ରାଜ୍ୟ ସଭା ଉପନିର୍ବାଚନ ପାଇଁ ୪ ସେଟ୍‌ ଫର୍ମ କିଣିଲେ ଉପାସନା: ଆରମ୍ଭ ହୋଇଗଲାଣି ଚର୍ଚ୍ଚା

Jun 02, 2026 - 12:58

ଭୁବନେଶ୍ୱର,୨।୬(ରବିନାରାୟଣ ଜେନା):ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟ ସଭାର ଆସନର ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ଜାରି ହେବାର ପ୍ରଥମ ଦିନରେ ୪-ସେଟ୍‌ ଫର୍ମ ବିକ୍ରି ହୋଇଛି। ଭାଜପା ବିଧାୟିକା ଉପାସନା ମହାପାତ୍ର ରିଟର୍ନିଂ କାର୍ଯ୍ୟାଳୟରୁ ୪-ସେଟ୍‌ ଫର୍ମ କିଣିଛନ୍ତି। ତେବେ ଏହି ଫର୍ମ ଦଳ ତରଫରୁ କିଣିଛନ୍ତି ନା ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ରହିଛି ସେନେଇ ଉପାସନା ସ୍ପଷ୍ଟ କରି ନାହାନ୍ତି।

ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟ ସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ଲାଗି ଭାରତର ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି। ଓଡ଼ିଶା ବିଧାନସଭା ସଚିବ ସତ୍ୟବ୍ରତ ରାଉତ ରିଟର୍ନିଂ ଅଫିସର ଭାବେ ନିଯୁକ୍ତ ହୋଇଥିବାବେଳେ ବିଦ୍ୟାଧର ମାଝୀ ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି। ଏସଂକ୍ରାନ୍ତରେ ସୋମବାର ବିଧାନସଭା ସଭାକକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଚିବ ତଥା ଉପନିର୍ବାଚନ ରିଟର୍ନିଂ ଅଫିସର ରାଉତ କହିଛନ୍ତି, ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ମେ’୨୫ରେ ଇସ୍ତଫା ପ୍ରଦାନ କରିଛନ୍ତି। ସେହି ଖାଲିପଡିଥିବା ଗୋଟିଏ ପଦବୀ ପୂରଣ ଲାଗି ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଖାଲି ପଡ଼ିଥିବା ଏହି ପଦ ପାଇଁ ସରକାରୀ ଛୁଟିଦିନ ବ୍ୟତୀତ ପୂର୍ବାହ୍ନ ୧୧ଟାଠାରୁ ଅପରାହ୍ନ ୩ ଟା ମଧ୍ୟରେ ମନୋନୟନ ପତ୍ର ଦାଖଲ କରାଯାଇପାରିବ। ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜୁନ୍‌ ୮ ରଖାଯାଇଛି।
ସେହିପରି ମନୋନୟନ ପତ୍ର ଯାଞ୍ଚ ଜୁନ୍‌ ୯ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ଓଡ଼ିଶା ବିଧାନସଭା ସୌଧର ସମ୍ମିଳନୀ କକ୍ଷ (ତଳ ମହଲା)ରେ କରାଯିବ। ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ଜୁନ୍‌ ୧୧ (ଗୁରୁବାର) ଅପରାହ୍ନ ୩ଟା ରଖାଯାଇଛି।
ଯଦି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୁଏ ତେବେ ଜୁନ୍‌ ୧୮ (ଗୁରୁବାର) ପୂର୍ବାହ୍ନ ୯ଟାଠାରୁ ଅପରାହ୍ନ ୪ଟାମଧ୍ୟରେ ଓଡ଼ିଶା ବିଧାନସଭା ସୌଧର କମିଟି ପ୍ରକୋଷ୍ଠ ନଂ-୫୪ରେ ଭୋଟ ଗ୍ରହଣ କରାଯିବ ଓ ସେହିଦିନ ଫଳାଫଳ ପ୍ରକାଶ ପାଇବ ବୋଲି ସଚିବ ରାଉତ କହିଛନ୍ତି।

Dharitri – Odisha’s No.1 Odia Daily

 

The post ରାଜ୍ୟ ସଭା ଉପନିର୍ବାଚନ ପାଇଁ ୪ ସେଟ୍‌ ଫର୍ମ କିଣିଲେ ଉପାସନା: ଆରମ୍ଭ ହୋଇଗଲାଣି ଚର୍ଚ୍ଚା appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।