ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ, ମାଛ ଚାଷ ସବସିଡି ପାଇଁ SHGରୁ ନେଉଥିଲେ ଲାଞ୍ଚ

Jul 05, 2026 - 16:38
ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ, ମାଛ ଚାଷ ସବସିଡି ପାଇଁ SHGରୁ ନେଉଥିଲେ ଲାଞ୍ଚ

ସୋନପୁର,୫ା୭: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ନିମ୍ନା ପଞ୍ଚାୟତର ମହିଳା ସରପଞ୍ଚ । ମାଛ ଚାଷ ସବସିଡି ପାଇଁ SHG ଠାରୁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ମହିଳା ସରପଞ୍ଚ ଜଣକ ସୂର୍ଯ୍ୟକାନ୍ତି ପାଣ୍ଡେ ବୋଲି ଜଣାପଡ଼ିଛି ।

ଜିପି ଟ୍ୟାଙ୍କରେ ମାଛ ଚାଷ ପାଇଁ ଆବଶ୍ୟକ ଚୁକ୍ତିପତ୍ର ସ୍ୱାକ୍ଷର କରିବା ପାଇଁ ଏବଂ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସପକ୍ଷରେ ଜିଲା ମତ୍ସ୍ୟ କାର୍ଯ୍ୟାଳୟରୁ ସବସିଡି ରାଶି ପ୍ରଦାନ କରିବା ପାଇଁ ପ୍ରଲୋଭିତ କରିଥିଲେ । ଏହି କାର୍ଯ୍ୟ କରିବା ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ କର୍ମକର୍ତ୍ତାଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ୱୟଂ ସହାୟକ ଗୋଷ୍ଠୀ ମାଛ ଚାଷ ପାଇଁ ପାଞ୍ଚ ବର୍ଷ ପାଇଁ ଜି.ପି. ଟ୍ୟାଙ୍କ ଲିଜ୍ ନେଇଛି।

ପ୍ରାରମ୍ଭରେ, ଅଭିଯୁକ୍ତ ସରପଞ୍ଚ ଉପରୋକ୍ତ ଉଦ୍ଦେଶ୍ୟ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତାଙ୍କଠାରୁ ଚାଳିଶ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। କିନ୍ତୁ, ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ଦାବି କରାଯାଇଥିବା ଲାଞ୍ଚ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଏହାପରେ ସରପଞ୍ଚ ୨୦ହଜାର ଟଙ୍କା ଦେବାକୁ କହିଥିଲେ । କୌଣସି ଉପାୟ ନପାଇ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତା (ଅଭିଯୋଗକାରୀ) ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ସୂଚନା ପାଇ, ଆଜି ଓଡ଼ିଶା ଭିଜିଲାନ୍ସର ଏକ ଦଳ ଅଭିଯୋଗକାରୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲେ । ସରପଞ୍ଚଙ୍କ ଠାରୁ ୨୦,୦୦୦ ଟଙ୍କା ଜବତ କରାଯାଇଛି । ବର୍ତ୍ତମାନ ସରପଞ୍ଚଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି ।

 

Dharitri – Odisha’s No.1 Odia Daily