ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ଆଗୁଆ ଫ୍ଲାଭିଓ ବୋଲସୋନାରୋ

Oct 05, 2026 - 16:14
ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ଆଗୁଆ ଫ୍ଲାଭିଓ ବୋଲସୋନାରୋ

ନନ୍ଦିଘୋଷ ବ୍ୟୁରୋ: ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟ ଭୋଟର ଫଳାଫଳ ଦେଶର ରାଜନୈତିକ ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ୯୮.୮୧ ପ୍ରତିଶତ ଭୋଟ ଗଣନା ଶେଷ ସୁଦ୍ଧା, ଦକ୍ଷିଣପନ୍ଥୀ ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋ ୪୭.୨୪ ପ୍ରତିଶତ ଭୋଟ ପାଇ ଆଗୁଆ ରହିଛି । ଅନ୍ୟପଟେ, ବର୍ତ୍ତମାନର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ୪୪.୯୧ ପ୍ରତିଶତ ଭୋଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି।

ବ୍ରାଜିଲର ନିର୍ବାଚନ ବ୍ୟବସ୍ଥା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ସିଧାସଳଖ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇବାକୁ ପଡ଼ିଥାଏ। ତେବେ ଫ୍ଲାଭିଓ ବୋଲସୋନାରୋ ଏହି ଆବଶ୍ୟକୀୟ ମ୍ୟାଜିକ୍ ନମ୍ବର ହାସଲ କରିବାରେ ବିଫଳ ହୋଇଛନ୍ତି। କୌଣସି ପ୍ରାର୍ଥୀ ୫୦ ପ୍ରତିଶତ ଅଙ୍କ ଛୁଇଁ ନ ଥିବାରୁ, ଏବେ ଏହି ଦୁଇ ପ୍ରମୁଖ ନେତା ଅକ୍ଟୋବର ୨୫ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସିଧାସଳଖ ମୁହାଁମୁହିଁ ହେବେ।

ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କ ପୁଅ ଫ୍ଲାଭିଓ ବୋଲସୋନାରୋଙ୍କ ଏହି ପ୍ରଥମ ପର୍ଯ୍ୟାୟ ପ୍ରଦର୍ଶନକୁ ବେଶ୍ ଦମଦାର୍ ବୋଲି ବିବେଚନା କରାଯାଉଛି। ସୂଚନାଯୋଗ୍ୟ ଯେ, ସାମରିକ ବିପ୍ଳବ ମାଧ୍ୟମରେ ପୂର୍ବ ନିର୍ବାଚନ ଫଳାଫଳକୁ ଓଲଟାଇ ଦେବାର ବିଫଳ ଷଡ଼ଯନ୍ତ୍ର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ, ପୂର୍ବତନ ଦକ୍ଷିଣପନ୍ଥୀ ନେତା ଜାଇର ବୋଲସୋନାରୋ ବର୍ତ୍ତମାନ ୨୭ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି।

ତେବେ ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ମତାମତ ସର୍ଭେରେ ଲୁଲା ସାମାନ୍ୟ ଆଗୁଆ ଥିଲେ ଏବଂ ଏକ କଡ଼ା ପ୍ରତିଯୋଗିତା ହେବ ବୋଲି ଆଶା କରାଯାଉଥିଲା। ତଥାପି, ଫ୍ଲାଭିଓ ବୋଲସୋନାରୋଙ୍କ ପ୍ରଦର୍ଶନ ସମସ୍ତ ଆକଳନକୁ ପଛରେ ପକାଇ ଦେଇଛି। ଏହି ଫଳାଫଳ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଫ୍ଲାଭିଓଙ୍କ ପାଇଁ ଫାଇଦାଗ୍ରାହୀ ହୋଇପାରେ, କାରଣ ଦ୍ୱିତୀୟ ପର୍ଯ୍ୟାୟକୁ ଯାଇପାରି ନ ଥିବା ଅନେକ ପ୍ରାର୍ଥୀ ମଧ୍ୟ ଦକ୍ଷିଣପନ୍ଥୀ ଶିବିରର। ଯଦି ବୋଲସୋନାରୋ ଏହି ସମସ୍ତ ସମର୍ଥକଙ୍କ ଭୋଟ୍ ସଂଗ୍ରହ କରିବାରେ ସଫଳ ହୁଅନ୍ତି, ତେବେ ଚୂଡ଼ାନ୍ତ ଲଢ଼େଇରେ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବ।

ବ୍ରାଜିଲର ଏହି ନିର୍ବାଚନ ଉପରେ ସମଗ୍ର ଲାଟିନ୍ ଆମେରିକାର କଡ଼ା ନଜର ରହିଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏହି ଅଂଚଳର ଅନେକ ଦେଶରେ ଦକ୍ଷିଣପନ୍ଥୀ ନେତାମାନେ କ୍ଷମତାସୀନ ହୋଇଛନ୍ତି। ଏହି ନେତାମାନଙ୍କ ମଧ୍ୟରୁ ଅନେକଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସହିତ ଘନିଷ୍ଠ ରାଜନୈତିକ ସମ୍ପର୍କ ରହିଛି। ସେଥିପାଇଁ ବ୍ରାଜିଲରେ ବାମପନ୍ଥୀ ନେତୃତ୍ୱ ଜାରି ରହିବ ନା କ୍ଷମତା ଦକ୍ଷିଣପନ୍ଥୀଙ୍କ ହାତକୁ ଯିବ, ତାହା କେବଳ ବ୍ରାଜିଲ ନୁହେଁ, ବରଂ ପୂରା ଲାଟିନ୍ ଆମେରିକାର ଆଗାମୀ ଭବିଷ୍ୟତ ନିର୍ଦ୍ଧାରଣ କରିବ।

ପାର୍ଲାମେଣ୍ଟର ଉଭୟ ଗୃହରେ ମଧ୍ୟ ଦକ୍ଷିଣପନ୍ଥୀ ଦଳଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି। ବୋଲସୋନାରୋଙ୍କ ସାବତ ମା’ ମିଶେଲ ଏବଂ ତାଙ୍କ ଭାଇ କାର୍ଲୋସ ସେନେଟ୍ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଯଦି ଫ୍ଲାଭିଓ ବୋଲସୋନାରୋ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତେବେ ସେ ତାଙ୍କ ପିତାଙ୍କ ଜେଲ୍ ଦଣ୍ଡ କ୍ଷମା କରିବାର ସମ୍ଭାବନା ମଧ୍ୟ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)