ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ
କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ ଜୀବନ ଚାଲିଯାଇଛି। ମୃତକ ଦୁଇଜଣ ହେଲେ ବାଲିପଡ଼ା ଗ୍ରାମର ସନ୍ତୋଷ ଦେହୁରୀ ଓ ପୁଅ ସତ୍ୟନାରାୟଣ(୨୮)।
ସୂଚନାନୁସାରେ, ଆଜି ଅରାହ୍ନରେ ସନ୍ତୋଷ ଗାଁ ନିକଟରେ ଥିବା ଗୋରଡିଆ ଜମିକୁ ଧାନ ରୋଇବାକୁ ପୁଅ ସତ୍ୟନାରାୟଣଙ୍କୁ ନେଇ ଯାଇଥିଲେ। ସେଠାରେ ବାପା ଓ ପୁଅ ଧାନ ରୋଇବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଫଳରେ ଉଭୟ ବିଲ ଭିତରେ ଟଳି ପଡ଼ିଥିଲେ। ନିକଟରେ ଥିବା କିଛି ସ୍ଥାନୀୟ ଲୋକ ଏହାଦେଖି ଉଭୟଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକେ ମେଡିକାଲରେ ପହଞ୍ଚିଛନ୍ତି। ଏପଟେ ଏକାସାଙ୍ଗରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବାରୁ କାନ୍ଦବୋବାଳିରେ ଗାଁ ଫାଟି ପଡୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।