ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

Jul 11, 2026 - 17:26
ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା ଘଟଣାକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଗୁରୁତର ସହ ଗ୍ରହଣ କରିଛନ୍ତି। ଏହି ଘଟଣାକୁ ନେଇ କମିଶନ ସମ୍ପୃକ୍ତ ପକ୍ଷଙ୍କୁ ୭ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନୋଟିସ ଜାରି କରିଛନ୍ତି।

ସୂଚନାନୁସାରେ, ଗତ ୧୦ ଜୁଲାଇ ଝାରସୁଗୁଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ଆୟୋଜିତ ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନରେ ରାଜ୍ୟ ଯୁବ ବିଜେଡି ସଭାପତି ଇପ୍ସିତା ସାହୁ ଏବଂ ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ନେତୃତ୍ୱରେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରୀଙ୍କୁ ସାମିଲ କରାଯାଇଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣା ସମ୍ପର୍କିତ ଫଟୋ ଓ ଭିଡିଓ ପ୍ରମାଣ କମିଶନଙ୍କ ନିକଟରେ ଦାଖଲ ହେବା ପରେ କମିଶନ ଅଧ୍ୟକ୍ଷା ବବିତା ପାତ୍ର ପ୍ରାଥମିକ ଯାଞ୍ଚ କରିଥିଲେ। ଯାଞ୍ଚ ପରେ କମିଶନ କହିଛନ୍ତି ଯେ, ବିଦ୍ୟାଳୟ ସମୟରେ ପିଲାମାନଙ୍କୁ ଶିକ୍ଷାରୁ ବଞ୍ଚିତ କରି ପ୍ରଖର ଖରା, ନିଆଁ ଓ ଧୂଆଁ ଭଳି ଅସୁରକ୍ଷିତ ପରିବେଶରେ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ କରିବା ଶିଶୁ ସୁରକ୍ଷା ଆଇନ ଓ ସାମ୍ବିଧାନିକ ଅଧିକାରର ସ୍ପଷ୍ଟ ଉଲ୍ଲଂଘନ।

କମିଶନ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏଭଳି କାର୍ଯ୍ୟ ଶିଶୁ ନ୍ୟାୟ (JJ) ଅଧିନିୟମ ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ଅନୁଯାୟୀ ଅପରାଧିକ ମାମଲାର ପରିସରଭୁକ୍ତ।

ଶିଶୁ ଅଧିକାର ସୁରକ୍ଷା କମିଶନ ଆଇନ, ୨୦୦୫ର ଧାରା–୧୩ ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ କମିଶନ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଘଟଣାରେ ସମ୍ପୃକ୍ତ ୧ରୁ ୪ ନମ୍ବର ପ୍ରତିପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ୭ ଦିନ ମଧ୍ୟରେ ଲିଖିତ ଜବାବ ଦାଖଲ କରିବାକୁ କୁହାଯାଇଛି। ସେମାନଙ୍କ ବିରୋଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେନେଇ ସ୍ପଷ୍ଟୀକରଣ ମଧ୍ୟ ମଗାଯାଇଛି।

ଅନ୍ୟପକ୍ଷରେ, ୫ରୁ ୭ ନମ୍ବର ପ୍ରତିପକ୍ଷଙ୍କୁ ଘଟଣାର ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୭ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ (ATR) ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଏହାଛଡ଼ା ଶିକ୍ଷାର ଅଧିକାର ଆଇନ (RTE), ୨୦୦୯, ପୋକ୍ସୋ ଆଇନ, ୨୦୧୨ ଏବଂ ଜୁଭେନାଇଲ ଜଷ୍ଟିସ (JJ) ଆଇନ, ୨୦୧୫ର କଡ଼ା ଅନୁପାଳନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ମଧ୍ୟ କମିଶନ ନିର୍ଦ୍ଦେଶନାମାର ନକଲ ପ୍ରେରଣ କରିଛନ୍ତି।

ଏହି ଘଟଣାରେ ଶିଶୁ ଅଧିକାର କମିଶନଙ୍କ କଡ଼ା ପଦକ୍ଷେପ ପରେ ଝାରସୁଗୁଡ଼ା ଜିଲାରେ ରାଜନୈତିକ ହଲଚଲ ବଢ଼ିଥିବା ଦେଖିବାକୁ ମିଳିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।