ଭାରତ-ଚୀନ୍ ସହଯୋଗୀ, ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି: ଚୀନ୍‌

Jun 24, 2026 - 06:27
ଭାରତ-ଚୀନ୍ ସହଯୋଗୀ, ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି: ଚୀନ୍‌

ବେଜିଂ: ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଲେଖାହେବାକୁ ଯାଉଛି। ପୂର୍ବ ଲଦାଖକୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ସୀମା ବିବାଦ ରହିଛି। କିନ୍ତୁ ବର୍ତ୍ତମାନ ଚୀନ୍ ଉତ୍ତେଜନା ବଦଳରେ ସହଯୋଗୀ ଏବଂ ସହଭାଗୀ ଭଳି ଶବ୍ଦ ବ୍ୟବହାର କରୁଛି। ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏବଂ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କ ମଧ୍ୟରେ ବ୍ରିକ୍ସ ସମ୍ମିଳନୀ ଅବସରରେ ଏକ ଗଠନମୂଳକ ବୈଠକ ହୋଇଛି। ଚୀନ୍ ନିଜର ସ୍ୱର ବଦଳାଇ ଦ୍ୱିତୀୟ ଥର ପାଇଁ କହିଛି ଯେ, ଆମେ ଭାରତକୁ ପ୍ରତିଦ୍ୱନ୍ଦ୍ୱୀ ନୁହେଁ ବରଂ ଏକ ସହଯୋଗୀ ଭାବରେ ଦେଖୁଛୁ। ଭାରତ ଚଳିତ ବର୍ଷ ସେପ୍ଟେମ୍ବରରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଏ ନେଇ ଏକାଧିକ ବୈଠକ ଚାଲିଛି। ୱାଙ୍ଗ ୟି କହିଛନ୍ତି ଯେ ଭାରତ ଏବଂ ଚୀନ୍ ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀ। ଏନଏସଏ ଅଜିତ ଡୋଭାଲଙ୍କ ସହ ସାକ୍ଷାତ ସମୟରେ ଚୀନ୍ ବୈଦେଶିକ ମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ବିବୃତି ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ମାର୍ଗଦର୍ଶନରେ ଚୀନ୍-ଭାରତ ସମ୍ପର୍କରେ ପୁନର୍ବାର ଉନ୍ନତି ଘଟିଛି। ୱାଙ୍ଗ ୟି କହିଛନ୍ତି, ଚୀନ୍ ବ୍ରିକ୍ସ ଅଧ୍ୟକ୍ଷ ଭାବରେ ଭାରତର ଭୂମିକାକୁ ସମର୍ଥନ କରେ। ସେ ସ୍ୱୀକାର କରିଛନ୍ତି ଯେ, ଉଭୟ ପକ୍ଷର ମିଳିତ ପ୍ରୟାସ ଯୋଗୁ ବିଭିନ୍ନ କ୍ଷେତ୍ରରେ ଚୀନ୍-ଭାରତ ଆଦାନପ୍ରଦାନ ଧୀରେ ଧୀରେ ପୁନଃ ଆରମ୍ଭ ହୋଇଛି ଏବଂ ସହଯୋଗ ଏବେ ବ୍ୟବସ୍ଥିତ ଭାବରେ ଆଗକୁ ବଢୁଛି। ଭାରତ-ଚୀନ୍ ସୀମା ବିବାଦ ସମ୍ପର୍କରେ, ସେ କହିଛନ୍ତି ଯେ ସୀମା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଏବଂ ଉଭୟ ଦେଶ ସେମାନଙ୍କ ନେତାଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହମତିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବା ଉଚିତ୍। ୱାଙ୍ଗ ୟି କହିଛନ୍ତି, ଉଭୟ ଦେଶ ପରସ୍ପରର ମୂଳ ସ୍ୱାର୍ଥକୁ ସମ୍ମାନ ଦେବା ଏବଂ ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକୁ ସଠିକ୍ ଭାବରେ ପରିଚାଳନା କରିବା ଉଚିତ୍।