ମୁଁ କବି ହେବି
ବନ୍ଧୁ ହାରାଧନ ବାବୁ କହିଲେ- ମୋତେ କେତୋଟି ପତ୍ରିକାର ଠିକଣା ଦିଅ। ମୁଁ ମୋ କବିତା ପଠାଇବି। କେଉଁ ପତ୍ରିକା? ମୁଁ ପଚାରିଲି। ସେ କହିଲେ- ଯେଉଁ ପତ୍ରିକାର ସମ୍ପାଦକଙ୍କ ସହିତ ତୁମର ସମ୍ପର୍କ ଅଛି। ମୋ କବିତା ବାହାର କରିବାକୁ ତୁମେ ତାଙ୍କୁ କହିପାରିବ। ମୁଁ କହିଲି- ତୁମେ ଦୋକାନକୁ ଯାଇ ଆଗ କିଛି ପତ୍ରିକା କିଣ। ସେଥିରେ ଥିବା କବିତାଗୁଡ଼ିକୁ ପଢ଼। ତୁମ କବିତା କେଉଁ ପତ୍ରିକାରେ ପ୍ରକାଶ ପାଇବାକୁ ଯୋଗ୍ୟ ତାହା ନିଜେ ଠିକ କର। ସେଥିରୁ ଠିକଣା ସଂଗ୍ରହ କରି କବିତା ପଠାଅ। ଯଦି ଭଲ କବିତା ହୋଇଥିବ ତାହା ନିଶ୍ଚୟ ବାହାରିବ। ସେଥିପାଇଁ କାହାର ସୁପାରିସ ଦରକାର ପଡ଼ିବନାହିଁ।
ତା’ ପରେ ସେ ଆଉ ମୋ ସହିତ କଥା ହୋଇ ନାହାନ୍ତି। ଦିନେ ଶୁଣିଲି ତାଙ୍କର ଗୋଟିଏ କବିତା ପୁସ୍ତକ ବାହାରୁଛି। ଚରଣ ପଣ୍ଡାଙ୍କ ଡମ୍ବରୁ ପ୍ରକାଶନୀ ସଂସ୍ଥା ତରଫରୁ। କିଏ ଜଣେ ରାଜଧାନୀର ବଡ଼ କବି ତାହାର ମୁଖବନ୍ଧ ଲେଖିଛନ୍ତି। ସ୍ବୟଂ ଚରଣ ପଣ୍ଡା ପ୍ରକାଶକୀୟ ଅଭିବ୍ୟକ୍ତିରେ ଲେଖିଛନ୍ତି, ତାଙ୍କ ପରି କବି ରାଜ୍ୟରେ ଦୁର୍ଲଭ।
ପୁସ୍ତକ ଛପା ସରିବା ପରେ ଉନ୍ମୋଚନ ଉତ୍ସବ ହେଲା। ଗାନ୍ଧିସ୍ମୃତି ଭବନ ଆଗରେ ବ୍ୟାନର ଲାଗିଲା ବିଶିଷ୍ଟ କବି ହାରାଧନ ଦାସଙ୍କ କବିତା ପୁସ୍ତକ ‘ନଈରେ ଭାସୁଛି ସୁଲ’କୁ ଉନ୍ମୋଚନ କରିବେ ମହାକବି ଜନାର୍ଦ୍ଦନ ମହାପାତ୍ର।
ନିମନ୍ତ୍ରଣ ପାଇ ଆମେ ବି ସେଠାକୁ ଗଲୁ।
ସୁସଜ୍ଜିତ ସଭା ମଞ୍ଚ। ରାଜଧାନୀରୁ ଦି’ ଗାଡ଼ି ଅତିଥି ଆସି ମଞ୍ଚ ମଣ୍ଡନ କଲେ। ଭାଷଣରେ ହାରାଧନଙ୍କ କବିତାର ବହୁ ପ୍ରଶଂସା କଲେ। ସେ ଯଦି ଏଇ ସବୁ କବିତା ଲେଖି ନ ଥାନ୍ତେ ତା’ହେଲେ ଉତ୍କଳ ଭାରତୀ ଅଧୁରା ରହି ଯାଇଥାନ୍ତା।
ଏଣେ ଶ୍ରୋତାଙ୍କ ଭିତରେ କୋଳାହଳ। କିଏ କହୁଛି- ମୋ ଚା’ କାହିଁ? ଟିଫିନ ପ୍ୟାକେଟ ଏପଟେ ବାଢ଼ଅ। ରାତିରେ ଡିନର ଅଛି ତ ? ଚିକେନ ନା ମଟନ ? ହାରାଧନ ବାବୁ ଅତିଥି ଚର୍ଚ୍ଚାରେ ଲାଗିଥାନ୍ତି। ସଭା ସରିବା ପରେ ସେମାନେ ଗଲେ ସମୁଦ୍ର କୂଳ ହୋଟେଲକୁ। ସେଇଠି ଖିଆ ପିଆ, ରାତ୍ରି ରହଣି। ସକାଳେ ଏଣେତେଣେ ବୁଲି ଲଞ୍ଚ ପରେ ଘରକୁ ଫେରିଲେ।
କିଛିଦିନ ପରେ ମୋର ହାରାଧନ ବାବୁଙ୍କ ସହ ପୁଣି ଦେଖାହେଲା। ପଚାରିଲି- କବିତା ବହିଟିଏ ଛାପିଲେ। ପ୍ରଚାର ପାଇଁ ଏତେ ଆୟୋଜନ କଲେ। କିଛି ବିକ୍ରି ହେଲା କି ନାହିଁ ? ସେ ମୁହଁ ଶୁଖାଇ କହିଲେ – ହଁ, ମୋ ସ୍ତ୍ରୀର ଗହଣା ଗାଣ୍ଠି ବିକ୍ରି ହୋଇଯାଇଛି।
ଏଇଟା କେବଳ ଗପ ନୁହେଁ, ଆମ ସାହିତ୍ୟର ଭିତିରି କଥା। କାହିଁକି କେଜାଣି ‘ମୁଁ କବି ହେବି’, ‘କବିତା ଲେଖିବି’- ନିଶା ପରି ଏହା ଆମକୁ ଗ୍ରାସ କରିଛି। ବିଶେଷତଃ ବୟସ୍କମାନେ, ବୃତ୍ତି କାଳରେ ସ୍ବାର୍ଥ ଓ ପ୍ରତିପତ୍ତି ବ୍ୟତୀତ ଅନ୍ୟ ବିଷୟରେ କେବେ କିଛି ଭାବି ନ ଥିଲେ, ଅବସର ପରେ ହଠାତ୍ ସମାଜ ମନସ୍କ ହୋଇପଡ଼ୁଛନ୍ତି। ସମାଜରେ ନିଜର ପରିଚୟ ସୃଷ୍ଟି ପାଇଁ କବି ହେବାକୁ ସହଜ ବାଟ ଭାବୁଛନ୍ତି। ବର୍ତ୍ତମାନ ସମୟର ସାହିତ୍ୟ କେଉଁ ସ୍ତରରେ ଅଛି, ପତ୍ରପତ୍ରିକାରେ କିଭଳି ଲେଖାମାନ ପ୍ରକାଶ ପାଉଛି, ଏସବୁ ବିଷୟରେ କିଛି ନ ଜାଣି, ସେଇ ଯେଉଁ ସ୍କୁଲ ବେଳର ସାହିତ୍ୟ ବହିରେ ପଢ଼ିଥିବା କବିତାଗୁଡି଼କୁ ପୁଞ୍ଜି କରି କବିତା ରଚନା କ୍ଷେତ୍ରକୁ ଉତ୍ସାହରେ ଓହ୍ଲାଇ ପଡ଼ୁଛନ୍ତି। ଆଞ୍ଜୁଳାଏ ପାଣିରେ ଫରଫର ହେଉଥିବା ଦଣ୍ଡକିରି ମାଛକୁ ବଗ ଜଗି ବସିବା ପରି ଏଇ ଆକସ୍ମିକ କବିମାନଙ୍କୁ ଆଗ୍ରହରେ ଜଗି ବସୁଛନ୍ତି କେତେଜଣ ତଥାକଥିତ ପ୍ରକାଶକ। ଟଙ୍କା ମିଳିଲେ ଯେଉଁମାନେ ହଳଦିଆ ଜରି ଭିତରେ ଗୋପନରେ ରହୁଥିବା ବହି ଛାପିଦେବାକୁ ବି କୁଣ୍ଠାବୋଧ କରିବେ ନାହିଁ।
ସରକାର ଜନଗଣନା କରିବା ପରି ଆମ ସାହିତ୍ୟ ଏକାଡେମୀ ଥରେ ରାଜ୍ୟରେ କବି ଗଣନା କଲେ ଭଲ ହୁଅନ୍ତା। ସାରା ରାଜ୍ୟରେ କେତେ ସାହିତ୍ୟ ଅନୁଷ୍ଠାନ, କେତେ ସଭା, କେତେ ଆସର, କେତେ କବି କବିତା ପାଠ କରୁଛନ୍ତି, କେତେ ବହି ଛପାହେଉଛି, କେତେ ହେଉଛି ପୁସ୍ତକ ଉନ୍ମୋଚନ ଉତ୍ସବ, ସମ୍ବର୍ଦ୍ଧନା ସଭାରେ କେତେ କବି ଫୁଲ, ଗାମୁଛା ଓ ମାନପତ୍ର ଲେଖାଥିବା କାଗଜ ଖଣ୍ଡେ ଧରି ହସୁଛନ୍ତି: ଏସବୁର ଆନୁମାନିକ ଆକଳନ କରାଯାଉ। ପରେ ଆମ ସାହିତ୍ୟର ସ୍ଥିତି କେଉଁଠି, କେତେ ପୁସ୍ତକ ଅବା ପତ୍ରିକା ପ୍ରକାଶିତ ହେଉଛି, କେତେ ବିକ୍ରି ହେଉଛି, ଆମ ସାହିତ୍ୟର ପାଠକ ସଂଖ୍ୟା କେତେ ଇତ୍ୟାଦିକୁ ବିଚାର କଲେ ବାସ୍ତବ ସତ୍ୟ କ’ଣ ଜଣାପଡି଼ବ।
କବି ହେବା ପାଇଁ କବିତା ରଚନା ହୁଏନାହିଁ। କବିତା ଲେଖି ମଧ୍ୟ ଜଣେ କବି ହୋଇ ପାରନ୍ତି ନାହିଁ। ଜହୁରୀ ସମ୍ପାଦକଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପତ୍ରିକାରେ ପ୍ରକାଶ ପାଇବା ପରେ ଯଦି ତାଙ୍କ କବିତା ବହୁ ପାଠକଙ୍କ ଦ୍ୱାରା ଆଦୃତ ହୁଏ ତେବେ ଯାଇ ସେ କବି ଭାବରେ ପରିଚିତ ହୁଅନ୍ତି। ଏବେ କିନ୍ତୁ ମନେହୁଏ ପରିବା ହାଟରେ ମିଳୁଥିବା ବିବିଧ ପ୍ରଜାତିର କୋବିଗୁଡ଼ିକଠାରୁ ଆମ ସାହିତ୍ୟର କବି ଶବ୍ଦଟି ଖୁବ୍ ଶସ୍ତା ହୋଇଯାଇଛି। ସାହିତ୍ୟ ସଭାରେ ଉପସ୍ଥିତ ଅନାମଧେୟ ଲୋକ ବି କବିର ପରିଚୟ ପାଇ ମୁରୁକି ହସୁଛି। ପ୍ରକାଶକ ନାମରେ ବହି ବେପାର କରୁଥିବା ଲୋକ ନିଜ ନାଁରେ ଖଣ୍ଡେ ଦି’ଖଣ୍ଡ ବହି ଛାପି ବରିଷ୍ଠ କବି ଭାବରେ କବିତା ଆସରର ସଭାପତି ହୋଇଯାଉଛି।
ସତ ହେଉଛି ସାହିତ୍ୟ ଏବେ ସାଧନା ନୁହେଁ, ହୋଇଯାଇଛି ବିଳାସ। ସାହିତ୍ୟ ଏବେ ସମାଜର ହିତରେ ନାହିଁ, ହୋଇଯାଇଛି ଆତ୍ମପ୍ରଚାରର ମାଧ୍ୟମ। ଏବଂ ଅବସୋସ ଯେ ଏବର ଯୁବପିଢ଼ି ମଧ୍ୟ ଏହି ବ୍ୟାଧିରେ ଆକ୍ରାନ୍ତ। କେତୋଟି ପୁରସ୍କାର ଓ କିଛି ପ୍ରଶଂସାରେ ପୁଞ୍ଜିଭୂତ ଅହଂକାର ସେମାନଙ୍କୁ କ୍ରମଶଃ ଅନ୍ତଃସାର ଶୂନ୍ୟ କରିଦେଉଛି। ଯେଉଁ ଅତୀତ ସହିତ ସେମାନଙ୍କୁ ଛନ୍ଦି ରଖିଛି ତାହାକୁ ସେମାନେ ତୁଚ୍ଛ ଭାବି ଏଡ଼ାଇ ଦେଉଛନ୍ତି। ସାହିତ୍ୟ ନୌକାରେ ସବାର ହୋଇ ସମସ୍ତେ ଆଗକୁ ଯିବାକୁ ସ୍ପର୍ଦ୍ଧାରେ ମାତିଛନ୍ତି ଅଥଚ ସେଇ ନୌକା ଯେ ଏବେ ବୁଡ଼ିବାକୁ ବସିଛି ସେଥିପ୍ରତି କାହାର ନଜର ନାହିଁ। ବାସ୍ତବରେ ମୁଁ ଲେଖିବି, ଲେଖକ ହେବି, ଏହାଠାରୁ ମୁଁ ପଢ଼ିବି, ପାଠକ ହେବି, ବର୍ତ୍ତମାନ ସମୟରେ ସାହିତ୍ୟ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ। ଭଲ ବହିଟିଏ କିଣି ପଢ଼ିଲେ ତାହା ଆମ ଜୀବନକୁ ପ୍ରଭାବିତ କରିବ ଏବଂ ପରୋକ୍ଷରେ ତାହା ମଧ୍ୟ ବଦଳାଇ ଦେବ ଆମ ସାହିତ୍ୟର ଭାଗ୍ୟ।
ବିକାଶନଗର, ଅଙ୍ଗାରଗ ବାଲେଶ୍ୱର
ମୋ : ୬୩୭୦୬୬୧୧୪୭
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।