ମାନବିକତା ଭୁଲିଗଲେ ‘ମୁଖ୍ୟମନ୍ତ୍ରୀ ବସ୍’ କଣ୍ଡକ୍ଟର: ମାତ୍ର ୨ ଟଙ୍କା ପାଇଁ ବସ୍ରୁ ବୃଦ୍ଧ ଦମ୍ପତିଙ୍କ ସମେତ ୪ଜଣଙ୍କୁ ଧକ୍କା ମାରି ଓହ୍ଲାଇଦେଲା
କୋଇଡ଼ା,୨୭/୦୬: ଚାରି ଜଣ ଯାତ୍ରୀଙ୍କ ବସ୍ ଭଡ଼ା ହେଉଥିଲା ୪୨ ଟଙ୍କା । ଦୁର୍ଗମ ଅଞ୍ଚଳରୁ ବ୍ଲକ କାର୍ଯ୍ୟାଳୟକୁ ଅଭିଯୋଗ ଜଣାଇବାକୁ ଆସିବା ଭିତରେ ଖର୍ଚ୍ଚ ହୋଇଗଲା ଅନେକ ଟଙ୍କା । ବଳିଥିଲା ମାତ୍ର ୪୦ ଟଙ୍କା । ସେତକ ବଢ଼ାଇଦେଲେ କଣ୍ଡକ୍ଟରଙ୍କୁ । ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ଦେବାକୁ ନେହୁରା ହେଲେ । ହେଲେ ମାତ୍ର ଦୁଇ ଟଙ୍କା ପାଇଁ ମଣିଷପଣିଆ ଭୁଲିଗଲା କଣ୍ଡକ୍ଟର । ଜଙ୍ଗଲ ରାସ୍ତାରେ ବୃଦ୍ଧ ଦମ୍ପତି, ଯୁବତୀ ଏବଂ ସାଙ୍ଗରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଓହ୍ଲାଇ ଦେଲା । ନିରୂପାୟ ହୋଇ ସମସ୍ତେ ୧୫ କିମି ଚାଲି ଚାଲି ଘରେ ପହଞ୍ଚିବା ବେଳକୁ ରାତି ହୋଇସାରିଥିଲା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ‘ମୁଖ୍ୟମନ୍ତ୍ରୀ ବସ୍’ରେ ମାନବିକତାକୁ ଲଜ୍ଜିତ କରିବା ଭଳି ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ଖେଳାଇଛି । କଣ୍ଡକ୍ଟରଙ୍କ ଦୁର୍ବ୍ୟବହାରର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଉପାନ୍ତ ଅଞ୍ଚଳରେ ସରକାରୀ ବସ୍ ସେବାର ବାସ୍ତବତା ପଦାକୁ ଆସିଛି । ଅନ୍ୟପଟେ ଘଟଣାର ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅଭିଯୁକ୍ତ କଣ୍ଡକ୍ଟରକୁ ନିଲମ୍ବିତ କରାଯାଇଛି ।
ସମ୍ପୃକ୍ତ ୪ଜଣ ଯାତ୍ରୀଙ୍କ ଘର କୋଇଡ଼ା ବ୍ଲକର ଦୁର୍ଗମ ଚୋରଧରା ଗ୍ରାମରେ । ବ୍ଲକ ସଦରଠାରୁ ଗାଁର ଦୂରତା ପ୍ରାୟ ୪୫ କିମି । ଗୁରୁବାର ସକାଳେ ସେମାନେ କୌଣସି କାର୍ଯ୍ୟରେ କୋଇଡ଼ା ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ । କାମ ସାରିବା ପରେ ମୁଖ୍ୟମନ୍ତ୍ରୀ ବସ୍ରେ ଚୋରଧରା ଅଭିମୁଖେ ବାହାରିଥିଲେ । କୋଇଡ଼ାରୁ ଚୋରଧରାକୁ ବସ୍ ଭଡ଼ା ୧୧ ଟଙ୍କା । ନିର୍ଦ୍ଧାରିତ ସମୟରେ ବସ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା । ଅପରାହ୍ଣ ପ୍ରାୟ ୩ଟାରେ ଜାମୁଡ଼ିହି ଜଙ୍ଗଲ ରାସ୍ତାରେ ପହଞ୍ଚିଥିଲା । କଣ୍ଡକ୍ଟର ଆଜାଦ ସିଂହ ବସ୍ ଭଡ଼ା ଟଙ୍କା ମାଗିଥିଲା । ସେମାନେ ପାଖରେ ଥିବା ୪୦ ଟଙ୍କା ବଢ଼ାଇଥିଲେ । ଦୁଇ ଟଙ୍କା ନିଅଣ୍ଟ ଥିବାରୁ ସେତିକି ନେବାକୁ ଅନୁରୋଧ କରିଥିଲେ । ଏତିକିରେ କଣ୍ଡକ୍ଟର ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା । ସେ ସମ୍ପୃକ୍ତ ୪ଜଣଙ୍କୁ ଦୁର୍ବ୍ୟବହାର କରିଥିଲେ । ବୃଦ୍ଧଙ୍କ ହାତ ଧରି ଟଣାଓଟରା କରିବା ସହ ଜଙ୍ଗଲ ରାସ୍ତାରେ ଧକ୍କା ଦେଇ ବସ୍ରୁ ବାହାର କରି ଦେଇଥିଲେ । ଅତ୍ୟନ୍ତ ଦୁର୍ଗମ ଇଲାକା ଏବଂ ଅପରାହ୍ଣରେ ମାତ୍ର ଗୋଟିଏ ବସ୍ ଚଳାଚଳ କରୁଥିବାରୁ ବୃଦ୍ଧ ଦମ୍ପତିଙ୍କ ଚିନ୍ତା ବଢ଼ିଥିଲା । ନିରୁପାୟ ହୋଇ ସେମାନେ ଚାଲି ଚାଲି ଗାଁକୁ ଯିବାକୁ ମନସ୍ଥ କରିଥିଲେ । ପାଖାପାଖି ୧୫ କିମି ଚାଲି ରାତିରେ ଘରେ ପହଞ୍ଚିଥିଲେ ।
ବସ୍ ଭିତରେ ବୃଦ୍ଧ ଦମ୍ପତି ଓ ଅନ୍ୟ ଦୁଇଜଣଙ୍କୁ କଣ୍ଡକ୍ଟର ଦୁର୍ବ୍ୟବହାର କରିବା ବେଳର ଦୃଶ୍ୟକୁ ବସ୍ର ଜଣେ ଯାତ୍ରୀ ମୋବାଇଲ ଫୋନରେ କଏଦ କରିଥିଲେ । ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶୁକ୍ରବାର ଆକ୍ସନ ମୋଡ୍କୁ ଆସିଥିଲା ପ୍ରଶାସନ । ଅତିରିକ୍ତ ତହସିଲଦାର ନିର୍ମଳ ବିଶ୍ୱାଳ ଘଟଣାର ତଦନ୍ତ କରି କଣ୍ଡକ୍ଟର ଆଜାଦକୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ³ ସେଥିଲାଗି ମୁଖ୍ୟମନ୍ତ୍ରୀ ବସ୍ ସେବାରେ ନିୟୋଜିତ କର୍ମଚାରୀଙ୍କୁ କଡ଼ା ତାଗିଦ୍ କରିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବ ସରକାରରେ ଗ୍ରାମାଞ୍ଚଳର ଲୋକଙ୍କୁ ବସ୍ସେବା ଯୋଗାଇ ଦେବାକୁ ଆରମ୍ଭ ହୋଇଥିଲା ୫ ଟଙ୍କିଆ ଲକ୍ଷ୍ମୀ ବସ୍ ସେବା । ସରକାର ପରିବର୍ତ୍ତନ ହେବା ପରେ ଏହାକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଭାବେ ନାମକରଣ କରାଯାଇଛି । କୋଇଡ଼ା ବ୍ଲକର ଦୁର୍ଗମ ଇଲାକାକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଗାଉଛି । ଯାତ୍ରୀ ପିଛା ଭଡ଼ା ୧୧ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହି ହିସାବରେ ୪ ଯାତ୍ରୀଙ୍କ ଭଡ଼ା ୪୪ ଟଙ୍କା ହେଉଥିଲା । ହେଲେ କଣ୍ଡକ୍ଟର ୨ଟଙ୍କା କାଟି ଆଉ ଦୁଇ ଟଙ୍କା ଦେବାକୁ କହିଥିଲା । କିନ୍ତୁ ସମ୍ପୃକ୍ତ ଯାତ୍ରୀଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ଏଭଳି ହଟହଟାର ସମ୍ମୁଖୀନ ହେଇଥିଲେ । ଅପରପକ୍ଷେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ କେହି ଜଣେ ଘଟଣାର ପ୍ରତିବାଦ ନ କରିବା କିମ୍ବା ଦୁଇଟଙ୍କା ଦେଇ ସେମାନଙ୍କୁ ସହାୟତାର ହାତ ନ ବଢ଼ାଇବା ସଭ୍ୟ ସମାଜକୁ ଆନ୍ଦୋଳିତ କରିଛି । ଦିନକୁ ଦିନ ମାନବିକତାର ଅବକ୍ଷୟ ହେଉଥିବା ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ।
ଅଧିକ ପଢ଼ନ୍ତୁ :- ଓଡ଼ିଆ ଚଳଚ୍ଚିତ୍ର ଆମ ଜାତିର ଅସ୍ମିତାର ପରିଚୟ, ଖୁବ୍ଶୀଘ୍ର ପ୍ରଣୟନ ହେବ ନୂତନ ‘ଚଳଚ୍ଚିତ୍ର ନୀତି’ : ମୁଖ୍ୟମନ୍ତ୍ରୀ