।

ଶେଷରେ ଆଇନଜୀବୀ ଜଣକ ଡାଏଲ୍-୧୧୨କୁ ଫୋନ୍ କରି ଅଭିଯୋଗ କଲେ । ଏର୍ମଜେନ୍ସି ରେସପୋନ୍ସ ସର୍ପୋଟ ସିଷ୍ଟମ (ଇଆର୍‌ଏସ୍ଏସ୍) କଣ୍ଟ୍ରୋଲ ରୁମ୍‌ର ଏଜେଣ୍ଟ ତୁରନ୍ତ ନିକଟସ୍ଥ ପିସିଆର ଭ୍ୟାନ୍‌କୁ ସବିଶେଷ ତଥ୍ୟ ଦେଇଥିଲା । ଆଇନ୍‌ଜୀବୀଙ୍କ ମୋବାଇଲ୍ ନଂ ମଧ୍ୟ ଦେଲା । ପିସିଆର ଦାୟିତ୍ୱରେ ଥିବା ‘ମୂଳିଆ’ ବାବୁ ଅଳ୍ପ କେଇଟା ମିନିଟ୍‌ ଘଟଣାସ୍ଥଳରେ ପହଞ୍ଚିଗଲେ । କିନ୍ତୁ ସେ ବରଯାତ୍ରୀଙ୍କୁ କିଛି କହିଲେନି । ଓଲଟି ସେମାନଙ୍କ ସାମ୍ନାରେ ଫୋନ୍ କରି ଆଇନ୍ଜୀବୀଙ୍କୁ ଏକରକମର ଜେରା କଲେ । ଆଇନ୍‌ ଜୀବୀଜଣକ ଫୋନ୍ କଲ୍‌ରେ ଥିବା ବେଳେ ତାଙ୍କ ନାମଠାରୁ ଠିକଣା ସବୁ କିଛି ବରଯାତ୍ରୀଙ୍କ ସାମ୍ନାରେ ବଖାଣିଲେ । ଏପଟେ ମାତାଲ୍ ଥିବା କିଛି ବରଯାତ୍ରୀଙ୍କ ହୋ-ହଲ୍ଲା ଓ ଗାଳିଗୁଲଜ ଶୁଣି ଆଇନ୍‌ଜୀବୀଙ୍କ ଆଖିରୁ ନିଦ ହଜିଗଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।