ଭାଜପାରେ ମିଶିପାରନ୍ତି ବିକ୍ରମ: ଗଞ୍ଜାମ ନୁହେଁ, ସବୁଠି ….
ଭୁବନେଶ୍ୱର,୨୦।୭ (ରବିନାରାୟଣ ଜେନା): ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ରାଜ୍ୟ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ କେବେ ବିକ୍ରମ ଭାଜପାରେ ମିଶିବେ ସେନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବାବେଳେ ରାଜ୍ୟ ଭାଜପା ସଭାପତି ତଥା ରାଜ୍ୟ ସଭା ସଦସ୍ୟ ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ସଙ୍ଗଠନ ଶକ୍ତିଶାଳୀ କରିବାପାଇଁ ଉଦ୍ୟମ ଚାଲିଛି। ସମସ୍ତଙ୍କ ପାଇଁ ଭାଜପା ଦ୍ୱାର ଖୋଲା ରହିଛି। କେବଳ ଗଞ୍ଜାମ ନୁହେଁ, ରାଜ୍ୟର ସବୁ ଜାଗାରେ ଶକ୍ତି ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି।
ରବିବାର ଏକ କାର୍ଯ୍ୟକ୍ରମ ଅବସରରେ ଭାଜପା ସଭାପତି ସାମଲ କହିଛନ୍ତି, ଦଳର ବିଚାରଧାରା ଓ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆକୃଷ୍ଟ ହୋଇ ଲୋକେ ଭାଜପାରେ ମିଶିବାକୁ ଚାହୁଁଛନ୍ତି। ଏହାସହିତ ରାଜ୍ୟରେ ଏକ ଲୋକାଭିମୁଖୀ ସରକାର ଚାଲିଛି। ଆମେ ଚାହୁଁଛୁ ଅଧିକରୁ ଅଧିକ ଲୋକ ଦଳରେ ଯୋଡ଼ି ହୁଅନ୍ତୁ। ତେବେ କେଉଁ ନେତା ଦଳରେ ମିଶିବେ ସେନେଇ ଦଳ ବିଚାର କରିବ। ଦଳର ନିଷ୍ପତ୍ତିକ୍ରମେ ମିଶ୍ରଣ ହେବ ବୋଲି ମନମୋହନ କହିଛନ୍ତି।
ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଛନ୍ତି, ଯଦି ବିକ୍ରମ ଆରୁଖ ଦଳରେ ସାମିଲ ହୁଅନ୍ତି, ତେବେ ଗଞ୍ଜାମରେ ଶକ୍ତି ବୃଦ୍ଧି ହେବ। ଏବେ ଗଞ୍ଜାମରେ ଭାଜପା ୧୩ଟି ବିଧାନସଭା ଆସନରୁ ୧୧ଟି ଜିତିଛି, ଆଗାମୀ ନିର୍ବାଚନରେ ୧୩ରୁ ୧୩ ସିଟ୍ ଜିତିବୁ। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଲୋକଙ୍କ ସରକାର ଚାଲିଛି। ପୂର୍ବ ସରକାରରେ ଲୋକେ ବହୁ ଅତିଷ୍ଠ ହୋଇ ରହିଛନ୍ତି। ସେଥିପାଇଁ ବିଜେଡି ଓ କଂଗ୍ରେସରୁ ବହୁ ନେତା ଓ କର୍ମୀ ଯୋଗଦେଉଛନ୍ତି। ଆଗାମୀ ଦିନରେ ଭାଜପା ଏକ ଶକ୍ତିଶାଳୀ ଦଳ ହେବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହି ପ୍ରସଙ୍ଗରେ ବିଜେଡି ରାଜନୈତିକ ବ୍ୟାପାର କମିଟି ସଦସ୍ୟ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା, ଆଲୋଚନା ହେଉଛି ତାହା ଅମୂଳକ ଏବଂ ଗୁଜବ ମାତ୍ର। ମୁଁ ବିଜେଡିର ପ୍ରତିଷ୍ଠାତା ସଦସ୍ୟ। ବିଜେଡିରେ ଥିଲି, ଅଛି ଏବଂ ରହିବି। ମାତ୍ର ଦଳର କେତେକ ବୈଠକରେ ଯୋଗଦେଇ ନ ଥିବାରୁ ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଏହାର ସତ୍ୟତା ନାହିଁ ବୋଲି ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।