ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ
ପୁରୀ,୨୭ା୭ (ଅଜିତ୍ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ ଅବସ୍ଥାନ କରୁଛନ୍ତି ମହାପ୍ରଭୁ। ରବିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରିିବିଜେକୁ ଅପେକ୍ଷା କରିଛନ୍ତି ଭକ୍ତ। ସୋମବାର ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଶେଷ ହେବ। ସେହିପରି ନୀଳାଦ୍ରିବିଜେ ପରେ ମଙ୍ଗଳବାରଠାରୁ ପୁଣି ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଉଠିବ ଓ ଭକ୍ତମାନେ ନୀଳାଚଳ ଅବଢ଼ା ପାଇପାରିବେ।
ସୋମବାର ଶ୍ରୀବିଗ୍ରହଙ୍କ ନୀଳାଦ୍ରି ବିଜେ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ଭୋର୍ ୪ଟାରେ ରଥରେ ମଙ୍ଗଳ ଆଳତି ଅନୁଷ୍ଠିତ ହେବ, ପରେ ଅନ୍ୟାନ୍ୟ ନୀତି ହୋଇ ସକାଳ ଧୂପ ୮ଟାରେ ସମ୍ପନ୍ନ ହେବ । ପରେ ମଇଲମ, ମହାସ୍ନାନ ସର୍ବାଙ୍ଗ, ବେଶ ଶେଷ ହୋଇ ମଧ୍ୟାହ୍ନ ଧୂପ ପରେ ଅନ୍ୟାନ୍ୟ ନୀତି ହୋଇ ଅପରାହ୍ନ ୧ଟା ୩୦ରେ ସା ଧୂପ ସମ୍ପନ୍ନ କରାଯିବ। ଅପରାହ୍ନ ୧ଟା ୩୦ରୁ ୩ ଟା ୩୦ ମଧ୍ୟରେ ଚାରମାଳ ବନ୍ଧା ହୋଇ ୩ଟା ୩୦ରେ ସିଂହାସନ ମାଜଣା କରାଯିବ, ୩ଟା ୫୦ରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ଅପରାହ୍ନ ୪ଟାରେ ନୀଳାଦ୍ରିବିଜେ ପହଣ୍ଡି ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି॥ ମୁଦିରସ୍ତ ସେବକ ତିନିରଥରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ବିଜେ କାହାଳୀ ବାଜିବ। ଘୋଷ ଘଣ୍ଟୁଆଙ୍କ ଘଣ୍ଟନାଦ ମଧ୍ୟରେ ଠାକୁରମାନେ ଗୋଟି ପହଣ୍ଡିରେ ରଥରୁ ଶ୍ରୀମନ୍ଦିରକୁ ବିଜେ କରିବେ। ପ୍ରଥମେ ମହାଜନ ସେବକମାନେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରୁ ଶ୍ରୀରାମକୃଷ୍ଣ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଶ୍ରୀମଦନମୋହନଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଇବେ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରୁ ଚକ୍ରରାଜ ସୁଦର୍ଶନ, ତାଳଧ୍ୱଜ ରଥରୁ ପ୍ରଭୁ ବଳଭଦ୍ର ଶ୍ରୀମନ୍ଦିରକୁ ବିଜେ କରିବେ। ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହେବ। ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବା ମାତ୍ରେ ମହାଲକ୍ଷ୍ମୀ ଭେଟମଣ୍ଡପକୁ ବିଜେ କରିବେ। ଭିତରସ୍ଥ ମହାପାତ୍ର ଭେଟମଣ୍ଡପରେ ମହାଲକ୍ଷ୍ମୀ ଏବଂ ମହାପ୍ରଭୁଙ୍କ ଭେଟ କରାଇବେ। ସେଠାରେ ବନ୍ଦାପନା ନୀତି ହେବ। ନବଦିନାତ୍ମକ ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ସାଥିରେ ନେଇ ନ ଥିବାରୁ ସେ ଅଭିମାନ କରି ରହିଛନ୍ତି। ତେଣୁ ମହାପ୍ରଭୁ ପହଣ୍ଡି ହୋଇ ସିଂହଦ୍ୱାର ନିକଟରେ ପହଞ୍ଚିବା ମାତ୍ରେ ମହାଲକ୍ଷ୍ମୀ ସିଂହଦ୍ୱାର କବାଟ ବନ୍ଦ କରିଦେବେ। ପରେ ସେ କବାଟ ଖୋଲିଲେ ମହାପ୍ରଭୁ ଶ୍ରୀମନ୍ଦିର ପରିସରକୁ ବିଜେ କରିବେ। ମାତ୍ର ମହାଲକ୍ଷ୍ମୀ ଜୟବିଜୟ ଦ୍ୱାର ବନ୍ଦ କରିଦେବେ। ଠାକୁର ଠାକୁରାଣୀଙ୍କ ମଧ୍ୟରେ ବଚନିକା ହେବ। ଏହାକୁ ଲକ୍ଷ୍ମୀ-ନାରାୟଣ ବଚନିକା ବୋଲି କୁହାଯାଏ। ନୀତି ସରିବା ପରେ ଭଣ୍ଡାରଘର ନିକଟରେ ମହାପ୍ରଭୁ ଏବଂ ମହାଲକ୍ଷ୍ମୀଙ୍କ ବିବାହ ଗଇଁଠାଳ ଫିଟିବ। ମହାପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ। ଅନ୍ୟାନ୍ୟ ନୀତି ଶେଷ ପରେ ରତ୍ନସିଂହାସନକୁ ମହାପ୍ରଭୁ ବିଜେ କରିବେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।