Dharmendra Pradhan Resignation: ଇସ୍ତଫା ପରେ କେନ୍ଦ୍ରମନ୍ତ୍ରୀଙ୍କୁ କେତେ ମିଳେ ପେନସନ୍? ଜାଣନ୍ତୁ କ’ଣ କହୁଛି ନିୟମ

Jul 26, 2026 - 13:20
Dharmendra Pradhan Resignation: ଇସ୍ତଫା ପରେ କେନ୍ଦ୍ରମନ୍ତ୍ରୀଙ୍କୁ କେତେ ମିଳେ ପେନସନ୍? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬ା୭:ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚାପ ବଢ଼ିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା କକ୍‌ରୋଚ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଦୀର୍ଘଦିନ ଧରି ଚାଲିଥିବା ଆନ୍ଦୋଳନର ମୁଖ୍ୟ ଦାବି ଥିଲା। ଏହି ଆନ୍ଦୋଳନ ଜାତୀୟ ରାଜଧାନୀରୁ ଆରମ୍ଭ ହୋଇ ଦେଶର ବିଭିନ୍ନ ଭାଗକୁ ବ୍ୟାପିବା ପରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି।

କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପୁଣି ଥରେ ଭାରତରେ ମନ୍ତ୍ରୀମାନଙ୍କ ଦରମା, ସୁବିଧା ଏବଂ ପେନସନକୁ ନିୟନ୍ତ୍ରଣ କରୁଥିବା ନିୟମଗୁଡ଼ିକ ଉପରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଜଣେ ବ୍ୟକ୍ତି ମନ୍ତ୍ରୀ ପଦ ଛାଡ଼ିବା ପରେ ଅନେକ ସରକାରୀ ସୁବିଧା ହରାଉଥିଲେ ବି, କେବଳ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେବା ଦ୍ୱାରା ସେ ସ୍ୱତଃପ୍ରବୃତ୍ତ ଭାବେ ପେନସନ୍ ପାଇଁ ଯୋଗ୍ୟ ହୋଇନଥାନ୍ତି। ଏହି ଯୋଗ୍ୟତା ଏହି କଥା ଉପରେ ନିର୍ଭର କରେ ଯେ ସେହି ବ୍ୟକ୍ତି ସଂସଦ ସଦସ୍ୟ (ସାଂସଦ) ଭାବରେ କାର୍ଯ୍ୟ ଜାରି ରଖିଛନ୍ତି କି ନାହିଁ। ଏହା ସହିତ ସଂସଦ ସଦସ୍ୟଙ୍କ ଦରମା, ଭତ୍ତା ଏବଂ ପେନସନ୍ ଆଇନର ପ୍ରାବଧାନ ଉପରେ ମଧ୍ୟ ଏହି ଯୋଗ୍ୟତା ନିର୍ଭର କରିଥାଏ।

ଇସ୍ତଫା ପରେ ଦରମା ଏବଂ ଭତ୍ତା

 ଜଣେ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ ହୋଇଗଲେ, ମନ୍ତ୍ରୀ ପଦ ସହିତ ଜଡ଼ିତ ସମସ୍ତ ସୁବିଧା ସମାପ୍ତ ହୋଇଯାଏ। ଏଥିରେ ମନ୍ତ୍ରୀଙ୍କ ମୂଳ ଦରମା, ସରକାରୀ ଭତ୍ତା, ସରକାରୀ ଗାଡ଼ି, କର୍ମଚାରୀ ଏବଂ ମନ୍ତ୍ରୀ ପଦ ପାଇଁ ମିଳୁଥିବା ଅନ୍ୟାନ୍ୟ ସୁବିଧା ଅନ୍ତର୍ଭୁକ୍ତ। ପ୍ରାପ୍ତ ନିୟମ ଅନୁଯାୟୀ, କାର୍ଯ୍ୟକାଳ ସମୟରେ ମିଳିଥିବା ସରକାରୀ ବଙ୍ଗଳା କାର୍ଯ୍ୟାଳୟ ଛାଡ଼ିବାର ପ୍ରାୟ ୧ ମାସ ମଧ୍ୟରେ ଖାଲି କରିବାକୁ ପଡ଼ିଥାଏ।

ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ପେନସନ୍

କେବଳ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିବା କାରଣରୁ କୌଣସି ମନ୍ତ୍ରୀଙ୍କୁ ପେନସନ୍ ମିଳେନାହିଁ। ଯଦି ସେହି ବ୍ୟକ୍ତି ସଂସଦ ସଦସ୍ୟ ଭାବରେ କାର୍ଯ୍ୟ ଜାରି ରଖନ୍ତି, ତେବେ ସେ ପେନସନ୍ ବଦଳରେ ସାଂସଦମାନଙ୍କୁ ମିଳୁଥିବା ଦରମା ଏବଂ ଭତ୍ତା ପାଇବାର ହକ୍‌ଦାର ହୋଇରହନ୍ତି। ସଂସଦୀୟ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ଏକାସାଙ୍ଗରେ ସାଂସଦଙ୍କ ଦରମା ଏବଂ ପ୍ରାକ୍ତନ ସାଂସଦଙ୍କ ପେନସନ୍ ପାଇପାରିବେ ନାହିଁ।

ମନ୍ତ୍ରୀ ପଦରୁ ଇସ୍ତଫା ପରେ ବି ଜାରି ରହେ ସାଂସଦଙ୍କ ଦରମା

ଯଦିଓ ମନ୍ତ୍ରୀ ପଦ ଶେଷ ହୋଇଯାଏ, ଜଣେ ନିର୍ବାଚିତ ସାଂସଦ ଭାବରେ ସେହି ବ୍ୟକ୍ତିଙ୍କ ସ୍ଥିତିରେ ସେ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ଆସେନାହିଁ, ଯେ ପର୍ଯ୍ୟନ୍ତ ସେ ସଂସଦରୁ ଇସ୍ତଫା ନ ଦିଅନ୍ତି କିମ୍ବା ତାଙ୍କ କାର୍ଯ୍ୟକାଳ ଶେଷ ନ ହୁଏ। ସେହି ବ୍ୟକ୍ତିଙ୍କୁ ସଂସଦ ସଦସ୍ୟମାନଙ୍କୁ ମିଳୁଥିବା ଦରମା, ନିର୍ବାଚନ ମଣ୍ଡଳୀ ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ମିଳିବା ଜାରି ରହେ।

 କେବେ ମିଳେ ପେନସନ୍?

ଜଣେ ପୂର୍ବତନ ମନ୍ତ୍ରୀ ସଂସଦ ସଦସ୍ୟ (ସାଂସଦ) ନ ରହିବା ପରେ ହିଁ ପେନସନ୍ ପାଇଁ ଯୋଗ୍ୟ ହୁଅନ୍ତି।

ସଂସଦ ସଦସ୍ୟଙ୍କ ଦରମା, ଭତ୍ତା ଏବଂ ପେନସନ୍ ଆଇନ ଅନୁଯାୟୀ, ପ୍ରାକ୍ତନ ସାଂସଦମାନଙ୍କୁ ସର୍ବନିମ୍ନ ମାସିକ ପେନସନ୍ ₹୩୧,୦୦୦ ମିଳିଥାଏ। ପ୍ରାରମ୍ଭିକ ୫ ବର୍ଷର କାର୍ଯ୍ୟକାଳ ପରେ, ପ୍ରତ୍ୟେକ ଅତିରିକ୍ତ ବର୍ଷର ସଂସଦୀୟ ସେବା ପାଇଁ ପେନସନ୍‌ରେ ମାସିକ ₹୨,୫୦୦ ଲେଖାଏଁ ବୃଦ୍ଧି ହୋଇଥାଏ।

ମାସିକ ପେନସନ୍ ବ୍ୟତୀତ, ପ୍ରାକ୍ତନ ସଂସଦ ସଦସ୍ୟମାନେ ଅବସର ପରେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ସୁବିଧା ପାଇବାକୁ ଯୋଗ୍ୟ ରହନ୍ତି:

  1. ଚିକିତ୍ସା ସୁବିଧା: କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (CGHS) ଅଧୀନରେ ମାଗଣା ଚିକିତ୍ସା।

  2. ଭ୍ରମଣ ସୁବିଧା: ନିୟମାବଳୀ ଅଧୀନରେ ଭାରତୀୟ ରେଳବାଇରେ ପ୍ରଥମ ଶ୍ରେଣୀ AC ରେ ମାଗଣା ଯାତ୍ରା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।