ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ଜୋର୍‌ସୋରରେ ପ୍ରସ୍ତୁତି : ୧୩ରୁ ୧୫ ତାରିଖ ଯାଏ ଚାଲିବ ଏହି ସବୁ କାର୍ଯ୍ୟକ୍ରମ

Jun 11, 2026 - 20:33
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ଜୋର୍‌ସୋରରେ ପ୍ରସ୍ତୁତି : ୧୩ରୁ ୧୫ ତାରିଖ ଯାଏ ଚାଲିବ ଏହି ସବୁ କାର୍ଯ୍ୟକ୍ରମ

ଛତ୍ରପୁର, ୧୧।୬ (ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ଦୁଇବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲାରେ ଜିଲା, ବ୍ଲକ ଓ ଗ୍ରାମ ପଞ୍ଚାୟତସ୍ତରରେ ପ୍ରଦର୍ଶନୀ ମେଳା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏନେଇ ଆଜି ଜିଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜିଲାସ୍ତରରେ ଓ ବ୍ଲକ ଏବଂ ପଞ୍ଚାୟତସ୍ତରରେ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଜିଲାସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ୧୩ ତାରିଖ ଦିନ ମନ୍ତ୍ରୀ, ଜନପ୍ରତିନିଧି ଓ ଅନ୍ୟାନ୍ୟ ମାନ୍ୟଗଣ୍ୟବ୍ୟକ୍ତିଙ୍କ ଉପସ୍ଥିତିରେ କରାଯିବ । ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଓ ସଫଳତାକୁ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ କରାଯିବ। ଏଥିରେ ଓଡ଼ିଆ ସଂସ୍କୃତି ଓ ସ୍ବାଭିମାନ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା, ପଦ୍ମ ପୁରସ୍କାର ବିଜେତାଙ୍କୁ ଆର୍ଥିକ ସହାୟତା, ଓଡ଼ିଆ ପକ୍ଷ ପାଳନ, ଜିଲ୍ଲାସ୍ତରୀୟ ପୁସ୍ତକ ମେଳା, ଓଡ଼ିଶୀ ନୃତ୍ୟ ଶିକ୍ଷା କାର୍ଯ୍ୟକ୍ରମ, କଳାକାର ଗୌରବ ନିଧି ପ୍ରଦର୍ଶିତ ହେବ। ସେହିପରି ନାରୀ ସଶକ୍ତୀକରଣ କ୍ଷେତ୍ରରେ ୱାନ ଷ୍ଟପ ସେଣ୍ଟର, ନାରୀ ଅଦାଲତ, ଶକ୍ତିଶ୍ରୀ, ଛାତ୍ରୀଙ୍କ ପାଇଁ ମାଗଣା ଶିକ୍ଷା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଧାନ ସଂଗ୍ରହ ଓ ଦକ୍ଷତା ପୁରସ୍କାର ଆଦିର ସଫଳ କାର୍ଯ୍ୟକାରିତା ଲୋକଙ୍କ ସମ୍ମୁଖରେ ଉପସ୍ଥାପିତ କରାଯିବ । ଏହି ପ୍ରଦର୍ଶନୀ ମେଳାରେ ବିଭିନ୍ନ ଖାଦ୍ୟ ଷ୍ଟଲ, ରଜ ପାନ ଷ୍ଟଲ ଆଦି ରହିବ । ଜିଲାପାଳ ଭାସନ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବିଭାଗୀୟ ସହଯୋଗ କାମନା କରିଛନ୍ତି। ବୈଠକରେ ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପଳ ସଚ୍ଚିଦାନନ୍ଦ ନାୟକ ଗଞ୍ଜାମ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା,ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।