ରଜ

ଗ୍ରୀଷ୍ମର ଦାରୁଣ ଭିତରେ ଖୁସି ଆଣିଥାଏ ରଜ ପର୍ବ । ନାରୀର ସମ୍ମାନରେ ପାଳନ ହେଉଥିବା ଏହି ପର୍ବକୁ ସମସ୍ତେ ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାଆନ୍ତି । ଚାରିଦିନ ଧରି ପାଳନ ହେଉଥିବା ଏହି ପର୍ବର ବାସ୍ନାରେ ପୁରି ଉଠେ ପୁରପଲ୍ଲୀ ।
ରଜ ଓଡ଼ିଶାର ଏକ ପାରମ୍ପରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
ବିଶେଷତ୍ୱ
ଆଷାଢ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ, ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା'ନ୍ତି । ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମଦେଶରେ ମାଟି ମା' ବହୁ କିସମର ଫସଲ ଆମକୁ ଦେଇଥାଏ । ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିାଇଁ ଭୂ ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଜଣେ ନାରୀଭାବେ ଆଗାମୀ ଦିନରେ କି କି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ, ଏହି ରଜ ପର୍ବ ପାଳନ ଅବସରରେ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳିଥାଆନ୍ତି । ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାରସଂହିତା ତାକୁ ସହାୟ ହୋଇଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି । ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ବିଶ୍ରାମ ମିଳିଥାଏ ତାଙ୍କୁ । ଠିକ ସେହିପରି ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି । ରଜପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମାତାର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲାଇପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ସ୍ୱଅନୁଭୂତିରୁ ଶିଖି ସଂସାର ନିୟମ ଶିଖାଇବେ ।
ପାଳନ
ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି । ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇଥାଏ।ପରମ୍ପରା ଅନୁସାରେ ଏହି ଦିନ ଭୂମି ଉପରେ ଖାଲିପାଦରେ ଚାଲିବାକୁ ମନା କରାଯାଇଥାଏ । କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ, ଅଧିକାଂଶ ସମୟ ଦୋଳିରେ ଝୁଲନ୍ତି ଏବଂ ଗୁଆ ଖୋଳପା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି ।
ବସୁମତୀ ସ୍ନାନ
ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ। ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।