ବିଭବେ ସ୍ବଭାବ ନଷ୍ଟ

Jul 27, 2026 - 11:35
ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି ମଲେ ତୁଟେ’। କିନ୍ତୁ ଜନ୍ମରୁ ମୃତ୍ୟୁ ଯାଏ ମଣିଷ ଯେଉଁ ପରିସ୍ଥିତି, ସମୟ, ସୁବିଧା, ସୁଯୋଗ ଆଦିର ସମ୍ମୁଖୀନ ହୁଏ ସେ ସବୁ ତା’ ଉପରେ ଏପରି ପ୍ରଭାବ ପକାଏ ଯେ ବେଳେବେଳେ ସେ ତା’ ଉପରୁ ନିୟନ୍ତ୍ରଣ ହରେଇ ବସେ ଏବଂ ଇଚ୍ଛା ବିରୋଧରେ କେବେ କେମିତି ନିଜ ସ୍ବଭାବବିରୁଦ୍ଧ କାର୍ଯ୍ୟ କରିବାକୁ ବାଧ୍ୟ ହୁଏ। ପରବର୍ତ୍ତୀ ସମୟରେ ଏଭଳି ଅନୀତି ପାଇଁ କେହି କେହି ପଶ୍ଚାତ୍ତାପ କରନ୍ତି ଏବଂ ସମାଜ ବି ତାକୁ ‘ଅଭାବେ ସ୍ବଭାବ ନଷ୍ଟ’ ନ୍ୟାୟରେ ହାଲୁକା ଭାବରେ ଗ୍ରହଣ କରିନିଏ। ଯାହାର ମଣିଷପଣିଆ ଥାଏ ସେ ଏଭଳି ଘଟଣାରୁ କିଛି ଶିକ୍ଷା ଲାଭ କରି ପରବର୍ତ୍ତୀ କାଳ ପାଇଁ ହୁସିଆର ହୋଇଯାଏ।
ଉତ୍ତମ ସ୍ବଭାବର ଲୋକ ଅନ୍ୟର ଉଦାହରଣ ଦେଖି, ଶୁଣି ବା ଜାଣି ନିଜକୁ ସଜାଡ଼ି ନିଅନ୍ତି। କିନ୍ତୁ ଯେତେବେଳେ ମଣିଷ ମନ ଭିତରେ ବ୍ୟକ୍ତିଗତ ସ୍ବାର୍ଥ ଅନୁପ୍ରବେଶ କରେ ସେ ତା’ର ଦାସ ହୋଇଯାଏ ଏବଂ ସ୍ବାର୍ଥର ପ୍ରତିଫଳନ ସ୍ବରୂପ ଲୋଭର ବଶବର୍ତ୍ତୀ ହୋଇ ଆଖି ଥାଇ ଅନ୍ଧ ପାଲଟିିଯାଏ। ଲୋଭର ଅନ୍ତ ନ ଥାଏ, ଧନଲୋଭ ନରକକୁ ଟାଣିନିଏ । ଫଳରେ ନୀତି ଅନୀତି, ଧର୍ମ ଅଧର୍ମ ଏ ସବୁ ମାନବ ସୁଲଭ ବିଭାବ ଦୂରେଇ ଯାଇ ପତନର ମାର୍ଗ ସ୍ପଷ୍ଟ ହୋଇଯାଏ।
ସମ୍ପ୍ରତି ଘଟିଥିବା ଅଯୋଧ୍ୟାର ନୂତନ ରାମ ମନ୍ଦିର ଟ୍ରଷ୍ଟର ଦାନଅର୍ଥର ଲୁଣ୍ଠନ ଏହାର ସଦ୍ୟତମ ଉଦାହରଣ। ଯେଉଁମାନେ ଏହି ଲୁଣ୍ଠନ ପ୍ରକ୍ରିୟାରେ ସଂଶ୍ଲିଷ୍ଟ ସେମାନଙ୍କର କିଛି ଅଭାବ ନ ଥିଲା। ତଥାପି ସେମାନେ ସମସ୍ତ ନୈତିକତା ପ୍ରତି ଆଖିବୁଜି ଦେଇ ଏଭଳି ଘୃଣ୍ୟ କର୍ମ କରିବାକୁ ପ୍ରୟାସୀ ହେଲେ, ଯାହାର କୁଫଳ ସେମାନେ ଅଚୀରେ ଭୋଗ କଲେ। ଲୋଭର ଶିକାର ହୋଇ ପଦସ୍ଥ ଅଧିକାରୀ ମାନେ ଯେପରି ଦଣ୍ଡିତ ହେଉଛନ୍ତି ସେମାନଙ୍କ ଦୁରବସ୍ଥା କଥା ଚିନ୍ତା କରାଯାଇପାରେ। ଡାକ୍ତରଖାନା ପରି ସମ୍ବେଦନଶୀଳ ସ୍ଥାନରେ ଚିକିତ୍ସା ସହିତ ଟଙ୍କାକୁ ଯୋଡ଼ିବା କିମ୍ବା ମୃତଦେହ ହସ୍ତାନ୍ତର କରିବା ପାଇଁ ଅର୍ଥ ଦାବି କରିବା ଭଳି ଘଟଣା ଅନେକ ସମୟରେ ଗଣ ମାଧ୍ୟମରେ ପ୍ରକାଶ ପାଏ। ଚିନ୍ତାର କାରଣ ହେଉଛି ଅଧିକାରୀ ଓ ଅଧସ୍ତନ କର୍ମଚାରୀ ସ୍ତରରେ ଅନିୟନ୍ତ୍ରିତ ଭାବରେ ବଢି ଚାଲିିଥିବା ଉତ୍କୋଚ ଦାବି। ମାସକୁ ଲକ୍ଷାଧିକ ଟଙ୍କା ବେତନ ପାଉଥିବା ଅନେକ ପଦସ୍ଥ କର୍ମଚାରୀ ଉତ୍କୋଚ ନେବା ପାଇଁ ବ୍ୟାକୁଳ ହୋଇ କିପରି ହାତ ବଢେଇ ଦିଅନ୍ତି ଏବଂ କାଳକ୍ରମେ ଅଭ୍ୟାସଗତ ଲାଞ୍ଚୁଆ ବନି ଯାଆନ୍ତି ଏହା ଏବେ ଏକ ସାଧାରଣ କଥା । ସେମାନେ ଯେ ଅଭାବରେ ପଡ଼ି କିମ୍ବା ଗୁଜୁରାଣ ମେଣ୍ଟାଇବା ପାଇଁ ଏଭଳି ନୀଚ ଉପାୟ ଅବଲମ୍ବନ କରନ୍ତି ତାହା ନୁହେଁ, ବରଂ ବିନା ପରିଶ୍ରମରେ ରାତାରାତି କୋଟିପତି ହେବା, ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଚିତ ହେବା, ନିଜର ପରିବାର ତଥା ବଂଶଧରମାନଙ୍କ ପାଇଁ ଅମାପ ଧନ ସମ୍ପତ୍ତି ଠୁଳ କରିବା ଆଦିର ମୋହ ସେମାନଙ୍କୁ ଘାରିଥାଏ। କେତେକ କ୍ଷେତ୍ରରେ କର୍ମଚାରୀଟିଏ ସାଧୁ ଓ ସଚ୍ଚୋଟ ଚରିତ୍ରର ହୋଇଥିଲେ ବି ପରିବାର ଓ ପରିଜନଙ୍କ ପ୍ରରୋଚନାରେ ଅସତ୍‌ ଉପାୟ ଆପଣେଇବାକୁ ବାଧ୍ୟ ହୁଏ ତ କେବେ କେବେ ସହକର୍ମୀ, ସହପାଠୀ କିମ୍ବା ସମ୍ପର୍କରେ ଆସୁଥିବା ଜଣାଶୁଣା ଲୋକଙ୍କର ବୈଭବ ସହିତ ନିଜର ସ୍ଥିତିକୁ ତୁଳନା କରି କେମିତି ଏକ ହୀନମନ୍ୟତାର ଶିକାର ହୁଏ ଯାହା ଶେଷରେ ତାକୁ ଦୁର୍ନୀତିର ପଥ ଦେଖାଏ। ଅନ୍ୟପକ୍ଷରେ କେତେକ ଲୋକଙ୍କର ସ୍ବଭାବ ଚରିତ୍ର ଜନ୍ମରୁ ସେୟା ଏବଂ ପରିବାରର ଅସମର୍ଥନ ଓ ବାରଣ ସତ୍ତ୍ୱେ ସେମାନେ କୁକର୍ମରୁ ବିରତ ହୁଅନ୍ତି ନାହିଁ। ଏହା ଏକ ଅଭ୍ୟାସରେ ପଡ଼ି କ୍ରମେ ନିଶାରେ ପରିଣତ ହୋଇଯାଏ, ଯେଉଁଥିରୁ ମୁକ୍ତି ମିଳେନା। କାରଣ ଧନ ସମ୍ପତ୍ତି ଆହରଣ ଏକମାତ୍ର କାମନା ଯାହାର ସୀମା ନ ଥାଏ ଏବଂ ତା’ର ପରିଣାମ କ’ଣ ହୁଏ ସମସ୍ତେ ଜାଣନ୍ତି। ଏମିତି ବି ହୁଏ ଅଚଳାଚଳ ସମ୍ପତ୍ତିର ଐଶ୍ବର୍ଯ୍ୟ ଭୋଗରେ ବୁଡ଼ି ରହି କେହି କେହି ଆପଣାର ଭଲ ସ୍ବଭାବକୁ ମନ୍ଦରେ ପରିଣତ କରି ଦିଅନ୍ତି। ଏ ସବୁ ଘଟଣାକୁ ଅନୁଧ୍ୟାନ କଲେ ମନରେ ଏକ ଧାରଣା ସୃଷ୍ଟି ହୁଏ। ବୋଧହୁଏ ଯୁଗ ରୁଚି ଅନୁଯାୟୀ କାଳ କାଳରୁ ପ୍ରଚଳିତ ଲୋକବାଣୀ ‘ଅଭାବେ ସ୍ବଭାବ ନଷ୍ଟ’ର ପ୍ରତୀକ ସ୍ବରୂପ ସଂଖ୍ୟାଧିକ ଲୋକ ଏବେ ବି ରହିଥିବା ବେଳେ ସଂଖ୍ୟାଲଘୁ କେତେକଙ୍କ ଯୋଗୁ ଏହି ସୂକ୍ତିଟି ‘ବିଭବେ ସ୍ବଭାବ ନଷ୍ଟ’ର ଭ୍ରମ ସୃଷ୍ଟି କରୁଛି।
ଅଲେଖ ଚନ୍ଦ୍ର ମିଶ୍ର
ମୋ:୯୪୩୮୬୭୩୮୯୮

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।