ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

Jul 27, 2026 - 19:01
ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ଘରର ତାଲା ଭାଙ୍ଗି ପ୍ରାୟ ୭୦ ଭରି ସୁନା ଅଳଙ୍କାର ସହ ୨ ଲକ୍ଷ ଟଙ୍କା ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭାଜପା ଜ଼ିଲା ଉପସଭାପତି ଦେବେନ୍ଦ୍ର ପଣ୍ଡା ଗଞ୍ଜାମ ଜିଲା ଶେରଗଡ଼ ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ପରିବାର ସହ ଗତ ଜୁଲାଇ ୨୨ରୁ ଏକ ଭୋଜିରେ ଯୋଗଦେବା ପାଇଁ ଯାଇଥିଲେ। ରବିବାର ପରିବାର ଲୋକେ ଘରକୁ ଫେରିବା ପରେ, ଘରର ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଭିତରକୁ ଯାଇ ଦେଖିଲା ବେଳକୁ ଆଲମିରାରେ ରଖାଯାଇଥିବା ବିପୁଳ ପରିମାଣର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଗାଏବ ଥିଲା।
ଏ ନେଇ ସେ ସଙ୍ଗେ ସଙ୍ଗେ ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଖବର ପାଇ ପଦ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ଏବଂ ଡଗ ସ୍କ୍ବାଡ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ କେନ୍ଦୁଗୁଡ଼ା ଫାଣ୍ଡି ଅଧିକାରୀ ବୀରେନ୍ଦ୍ର ରାୟ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ନେଇ ଘଟଣାର ଛାନ୍‌ଭିନ୍‌ ଚଳାଇଛନ୍ତି। ବଡ଼ଧରଣର ଚୋରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ଖେଳିଯାଇଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଚୋରିର ପ୍ରକୃତ ପରିମାଣ ଜଣାପଡିବା ସହ ଏବଂ ଚୋରଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।