ଯେଉଁ ଅନ୍ଧକାରର ଅବସାନ ନାହିଁ
ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ ପରେ ଆସେ ଏକବିଂଶ ଶତାବ୍ଦୀ। ଆମେ ବର୍ତ୍ତମାନରେ ଯେଉଁସବୁ ଅଭାବ,ସମସ୍ୟା ଅନୁଭବ କରୁଛୁ ତାହାର ଅତୀତ କଥା କେବେ ଚିନ୍ତା କରନ୍ତିନାହିଁ। ଯେଉଁସବୁ ଗୁଣ, ବ୍ୟବସ୍ଥା, ସରକାରୀ ନୀତି ଦ୍ୱାରା ଆମେ ସନ୍ତୋଷ ଅନୁଭବ କରନ୍ତୁ ତାହା ସମ୍ଭବ ହେଉନାହିଁ। ଆମେ କେବଳ ସ୍ବପ୍ନ ଦେଖି ଚାଲିଛେ ଦ୍ୱେଷ,ତ୍ରୁଟି, ନୈରାଶ୍ୟ ରହିତ ଅନାଗତ ଭବିଷ୍ୟତକୁ। ଏକଦା ପାଶ୍ଚାତ୍ୟ ଭୂଖଣ୍ଡର ବହୁ ଅଞ୍ଚଳର ଲୋକେ ଉଡ଼ନ୍ତା ଥାଳିଆ ଦେଖିଥିବାର ଶୁଣାଗଲା। ରାତିରେ ଏକ ଉଜ୍ଜ୍ୱଳ ଚକ୍ରାକାର ବସ୍ତୁ ଆକାଶରେ ଦେଖାଦେଇ କିଛିକ୍ଷଣ ଗତିକରି ଅଦୃଶ୍ୟ ହୋଇଯାଇଥିଲା। ଅନେକେ ମନେକଲେ କୌଣସି ସୁଦୂର ଗ୍ରହର ପ୍ରାଣୀମାନେ ଏକ ଯାନ ଯୋଗେ ଆସି ଆମ ପୃଥିବୀ ଅନୁଧ୍ୟାନକରି ଲେଉଟିଯାଇଥିଲେ। ସେମାନଙ୍କ ଅବତରଣ ପାଇଁ ଏ ପୃଥିବୀ କେତେଦୂର ଯୋଗ୍ୟ, ସେମାନେ ହୁଏତ ତାହାହିଁ ବିଚାରକରୁଥିଲେ। ଏହି ପ୍ରସଙ୍ଗରେ ପ୍ରଖ୍ୟାତ ମନସ୍ତତ୍ତ୍ୱବିତ୍ କାର୍ଲ ଗୁସ୍ତାଭ ୟୁମ୍ ଲେଖିଥିଲେ- ପୃଥିବୀର ପରିସ୍ଥିତିରେ ଆମର ହତାଶା ଏ ପରିସ୍ଥିତିକୁ ବଦଳାଇବା ଦିଗରେ ଆମ ନିଜ ଅକ୍ଷମତାଜନିତ ସାମୂହିକ ଅବଚେତନ ଭିତରୁ ଏଭଳି କଳ୍ପନାର ସୃଷ୍ଟି। ଆକସ୍ମିକ ଭାବେ କୌଣସି ଶକ୍ତି ଆସି ଏଭଳି ଅବସ୍ଥା ବଦଳାଇଦେଉ, ଏହା ପଛରେ ରହିଛି ଏକ ସାମୂହିକ ଆକାଂକ୍ଷା।
ଆମେ ବିଂଶଶତାବ୍ଦୀରେ ଥିବା ବେଳେ ଏକବିଂଶ ଶତାବ୍ଦୀ ଥିଲା ଭବିଷ୍ୟତ ହୋଇ। ଆମେ ଆଶା ରଖିଥିଲେ ଏକବିଂଶ ଶତାବ୍ଦୀର ଆରମ୍ଭରେ ବା ପ୍ରଥମ ସୂର୍ଯ୍ୟୋଦୟ ହେବା ମାତ୍ରେ ଅତୀତର ଅନ୍ଧକାର ସବୁ ଦୂରେଇଯିବ,ଯାହା ବିଂଶ ଶତାବ୍ଦୀର ପ୍ରତ୍ୟହ ସକାଳେ ଘଟି ଆସିଥିଲା। କିନ୍ତୁ ଆମର ସେହି ଅତୀତର ଚେତନାର ଅନ୍ଧକାରକୁ ସୂର୍ଯ୍ୟର ଆଲୋକ ଦୂରେଇପାରିଲାନାହିଁ। ଏ ସମ୍ପର୍କରେ ଆମ୍ଭେ ନିତ୍ୟ ସମ୍ମୁଖୀନ ହେଉଥିବା କେତେକ ଜ୍ୱଳନ୍ତ ଉଦାହରଣ ଦିଆଯାଇପାରେ।
ଆମ ଦେଶରେ ବା ରାଜ୍ୟରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ଅଧ୍ୟାପନା ନାମକୁ ମାତ୍ର ଚାଲିଛି। ଶିକ୍ଷକମାନଙ୍କ ଦରମା ଯଥେଷ୍ଟ ବଢ଼ିବା ପରେ ବି ସେମାନେ ପରିଶ୍ରମକାତର ଓ ପଙ୍ଗୁ ହୋଇପଡ଼ିଛନ୍ତି। ଡିଗ୍ରୀଧାରୀ ହେବା ସହ ଶିକ୍ଷା କ୍ଷେତ୍ରରେ ଯୋଗ୍ୟତା ହାସଲ ପରେ ଶିକ୍ଷାଦାନ ପାଇଁ ନିୟୋଜିତ ହୋଇଛନ୍ତି। ଅଥଚ ସରକାରୀ ସ୍କୁଲ, ମହାବିଦ୍ୟାଳୟର ଛାତ୍ରୀଛାତ୍ର ଘରୋଇ ଟିଉଶନ ହେବା ପାଇଁ ବାଧ୍ୟ ହେଉଛନ୍ତି। ସେହିଭଳି ଦେଶର ଅଧିକାଂଶ ସରକାରୀ ହାସପାତାଳରେ ଯେମିତି ଚିକିତ୍ସା ପ୍ରତି ଅବହେଳା କରାଯାଏ, ଅଚଳ ଯନ୍ତ୍ରପାତିକୁ ସଚଳ କରାଯାଏନାହିଁ। କାରଣ ରୋଗୀମାନେ ଭଲ ଚିକିତ୍ସା ପାଇଁ ସମ୍ପୃକ୍ତ ଚିକିତ୍ସକଙ୍କ ଘରୋଇ ବ୍ୟବସ୍ଥାରେ ଚିକିତ୍ସା ହେବା ପାଇଁ ବାଧ୍ୟ ହେବେ। ସେମିତି ଶିକ୍ଷକ କିମ୍ବା ଅଧ୍ୟାପକ ଅଧ୍ୟାପନାରେ ଅବହେଳା କରନ୍ତି ଯେମିତି ଛାତ୍ରମାନେ ଟିଉଶନ ହେବା ପାଇଁ ସେମାନଙ୍କ ଦ୍ୱାରସ୍ଥ ହେବେ। ଯେଉଁ ଦେଶରେ ଶିକ୍ଷକ କୂଳ ଏକ ଗୋଷ୍ଠୀ ଏବଂ ଚିକିତ୍ସକମାନଙ୍କ ମଧ୍ୟରୁ ସେହିଭଳି ଏକ ଗୋଷ୍ଠୀ ନିଜର ଦାୟିତ୍ୱ ପ୍ରତି ବିଶ୍ୱାସଘାତକତା କରିପାରନ୍ତି, ସେ ଦେଶରେ ଶିକ୍ଷା ଓ ସ୍ବାସ୍ଥ୍ୟକ୍ଷେତ୍ରରେ ନୁହେଁ ସମଗ୍ର ମାନବ ସମାଜର ଭବିଷ୍ୟତ ଅନ୍ଧକାର କରିଦିଅନ୍ତି। ଏ ଦିଗରେ ଯେତେ ଆପତ୍ତି ଅଭିଯୋଗ କରାଗଲେ ମଧ୍ୟ ତାହାର ପରିବର୍ତ୍ତନ ଘଟୁନାହିଁ। ସାରସ୍ବତବିତ୍ ମନୋଜ ଦାସ ମଧ୍ୟ ଏହାକୁ ୟୁନେସ୍କ ସମ୍ମିଳନୀ (୧୯୯୭, ଡିସେମ୍ବର ୮ ତାରିଖ)ରେ ସ୍ବୀକାର କରି କହିଛନ୍ତି, ସେ ଅନ୍ଧକାରକୁ ଦୂରକରିପାରିବା ଭଳି ସୂର୍ଯ୍ୟୋଦୟ ଘଟିବା ଅସମ୍ଭବ। ଆମେ ଆମ ଦେଶ ବା ରାଜ୍ୟରେ ଦେଖୁଛେ, ବିଭିନ୍ନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ବା ସାଧାରଣ ଅଧିକାରୀ ବା ରାଜନୀତିରେ ସାମିଲ ଥିବା ଗୋଷ୍ଠୀମାନେ ଆୟ ବହିର୍ଭୂତ ଅକଳନ୍ତ ସମ୍ପତ୍ତିର ମାଲିକ ସାଜୁଛନ୍ତି। ସେହି ଧନ ଆସୁଛି ସରକାରୀ ରାଜକୋଷରୁ ଏବଂ ଅନ୍ୟାନ୍ୟ ମାଲିକାନା ଥିବା ସଂସ୍ଥାରୁ। ସରକାରୀ ରାଜକୋଷ କହିଲେ ଜନସାଧାରଣଙ୍କ ଟିକସ ଅର୍ଥ। ଉନ୍ନୟନ ନିର୍ମାଣ ଆଳରେ ଯେପରି ବହୁ କୋଟି ଟଙ୍କା ପାଣି ନାଳରେ ବହି ଗଲାପରି ବହିଯାଉଛି। ତାହା ଦେଶର ଭବିଷ୍ୟତ ପାଇଁ ଅନ୍ଧକାର ସୃଷ୍ଟି କରୁଛି। ବହୁ ବଡ଼ ବଡ଼ ଅଫିସର, ଇଞ୍ଜିନିୟର ଭିଜିଲାନ୍ସ ଦ୍ୱାରା ଆୟ ବହିର୍ଭୂତ ସମ୍ପତ୍ତିର ମାଲିକାନା ସାଜିଥିବା ଚିହ୍ନଟ ହେଉଛନ୍ତି। ଏପରିକି ପୋଲିସ ଦ୍ୱାରା ବନ୍ଧାହୋଇ ନିଜର ଆମତ୍ାଭିମାନ, ସ୍ବାଭିମାନକୁ ହରାଇ ବସୁଛନ୍ତି। ସେମାନଙ୍କ ନାମରେ ଗଣମାଧ୍ୟମରେ ପ୍ରକାଶ ପାଉଛି। ବହୁ କୋଟି ଲୋକ ଜାଣୁଛନ୍ତି। ସମାଜରେ ସେମାନେ ଘୃଣିତ ଶ୍ରେଣୀରେ ପରିଗଣିତ ହେଉଛନ୍ତି। ତଥାପି ସେହିଭଳି ଶ୍ରେଣୀର ପଦାଧିକାରୀମାନଙ୍କ ମନରେ ଚେତନା ଆସୁନାହିଁ। ସେହି ଆସନରେ ଯିଏ ବସୁଛନ୍ତି ସେମାନେ ପୂର୍ବବର୍ତ୍ତୀ ଅଫିସରମାନଙ୍କ ଅବସ୍ଥା କଥା ଚିନ୍ତା ନ କରି ସୁଯୋଗ ଆସିଲା ମାତ୍ରେ ରାଜକୋଷ ଲୁଣ୍ଠନ କରିବା ବା ଦୁର୍ନୀତି କରିବାକୁ ପଛାଉନାହାନ୍ତି। ଅର୍ଥଲାଳସା ଏକ ବ୍ୟାଧିରେ ପରିଣତ ହୋଇଯାଇଛି। ଏହା ଏକପ୍ରକାର ସଂକ୍ରାମକ ରୋଗ କହିଲେ ଅତ୍ୟୁକ୍ତି ହେବନାହିଁ। ଦୁର୍ନୀତି କରିବା ଦ୍ୱାରା ସରକାର ବା ଅଦାଲତର ବହୁ ଆଇନ ପ୍ରଣୟନ କରାଯାଇଛି। ଦଣ୍ଡ ମଧ୍ୟ ମିଳୁଛି। ନିଜର ମାନ ସମ୍ମାନ ତଳେ ପଡୁଛି। ଘୃଣିତ ବ୍ୟକ୍ତି ଭାବେ ଜୀବନ ବିତାଉଛନ୍ତି। ତଥାପି ସେମାନଙ୍କ ଚେତନାର ଅନ୍ଧକାର ଦୂର ହୋଇପାରୁ ନାହିଁ।
ଯେଉଁମାନେ ଦେଶର ରକ୍ଷକ,ବଡ଼ ବଡ଼ ଦାୟିତ୍ୱରେ ଅଛନ୍ତି, ସମାଜ ଯେଉଁମାନଙ୍କୁ ନେଇ ଗର୍ବକରେ ସେହିମାନଙ୍କ ମଧ୍ୟରୁ ଯଦି ଏଭଳି ଏକ ଗୋଷ୍ଠୀ ଭକ୍ଷକ ହୋଇଯାଆନ୍ତି ତେବେ କେଉଁମାନଙ୍କୁ ନେଇ ଦେଶର ଗଠନ ବା ବିକାଶ କରାଯାଇପାରିବ? ଏହା ଚିନ୍ତାକରିବା କଥା। ସାପଟିଏ ବେଙ୍ଗକୁ ଗିଳୁଛି,ବେଙ୍ଗ ଆଖି ଆଗରେ ପତଙ୍ଗଟିଏ ଉଡ଼ିଯାଉଛି, ତାକୁ ବେଙ୍ଗ ଧରିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି। ଏଭଳି ଘଟଣା ମାନବ ସମାଜରେ ଘଟୁଛି। ପଶୁର ପ୍ରବୃତ୍ତି, ଲାଳସା ସଭ୍ୟ ଶିକ୍ଷିତ ସମାଜରେ ଘଟିବା କ’ଣ ନିହାତି ଅପରିହାର୍ଯ୍ୟ? ଦେଶର ଅର୍ଥ ଦେଶ ପାଇଁ ବିନିଯୋଗ ନ ହୋଇ କେତେଜଣଙ୍କ ପକେଟକୁ ଚାଲିଯାଉଛି,ସେଥିପାଇଁ ସେ ଦଣ୍ଡ ଭୋଗକରୁଥିବା ବେଳେ ଅନ୍ୟ ଜଣକ ପକେଟସ୍ଥ କରିବାକୁ ଆଗେଇ ଚାଲିଛି। ଏଥିପାଇଁ ସେମାନଙ୍କ ଅବଚେତନ ମନକୁ ଦାୟୀ କରାଯାଇପାରେ।
ଏ ସମ୍ପର୍କରେ ଆଉ ଏକ କଥା ବିଚାର କରାଯାଇପାରେ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ଅବସ୍ଥା ଜାରି କରିଥିଲେ। ଏ ପରିସ୍ଥିତି ବିରୋଧରେ ସାରା ଭାରତରେ ଜନ ଆନ୍ଦୋଳନ କରାଗଲା। କିନ୍ତୁ ଏହି ଆନ୍ଦୋଳନର ଅନ୍ୟତମ ପ୍ରବର୍ତ୍ତକ ବିନୋବା ଭାବେ କହିଲେ,ଏବେ ଅନୁଶାସନର ପର୍ବ ଆରମ୍ଭ ହେଲା। ଏଭଳି ଉକ୍ତିକୁ ଦେଶର ବୁଦ୍ଧିଜୀବୀମାନେ ପସନ୍ଦ କଲେ ନାହିଁ। କାରଣ ସେତେବେଳେ ସଞ୍ଜୟ ଗାନ୍ଧୀଙ୍କ ପ୍ରଭାବିତ ସରକାର ପ୍ରବଳ ଅନ୍ୟାୟ କରୁଥିଲେ। ତାହା ସେଦିନ ନିନ୍ଦନୀୟ ଥିଲା, ଆଜି ବି ନିନ୍ଦନୀୟ। କିନ୍ତୁ ଜରୁରୀ ଅବସ୍ଥା କାଳରେ ଶିକ୍ଷକ ଠିକ୍ ସମୟରେ ସ୍କୁଲକୁ ଆସୁଥିଲା। ପାଠପଢ଼ାରେ ଅବହେଳା କରୁ ନ ଥିଲା। ସବୁ ସରକାରୀ ଅଫିସ୍ରେ କାର୍ଯ୍ୟ କରୁଥିବା କର୍ମଚାରୀ ବା ଅଫିସରମାନେ ହଠାତ୍ କର୍ତ୍ତବ୍ୟନିଷ୍ଠ ପାଲଟିଗଲେ। ପୋଲିସ ପ୍ରଶାସନ ଜାଗି ଉଠିଥିଲା। ସେମାନେ ଗୁଣ୍ଡାରାଜକୁ ସାବାଡ୍ କରିଦେଲେ। ରେଳଗାଡ଼ି ଠିକ୍ ସମୟରେ ଚାଲୁଥିଲା। ଡାକ ଆସିବା ଯିବାରେ ବିଳମ୍ବ ଘଟୁ ନ ଥିଲା। ହସ୍ପିଟାଲଗୁଡ଼ିକରେ ରୋଗୀସେବା ଠିକ୍ ଚାଲିଲା। ଡାକ୍ତରମାନେ ତାଙ୍କ କର୍ତ୍ତବ୍ୟରେ ଅବହେଳା କରୁ ନ ଥିଲେ। ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବାରେ ଅଫିସରମାନେ ଆଗଭର ହୋଇ ପଡ଼ୁଥିଲେ। ସମସ୍ତଙ୍କ ମନରେ ଏକ ଅଜଣା ଭୟ ଘାରିଥିଲା। ଯେଭଳି ଦେଶରେ ଏକ ବହିର୍ଶାସନ ଚାଲୁଛି। ଏହା ଦେଖି ବିନୋବାଜୀଙ୍କର ଅନ୍ତର୍ବୋଧ ହେଲା ଯେ ବହିର୍ଶାସନ ଅପେକ୍ଷା ଅନ୍ତର୍ଶାସନ ଚାଲିଲେ ଏଭଳି ଆତଙ୍କ ରହିବ ନାହିଁ। ଯେଉଁ ଆତଙ୍କରେ କର୍ମଚାରୀ ଓ ସରକାରୀ ଅଫିସରମାନେ ଭୟଭୀତ ହୋଇ ସବୁ ଠିକେ୍ର ନେଇ ଚାଲୁଥିଲେ। ଜରୁରିକାଳୀନ ଅବସ୍ଥା ଉଠିଗଲା ପରେ ଯଥା ପୂର୍ବଂ ତଥା ପରମ୍ ବିନିଗଲା। ଏହାପରେ ଅନ୍ତର୍ଶାସନ ଆରମ୍ଭ ହେଲା। ଅନ୍ତର୍ଶାସନରେ ଭୟଶୂନ୍ୟ ଭାବେ କାର୍ଯ୍ୟକଲେ ଦେଶରେ ଗଣତନ୍ତ୍ର ଆହୁରି ସୁଦୃଢ଼ ହୋଇପାରିବ ବୋଲି ବିନୋବାଜୀ ମନେକଲେ। କିନ୍ତୁ ତାହା ମଧ୍ୟ ସଫଳ ହେଲାନାହିଁ। ତେବେ ଜଣାଗଲା ଯେପର୍ଯ୍ୟନ୍ତ ସାମୂହିକ ଚେତନାରୁ ଅନ୍ଧକାର ଦୂର ନ ହୋଇଛି , ଏହି ଦୁର୍ବଳତାକୁ ଦୂରେଇଦେବା ପାଇଁ ସାମୂହିକ ଚେତନା ବା ଆକାଂକ୍ଷା ସୃଷ୍ଟି ନ ହୋଇଛି ସେପଯର୍ୟନ୍ତ ଦୁର୍ନୀତି,ଦୁର୍ଗତି ଦୂରହେବା ଅସମ୍ବବ ହୋଇରହିଥିବ।
ସୟେଦପୁର, ଯାଜପୁର
ମୋ:୯୪୩୭୩୧୫୬୨୩
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।