ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ସିମନବାଡି–ତିଲୋରୀ ଯାତାୟାତ ଠପ୍

Jul 05, 2026 - 10:31
ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ସିମନବାଡି–ତିଲୋରୀ ଯାତାୟାତ ଠପ୍

ଦାରିଙ୍ଗବାଡି, ୫।୭ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା ଫଳରେ ବ୍ଲକର ତିଲୋରୀ ପଞ୍ଚାୟତକୁ ସଂଯୋଗ କରୁଥିବା ଗୁମାଡି ନଦୀର ଜଳସ୍ତର ବହୁ ପରିମାଣରେ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ନଦୀ ଉପରେ ନିର୍ମିତ ଅସ୍ଥାୟୀ ଡାଇଭର୍ସନ ରାସ୍ତା ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ସିମନବାଡିରୁ ତିଲୋରୀ ସମେତ ବୁଡ଼ାଗୁଡ଼ା, ଗୁମିକିଆ ଓ ବାଲିଗୁଡ଼ାକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ସୂଚନାନୁସାରେ, ସିମନବାଡି–ତିଲୋରୀ–ବାଲିଗୁଡ଼ା ପୂର୍ତ୍ତ ବିଭାଗ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଗୁମାଡି ନଦୀ ଉପରେ ଏକ ସେତୁ ନିର୍ମାଣ କାମ ଏପର୍ଯ୍ୟନ୍ତ ଅଧାପାନ୍ତରିଆ ଅବସ୍ଥାରେ ରହିଛି। ସେତୁ ନିର୍ମାଣ ସମୟରେ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଏକ ଅସ୍ଥାୟୀ ଡାଇଭର୍ସନ ରାସ୍ତା ନିର୍ମାଣ କରାଯାଇଥିଲା।

ତେବେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲଗାଣ ବର୍ଷା ଯୋଗୁଁ ନଦୀରେ ପ୍ରବଳ ସ୍ରୋତ ସୃଷ୍ଟି ହୋଇ ଡାଇଭର୍ସନ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ ନଦୀର ଅପରପାର୍ଶ୍ୱରେ ଥିବା ତିଲୋରୀ, ବୁଡ଼ାଗୁଡ଼ା, ଗୁମିକିଆ ସମେତ ଅନ୍ୟାନ୍ୟ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି।

ଏହି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ ଯାତାୟାତ, ଜରୁରୀକାଳୀନ ସେବା, ସ୍ୱାସ୍ଥ୍ୟ ସେବା ଓ ଦୈନନ୍ଦିନ କାର୍ଯ୍ୟକଳାପ ବ୍ୟାହତ ହୋଇଛି। ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନକୁ ଶୀଘ୍ର ସ୍ଥାୟୀ ସେତୁ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବା ସହ ଯାତାୟାତ ସ୍ୱାଭାବିକ କରିବାକୁ ଦାବି କରିଛନ୍ତି।

Dharitri – Odisha’s No.1 Odia Daily