ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

Aug 05, 2026 - 17:40
ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର ଏସ୍‌ସି/ଏସ୍‌ଟି କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ତଦନ୍ତରେ ସହଯୋଗ କରିବେ, ଓଡିଶା ଛାଡି ବାହାରକୁ ଯିବେ ନାହିଁ, ଆବଶ୍ୟକ ହେଲେ ତାଙ୍କର ପାସପୋର୍ଟ ଦାଖଲ କରିବେ, ବାହାରକୁ ଗଲେ କୋର୍ଟଙ୍କ ଅନୁମତିରେ ହିଁ ଯିବେ, ମାମଲାର ସାକ୍ଷୀ ଓ ବିଭାଗର ଅଧିକାରୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି କୋର୍ଟ ପକ୍ଷରୁ ସର୍ତ୍ତ ରଖାଯାଇଛି । ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ବିବାଦ ସୃଷ୍ଟି ହେଲା ପରେ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ । ତଦନ୍ତ ଆରମ୍ଭ ହେବା ପରେ କ୍ରାଇମବ୍ରାଞ୍ଚ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗତ ମାସ ୧୪ ତାରିଖର ଗିରଫ କରାଯାଇଥିଲା।

ଏହି ତ୍ରୁଟି ପଛରେ ରାଜକୋଷରୁ ୧୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଥିଲା। ଅନ୍ୟପଟେ ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ଏବଂ ବଣ୍ଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ତନ୍ନ ତନ୍ନ କରି ଯାଞ୍ଚ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଦସ୍ତାବିଜ, ରେକର୍ଡ ଓ ଅନ୍ୟାନ୍ୟ ସାକ୍ଷ୍ୟ ସଂଗ୍ରହ କରିବା ସହ ସହ ବିଭାଗୀୟ କର୍ମଚାରୀଙ୍କୁ ପଚରାଉଚରା ଜାରି ରଖିଛି ଟିମ। ତଦନ୍ତକୁ ବ୍ୟାପକ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାର ନିରପେକ୍ଷ ତଦନ୍ତ କରାଯାଇ ପ୍ରମାଣ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।