ଯାତ୍ରୀଙ୍କୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଫେରାଇଲେ ଡ୍ରାଇଭର, ପ୍ରଶଂସା କରି ଲୋକେ କହିଲେ…
ପୁରୀ,୨୭ା୬(ଅଜିତ କୁମାର ମହାନ୍ତି): କାର୍ରେ ଯାତ୍ରୀ ଛାଡ଼ିଯାଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗକୁ ଜଣେ କାର୍ ଡ୍ରାଇଭର ପ୍ରକୃତ ମାଲିକକୁ ଫେରାଇଛନ୍ତି। ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ପୁରୀର ସନ୍ତୋଷ ମିଶ୍ର ସୁରକ୍ଷିତ ଭାବେ ପୋଲିସ ଜରିଆରେ ପ୍ରକୃତ ମାଲିକଙ୍କୁ ତାଙ୍କ ଜିନିଷ ଫେରାଇ ଦେଇଛନ୍ତି। ଜାହାକୁ ନେଇ ଆଜି ମାନବିକତା ଓ ସଚ୍ଚୋଟତା ବଞ୍ଚିଥିବା ନେଇ ଆଲୋଚନା ହେଉଛି। ସନ୍ତୋଷଙ୍କ କହିବା ଅନୁଯାୟୀ, ସେ ଗାଡ଼ି ନେଇ ପୁରୀ ଆସିବା ସମୟରେ ଭଦ୍ରକର ରମାକାନ୍ତ ବରାଳ ଓ ତାଙ୍କ ସ୍ତ୍ରୀ ପୁରୀ ଆସିବା ପାଇଁ ତାଙ୍କୁ କହିଥିଲେ। ସେମାନେ ତାଙ୍କ ଗାଡ଼ିରେ ଆସି ପୁରୀ ମେଡିକାଲ ଛକରେ ଓହ୍ଲାଇଥିଲେ। ପରେ ସନ୍ତୋଷ ଗାଡ଼ି ନେଇ ଯାଇଥିଲେ। ତେବେ ଶନିବାର ସକାଳେ ଗାଡ଼ି ଧୁଆ ଧୋଇ କରିବା ସମୟରେ ଗାଡ଼ିରେ ଏକ ବ୍ୟାଗ୍ ଥିବା ଦେଖିବାକୁ ପାଇଥିଲେ। ସେ ବ୍ୟାଗ୍ରୁ ରିଲାଏନ୍ସ ସ୍ମାର୍ଟରୁ କିଛି ଜିନିଷ କିଣାଯାଇଥିବାର ବିଲ୍ ସନ୍ତୋଷ ଦେଖିବାକୁ ପାଇଥିଲେ। ଫଳରେ ସନ୍ତୋଷ ରିଲାଏନ୍ସ ସ୍ମାର୍ଟକୁ ରମାକାନ୍ତଙ୍କ ଫୋନ୍ ନମ୍ବର ଆଣି ତାଙ୍କ ସହ ଯୋଗାଯୋଗ କରିଥିଲେ। ରମାକାନ୍ତ କୁମ୍ଭାରପଡ଼ା ଥାନାରେ ଥିବା ସନ୍ତୋଷକୁ ଜଣାଇବା ପରେ ସନ୍ତୋଷ ଥାନାକୁ ଯାଇ ଜିନିଷ ଫେରାଇଥିଲେ। ଯାହାକୁ ନେଇ ପୋଲିସ ଅଧିକାରୀଙ୍କଠାରୁ ଜିନିଷ ହରାଇଥିବା ଦମ୍ପତି ସନ୍ତୋଷଙ୍କ ଏପରି ସଚ୍ଚୋଟ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।