ପ୍ରତ୍ୟାହୃତ ହୋଇପାରେ ଡାକ୍ତର ଆନ୍ଦୋଳନ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜାରି

Jul 04, 2026 - 13:22
ପ୍ରତ୍ୟାହୃତ ହୋଇପାରେ ଡାକ୍ତର ଆନ୍ଦୋଳନ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜାରି

ଭୁବନେଶ୍ବର  : ଜୁଲାଇ ୧ ତାରିଖରୁ ଚାଲିଛି ଡାକ୍ତରଙ୍କ ଆନ୍ଦୋଳନ । ବିପର୍ଯ୍ୟସ୍ତ ହୋଇପଡିଛି ରୋଗୀସେବା । ଆବଶ୍ୟକୀୟ ସେବା ନପାଇ ରୋଗୀ ଛଟପଟ ହେଉଛନ୍ତି । ଉପକୂଳରୁ ଉପାନ୍ତ ରୋଗୀ ହନ୍ତସନ୍ତ । ଚେତାବନୀ ସତ୍ତ୍ୱେ ଜିଦ ରେ ଅଟଳ ରହିଛନ୍ତି ଡାକ୍ତର । ତେବେ ଆନ୍ଦୋଳନର ୪ର୍ଥ ଦିନରେ ଆଜି ବାହାରି ପାରେ ନିଷ୍କର୍ଷ । ଦିନ ୧୧.୩୦ରେ ଲୋକସେବା ଭବନରେ ଆନ୍ଦୋଳନରତ ଡାକ୍ତରଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ବସିଛି । ବୈଠକରେ ଓମ୍ସା ର ସଭାପତି ଙ୍କ ସହ ପ୍ରତିନିଧିମଣ୍ଡଳୀ ,ସ୍ୱାସ୍ଥ୍ୟମନ୍ତ୍ରୀ , ସ୍ୱାସ୍ଥ୍ୟ ସଚିବ ଏବଂ ସ୍ୱାସ୍ଥ୍ୟ ନିର୍ଦେଶକ ଉପସ୍ଥିତ ଅଛନ୍ତି । ଗତକାଲି ବୈଠକ ନେଇ ଓମସା ସଭାପତି ଓ ସମ୍ପାଦକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା  ।

ସୂଚନା ଅନୁସାରେ,  ଡାକ୍ତରଙ୍କ ସୁରକ୍ଷା, କ୍ୟାଡର ପୁନର୍ଗଠନ, ଲେବୁଲ ୧୫ ପେ’ ସ୍କେଲ ଉଚ୍ଛେଦ, ସ୍ବଚ୍ଛ ବଦଳି ନୀତି, କେବିକେ ଏଗ୍‌ଜିଟ୍‌ ପଲିସି, ଇନ୍‌ସ୍ୟୁରାନ୍ସ ଓ ଦନ୍ତ ଡାକ୍ତରଙ୍କୁ ଇନ୍‌ସେଣ୍ଟିଭ୍‌ ଭଳି ୧୦ଟି ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର । ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର ଗତକାଲି କଠୋର ଚେତାବନୀ ଦେଇଥିଲେ । ଆନ୍ଦୋଳନ ଛାଡି କାର୍ଯ୍ୟରେ ଯୋଗ ଦେବାକୁ ଚେତାବନୀ ଦେଇଥିଲେ । କାର୍ଯ୍ୟରେ ଯୋଗ ନ ଦେଲେ ଆନ୍ଦୋଳନରତ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ସିଡିଏମ୍ଓ, ପିଏଚଓଙ୍କୁ ନିର୍ଦେଶନାମା ଜାରି କରାଯାଇଥିଲା ।

ଜାନୁଆରୀ ୬ତାରିଖରୁ ରାଜ୍ୟରେ ଏସ୍‌ମା ଲାଗୁ କରିଛନ୍ତି ସରକାର। ଏସମା ବଳବତ୍ତର ଥିବା ସତ୍ତ୍ବେ ଡାକ୍ତର ମାନୁନଥିବାରୁ ରୋଗୀଙ୍କୁ ସେବା ଯୋଗାଇବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି। ସ୍ଥିତିର ମୁକାବିଲା ପାଇଁ ଆୟୁଷ ଡାକ୍ତର ଓ ଠିକା ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ତଥାପି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସରକାରୀ ଡାକ୍ତର। ଛଟପଟ ହେଉଛନ୍ତି ରୋଗୀ ।