ଯେଣେତେଣେ ବିଭାଜନ
ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ ଥିଲେ, ଦିନ କେଇଟାରେ ବ୍ୟବସ୍ଥାରେ ଫରକ ଦେଖାଇପାରିଲା ସାମ୍ପ୍ରତିକ ଛାତ୍ର ଆନ୍ଦୋଳନ। ଅଭିଜିତ୍ ଦୀପ୍କେଙ୍କ ସୋସିଆଲ ମିଡିଆରେ ସୃଷ୍ଟ କକ୍ରୋଚ ଜନତା ପାର୍ଟି(ସିଜେପି) କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପଦରୁ ହଟାଇ ଦେବା ସହ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆସିପାରେ ବୋଲି ବିଶ୍ୱାସ ଜନ୍ମାଇଛି। ଏଥିରେ ମୂଳ କଥା ଥିଲା ପ୍ରତ୍ୟେକଟି ତ୍ରୁଟି ପାଇଁ କିଏ ଜଣେ ମୁଣ୍ଡି ଉତ୍ତରଦାୟୀ ହେବାକୁ ବାଧ୍ୟ। ଏବେ ସିଜେପିକୁ ନକଲ କରାଯାଇ ଅନ୍ୟାନ୍ୟ ଅଭିଯାନ ମୁଣ୍ଡ ଟେକିଲାଣି। ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ବିରୋଧ କରି ଦିଲ୍ଲୀର କେତେକ ପରିବହନ ସଂସ୍ଥା ବିଶୁଦ୍ଧ ପେଟ୍ରୋଲ ଦାବିରେ ଅଗଷ୍ଟ ୪ରେ ସଂସଦ ଭବନ ପର୍ଯ୍ୟନ୍ତ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରିବାକୁ ଡାକରା ଦେଇଛନ୍ତି। ଏହାକୁ ନେଇ ‘ଇ-୨୦ ଜନତା ପାର୍ଟି’ ଗଢ଼ି ଉଠିଲାଣି। ଫଳରେ ଇନ୍ଷ୍ଟାଗ୍ରାମ୍ରେ ଏହାର ଅନୁଗାମୀଙ୍କ ସଂଖ୍ୟା ୨,୭୭,୦୦୦ ଅତିକ୍ରମ କରିଥିବା ଦେଖାଗଲାଣି। କେତେକେ ଖୋଲାଖୋଲି କହିବା ଆରମ୍ଭ କଲେଣି ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଳି। ସମ୍ଭବତଃ ଏ ଦିଗରେ ଆଗକୁ କିଛି ଘଟିପାରେ ବୋଲି ଆଲୋଚନା ହେଲାଣି। କିନ୍ତୁ ବାସ୍ତବରେ ପେଟ୍ରୋଲ ସହିତ ଇଥାନଲ ମିଶାଇବାର ନିଷ୍ପତ୍ତି ଓ ଦାୟିତ୍ୱ ହେଉଛି ପେଟ୍ରୋଲିୟମ ମନ୍ତ୍ରଣାଳୟର, ଯାହାର ମନ୍ତ୍ରୀ ହେଲେ ଏପ୍ଷ୍ଟିନ ଫାଇଲରେ ନାମିତ ହରଦୀପ ସିଂ ପୁରୀ। ଏଭଳି ସ୍ଥଳେ ଯେଉଁ ନୂଆ ପ୍ରସଙ୍ଗ ବେଗବାନ ହେଲାଣି, ତାହା ହେଉଛି ଦେଶରୁ ସଂରକ୍ଷଣ ହଟାଇବା ଅଭିଯାନ। ଆଣ୍ଟି-ରିଜର୍ଭେଶନ ଜନତା ପାର୍ଟି ନାମରେ ସୃଷ୍ଟି କରାଯାଇଥିବା ଇନ୍ଷ୍ଟାଗ୍ରାମ୍ ପେଜ୍ରେ ସାଢ଼େ ୪ ମିଲିୟନ୍ ଅର୍ଥାତ୍ ୪୫ ଲକ୍ଷରୁ ଅଧିକ ଅନୁଗାମୀ ହୋଇସାରିଲେଣି। ଏହି ପେଜ୍ ଜାତିଭିତ୍ତିକ ସଂରକ୍ଷଣ ଓ ଜାତି ଜନଗଣନା ଉଚ୍ଛେଦ ପାଇଁ ଅଭିଯାନ ଆରମ୍ଭ କରିଛି। ଏହାକୁ ଛାତ୍ର ଆନ୍ଦୋଳନର ଏକ ସମାନ୍ତରାଳ ପ୍ରତିବାଦ ଭାବରେ ଉପସ୍ଥାପନ କରାଯାଉଛି।
ଏଠାରେ ସ୍ବାଭାବିକ ଭାବେ ଚିନ୍ତା କରାଯାଇପାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)ର ଏକ ମୁଖ୍ୟ ଲକ୍ଷ୍ୟ ହିନ୍ଦୁ ସମାଜକୁ ଏକଜୁଟ କରାଇବା। ବ୍ରାହ୍ମଣିଆ ଚିନ୍ତାଧାରାରେ ପରିଚାଳିତ ସଂଘର ବ୍ୟବସ୍ଥାରେ ସଂରକ୍ଷଣ ଭଳି ସରକାରୀ ପଦ୍ଧତିକୁ ଭାଙ୍ଗିବାର ଉଦ୍ଦେଶ୍ୟ ଥାଇପାରେ। କିନ୍ତୁ ଏହି ଦୁଇ ଚିନ୍ତାଧାରାର ମିଳନ କରିବା ସହଜ ନୁହେଁ। ସଂରକ୍ଷଣ ଲୋପ କଲେ ଉଚ୍ଚ ଜାତିର ସମର୍ଥନ ଅନେକାଂଶରେ ଭାଜପାକୁ ଯିବ। ତେବେ ଦଳିତ ଓ ଆଦିବାସୀଙ୍କ ଭୋଟ ସେହିଭଳି ଭାବେ ଭାଜପାଠାରୁ ଦୂରେଇଯିବାର ଆଶଙ୍କା ରହିଛି। ଭାରତୀୟ ରାଜନୀତିରେ ଏବେ ଯିଏ ସଂରକ୍ଷଣକୁ ଛୁଇଁବ, ତାହାର ନିର୍ବାଚନରେ ପରାଜୟ ହେବା ପ୍ରାୟତଃ ସୁନିଶ୍ଚିତ। ସମ୍ଭବତଃ ସଂରକ୍ଷଣ ବିରୋଧୀ ମଞ୍ଚ ସୃଷ୍ଟି କରାଯିବା ପଛରେ ଯନ୍ତରମନ୍ତରର ‘ଜେନ୍ ଜି’ ପ୍ରତିବାଦକୁ ପାଣିଚିଆ କରିଦେବାର ଉଦ୍ଦେଶ୍ୟ ଥାଇପାରେ। ତାହା କେତେଦୂର ସଫଳ ହୋଇପାରିବ ସେ କଥା ଭବିଷ୍ୟତରେ ଜଣାପଡ଼ିବ। ଯନ୍ତରମନ୍ତର ପ୍ରତିବାଦ ବେଳେ କ୍ଷମତାସୀନ ଦଳ ଏବଂ ନେତାଙ୍କୁ ଯେଉଁପ୍ରକାର ଅଭଦ୍ର ଭାଷାରେ ଗାଳିଗୁଲଜ କରି ଛାତ୍ରୀଛାତ୍ରମାନେ ପରିହାସ କଲେ, ସେଥିରେ ନିଜକୁ ସର୍ବେସର୍ବା ଭାବୁଥିବା ନେତୃବୃନ୍ଦ ହୃଦୟର ଗଭୀରତମ ପ୍ରଦେଶରେ ମର୍ମାହତ ହୋଇଥିବା ବିଷୟ ସମସ୍ତେ ବୁଝିପାରୁଛନ୍ତି। ପିଲାଙ୍କୁ ଯେତେ ନିନ୍ଦା କଲେ ମଧ୍ୟ ସେହି ଶିକ୍ଷିତ ପିଢ଼ି ଆମ ଦେଶର ଭବିଷ୍ୟତ ଏବଂ ଖୁବ୍ଶୀଘ୍ର ସେହି ଯୁବତୀଯୁବକ ଏହି ଦେଶର ନିର୍ଣ୍ଣାୟକକାରୀ ମଙ୍ଗ ଧରିବେ। ଏହି ପିଲାମାନଙ୍କୁ ବାଟବଣା କରିବା ପାଇଁ ସଂରକ୍ଷଣ ବିରୋଧୀ ବାତାବରଣ ସୃଷ୍ଟି କରାଗଲେ ମଧ୍ୟ ତା’ର ସଫଳତା ସନ୍ଦେହଜନକ। ସାମାଜିକ ଭାରସାମ୍ୟ ଭବିଷ୍ୟତ ପିଢ଼ି ଦ୍ୱାରା ଆସିବ ବୋଲି ବିଶ୍ୱାସ ହେଉଛି। ତାହା ହୋଇପାରିଲେ, ସଂରକ୍ଷଣ ବ୍ୟବସ୍ଥା ଆପଣାଛାଏଁ ଲିଭିଯିବ।
ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଲୋଚନାରେ ସମସ୍ତେ ଏକଜୁଟ ହୋଇଗଲେ। ଇଥାନଲ ମିଶ୍ରଣ ପ୍ରସଙ୍ଗରେ ଦୁଇଚକିଆରୁ ଅଠରଚକିଆ ଗାଡ଼ି ମାଲିକ ସମସ୍ତେ ଏକଜୁଟ ହୋଇଯିବେ। ହୁଏତ ଏହିଭଳି ଆଉ କେତୋଟି ବିଷୟ ଜନ୍ମନେଲେ ଦେଶ ଏକଜୁଟ ହୋଇଯାଇପାରିବ। ଏଭଳି ନୂଆ ଶୈଳୀର ଏକତା ପୁରୁଣା ମାନସିକତାକୁ ଦୁର୍ବଳ କରିଦେଉଛି। ସେହି ମାନସିକତା ବଞ୍ଚିବାକୁ ହେଲେ ବିଭାଜନ ନିହାତି ଆବଶ୍ୟକ। ମନେରଖିବାକୁ ହେବ ଯେ, ଆଜିକାର ସରକାର ନିର୍ବାଚିତ ପ୍ରତିନିଧିଙ୍କ ସଂଖ୍ୟା ବଢ଼ାଇ ମହିଳା ସଂରକ୍ଷଣ ଆଣିବା ପାଇଁ ଜୋରସୋର ଲାଗିଛନ୍ତି। ଯେନତେନ ପ୍ରକାରେଣ ଭାଗଭାଗ ହୋଇ ଛୋଟ ଗୋଷ୍ଠୀ ଦେଶବ୍ୟାପୀ ରହିଲେ ତାଙ୍କର ଲଗାମ ଧରିବା ସହଜ। ହୁଏତ ସେଥିପାଇଁ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ପୁନର୍ବାର ଏହି ସମୟରେ ମୁଣ୍ଡ ଟେକିଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।