ବିପଦଜନକ ‘ସୁଇଚ୍ ଭାଲ୍ ଚାମ୍ବର’: ଥୁଆମୂଳ ରାମପୁରରେ ଦୁଇଟି ପୃଥକ୍ ସ୍ଥାନରେ ଗାତରେ ଗଳିଲା କାର୍
ଥୁଆମୂଳ ରାମପୁର, ୬ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସଦର ମହକୁମାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । ବସୁଧା ଜଳଯୋଗାଣ ଯୋଜନାର ଏକ ମୁକୁଳା ‘ସୁଇଚ୍ ଭାଲ୍ ଚାମ୍ବର’ ଯୋଗୁଁ ସୋମବାର ଏକ ଚାରିଚକିଆ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତିଛନ୍ତି ଚାଳକ । ଗୋଟିଏ ଗାଡ଼ି ଅଳ୍ପ ସମୟ ବ୍ୟବଧାନରେ ଦୁଇଟି ପୃଥକ୍ ସ୍ଥାନରେ ଥିବା ମୁକୁଳା ଗାତରେ ଗଳି ପଡ଼ିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଥୁଆମୂଳ ରାମପୁରରେ ପାନୀୟ ଜଳ ଯୋଗାଣ ପାଇଁ ଭବାନୀପାଟଣା-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତା କଡ଼ରେ ପାଇପ୍ଲାଇନ୍ ସହ ଚାମ୍ବର ନିର୍ମାଣ କରାଯାଇଛି । ପୂର୍ବରୁ ଏହି ସୁଇଚ୍ ଭାଲ୍ ଚାମ୍ବରଗୁଡ଼ିକ ରାସ୍ତା କଡ଼ରେ ଥିବା ବେଳେ ସମ୍ପ୍ରତି ମୁଖ୍ୟ ରାସ୍ତାର ପ୍ରସାରଣ ଓ ନବୀକରଣ କରାଯାଇଛି । ରାସ୍ତା ଓସାରିଆ ହେବା ପରେ ଏହି ବିପଦଜନକ ଚାମ୍ବରଗୁଡ଼ିକୁ ସ୍ଥାନାନ୍ତର କରାଯାଇ ନାହିଁ । ଫଳରେ ଏହା ମୁଖ୍ୟ ପିଚୁ ରାସ୍ତାର ଅତି ନିକଟକୁ ଚାଲିଆସିଛି, ଯାହା ନିତିଦିନିଆ ଦୁର୍ଘଟଣାର କାରଣ ସାଜିଛି।
ସୋମବାର ଜଣେ କାର୍ ଚାଳକ (ଗାଡ଼ି ନଂ- ଓଡି୦୨ସିଜେଡ୍ ୫୮୯୫) କଲମପୁର ଛକ ଦେଇ ଯାଉଥିବା ସମୟରେ ରାସ୍ତା ସ୍ଥିତି ବିଷୟରେ ଅବଗତ ନଥିବାରୁ ମୁକୁଳା ଚାମ୍ବର ଭିତରକୁ ଗାଡ଼ିର ଚକ ଗଳି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ କାର୍ଟିକୁ ଉଦ୍ଧାର କରାଯାଇଥିଲା। ଏହାର କିଛି ସମୟ ପରେ ସେହି କାର୍ ଚାଳକ ଜଣକ ମାର୍କେଟ ପାର୍ଶ୍ୱରୁ ଫେରୁଥିବା ବେଳେ ପଞ୍ଚାୟତ ଛକ ସ୍ଥିତ ଆଇସିଡିଏସ୍ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆଉ ଏକ ମୁକୁଳା ଚାମ୍ବର ଗାତରେ ପୁଣି ଥରେ ଗଳି ପଡ଼ିଥିଲେ। ସେଠାରେ ମଧ୍ୟ ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ଗାଡ଼ିକୁ ଠେଲି ଅତି କଷ୍ଟରେ ବାହାର କରିଥିଲେ। ଭାଗ୍ୟବଶତଃ ଏଥିରେ କାହାରି ପ୍ରାଣହାନି ଘଟିନାହିଁ।
ଏହି ଜନଗହଳିପୂର୍ଣ୍ଣ ମୁଖ୍ୟ ରାସ୍ତାରେ ନିତିଦିନ ଶତାଧିକ ଗାଡ଼ି ଓ ପଥଚାରୀ ଯାତାୟାତ କରନ୍ତି । ରାତ୍ରି ସମୟରେ ଅନ୍ଧାର ଯୋଗୁଁ ଏହି ଗାତଗୁଡ଼ିକ ଦୃଶ୍ୟମାନ ହେଉ ନଥିବାରୁ ପୂର୍ବରୁ ଅନେକ ପଥଚାରୀ ଓ ଗୋରୁଗାଈ ଏଥିରେ ପଡ଼ି ଆହତ ହୋଇଛନ୍ତି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଏବଂ ରାସ୍ତା ନିର୍ମାଣକାରୀ ସଂସ୍ଥା ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଦୀର୍ଘ ଦିନ ହେବ ଏହି ସମସ୍ୟା ଲାଗି ରହିଛି। ଏ ସମ୍ପର୍କରେ ପୂର୍ବରୁ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ହେଁ ପ୍ରଶାସନ ପକ୍ଷରୁ ଗାତ ଉପରେ କୌଣସି ସୁରକ୍ଷିତ ଢାଙ୍କୁଣି ବା ପ୍ଲେଟ୍ ପକାଯାଉ ନାହିଁ। ତୁରନ୍ତ ଏହି ଚାମ୍ବରଗୁଡ଼ିକୁ ମୁଖ୍ୟ ରାସ୍ତାରୁ ଦୂରକୁ ସ୍ଥାନାନ୍ତର କରିବାକୁ କିମ୍ବା ଏହାର ସ୍ଥାୟୀ ପ୍ରତିକାର କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।