06 AUGUST 2026

Welcome!

Unlock your personalized experience.
Sign Up

ବଡ଼ଦାଣ୍ଡରେ ଲୋଟୁଛି ଶୈଶବ ଘଟଣା, ଜେଜେ, ନାତୁଣୀଙ୍କୁ ଖୋଜୁଛି ପ୍ରଶାସନ

Aug 06, 2026 - 09:48
ବଡ଼ଦାଣ୍ଡରେ ଲୋଟୁଛି ଶୈଶବ ଘଟଣା, ଜେଜେ, ନାତୁଣୀଙ୍କୁ ଖୋଜୁଛି ପ୍ରଶାସନ

ପୁରୀ,୦୬/୦୮: ‘ବଡ଼ଦାଣ୍ଡରେ ଲୋଟୁଛି ଶୈଶବ’ ଶୀର୍ଷକ ଖବର ପ୍ରକାଶନ ପରେ ଶିଶୁ ମଙ୍ଗଳ କମିଟି ଓ ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ଏନେଇ ଆଇନ୍ ସେବା ପ୍ରାଧିକରଣ ସମ୍ପାଦକଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଚିଠି ଦିଆଯାଇଛି । ଘଟଣାର ସରଜମିନ୍ ତଦନ୍ତ କରାଯାଇ ତୁରନ୍ତ ଶିଶୁକୁ ସହଯୋଗର ହାତ ବଢ଼ାଇବାକୁ କୁହାଯାଇଛି । ଅନୁରୂପ ଭାବେ ଶିଶୁ ମଙ୍ଗଳ କମିଟି ପକ୍ଷରୁ ମଧ୍ୟ ଶିଶୁର ସହାୟତା ଲାଗି ଶିଶୁ ସୁରକ୍ଷା ଅଧିକାରୀଙ୍କୁ କୁହାଯାଇଛି । ଜିଲ୍ଲା ପ୍ରଶାସନ ଜେଜେବାପା ଜିତେନ୍ଦ୍ର ମହାରଣା ଓ ତାଙ୍କ ନାତୁଣୀ ପରୀଙ୍କୁ ଖୋଜୁଛି । ଚାଇଲ୍ଡ ଲାଇନ୍ ଟିମ୍ ଦୁଇ ଦିନ ଖୋଜିଲା ପରେ ମଧ୍ୟ ସେମାନଙ୍କ ପତ୍ତା ପାଇପାରି ନଥିବା ସୂଚନା ରହିଛି । ଏନେଇ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ କୁହନ୍ତି ପରୀ ଓ ତାଙ୍କ ଜେଜେବାପାଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ସେମାନଙ୍କୁ ଖୋଜୁଛି ।

ଅଧିକ ପଢ଼ନ୍ତୁ :- Grandfather Begging With Granddaughter: ମା’ ଚାଲିଗଲେ...ବାପା ନିଖୋଜ, ଜଗା ଦୁଆରେ ନାତୁଣୀକୁ ଧରି ଭିକ୍ଷା ମାଗୁଛନ୍ତି ଜେଜେ!

ଆମ ଟିମ୍ ବଡ଼ଦାଣ୍ଡ ଓ ଷ୍ଟେସନ ଅଞ୍ଚଳକୁ ଏକାଧିକ ଥର ଯାଇଛି । ସେଠା ଲୋକଙ୍କୁ ପଚରାଉଚରା କରି ଜିତେନ୍ଦ୍ର ମହାରଣା ଓ ତାଙ୍କ ନାତୁଣୀ ପରୀ କେଉଁଠି ଅଛନ୍ତି ଜାଣିବାକୁ ଚେଷ୍ଟା କରିଛି । ପୁରୀରେ ଖୋଜାଖୋଜି କରି ନମିଳିଲେ ଆମ ଟିମ୍ ତାଙ୍କ ଗ୍ରାମକୁ ମଧ୍ୟ ଯିବ । କୌଣସି ପ୍ରକାରେ ସେମାନଙ୍କ ଠିକଣା ପାଇଗଲେ ଯାହା ସମ୍ଭବ ସରକାରୀ ସୁବିଧା ଉଭୟଙ୍କୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଶିଶୁ ଅଧିକାରୀ ଶ୍ରୀ ତ୍ରିପାଠୀ କହିଛନ୍ତି । ସୂଚନା ଥାଉକି ଏକ ବର୍ଷ ୧୦ମାସର ନାତୁଣୀ ପରୀଙ୍କୁ ଧରି ଜେଜେବାପା ଜିତେନ୍ଦ୍ର ମହାରଣା ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଭିକ୍ଷା ମାଗୁଥିବା ଖବର ୩ ତାରିଖ ‘ପ୍ରମେୟ’ରେ ପ୍ରକାଶ ପାଇଥିଲା । ଏହାପରେ ସହାୟତା ଯୋଗାଇ ଦେବାକୁ ପରୀ ଓ ତାଙ୍କ ଜେଜେବାପାଙ୍କୁ ଖୋଜିବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।