ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

Aug 06, 2026 - 12:02
ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ ଶହୀଦ ଲକ୍ଷ୍ମଣନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ମାଳିଗୁଡା ଗ୍ରାମର ରବି ପାମ୍ବିଆ ଓ ତାଙ୍କ ସ୍ତ୍ରୀ ମଙ୍ଗଳବାର ନିଜ ତିନି ବର୍ଷର ପୁଅ ଉତ୍ତମକୁ ସାଙ୍ଗରେ ଧରି ଚାଷ ଜମିକୁ ଯାଇଥିଲେ । ପୁଅ ଉତ୍ତମକୁ ନିଦ ଲାଗିବା ପରେ ତାକୁ ସେହି ଜମି ହିଡର ଏକ ଗଛ ତଳେ ଶୁଆଇ ଦେଇଥିଲେ । କିଛି ସମୟ ପରେ ଉତ୍ତମ ଚିତ୍କାର କରି କାନ୍ଦିବା ଆରମ୍ଭ କରିଥିଲା। ଏହି ସମୟରେ କାମ ଛାଡି ମାବାପା ଓ ଆଉକିଛି ଲୋକେ ଘଟଣାସ୍ଥଳେ ପହଞ୍ଚିଥିଲେ । ଉତ୍ତମଙ୍କ ମୁହଁ ଫୁଲିଯାଇଥିବା ଦେଖିଯାଇଥିଲା । ତାଙ୍କୁ ତୁରନ୍ତ ପୁକାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଓ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ଉକ୍ତ ଡାକ୍ତରଖାନାରେ ଚିକିତ୍ସାଧିନ ସମୟରେ ମଙ୍ଗଳବାର ବିଳମ୍ବିତ ରାତିରେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ବୁଧବାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

ସେପଟେ ଏହିପରି ଦୁଃଖଦ ଘଟଣାରେ ସ୍ଥାନୀୟ ତହସିଲଦାର ଦୁଃଖ ପ୍ରକାଶ କରିଛନ୍ତି । ନାବାଳକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ପୋଲିସର ମାମଲା ରୁଜୁ ସମ୍ପର୍କିତ ରିପୋର୍ଟ ଆସିବା ପରେ ସରକାରଙ୍କ ନିୟମ ଅନୁସାରେ ୦୪ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।