ଟିଏମସିରେ ଫାଟ ପରେ ବି କମିନି ମମତାଙ୍କ ଦବଦବା; ତାଙ୍କ ବିନା ରାଜ୍ୟ ସଭାର ଗୋଟିଏ ବି ସିଟ୍ ଜିତିପାରିବେନି…
କୋଲକାତା,୬।୭: ପଶ୍ଚିମବଙ୍ଗରେ ରାଜ୍ୟସଭାର ତିନୋଟି ଆସନ ପାଇଁ ନିର୍ବାଚନ କମିଶନ ଉପ-ନିର୍ବାଚନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକ ପାଇଁ ଜୁଲାଇ ୨୪ରେ ମତଦାନ ହେବ ଏବଂ ସେହି ଦିନ ହିଁ ଫଳାଫଳ ପ୍ରକାଶ କରାଯିବ। ହେଲେ ବଙ୍ଗଳାର ଗୋଟିଏ ଆସନରେ ଅଙ୍କ ଛନ୍ଦି ହୋଇପାରେ ବୋଲି କୁହାଯାଉଛି। ସେପଟେ ତୃଣମୂଳ କଂଗ୍ରେସ (TMC) ଭାଙ୍ଗିବା ପରେ ବି ମମତା ବାନାର୍ଜୀଙ୍କ ଶକ୍ତି ଅନ୍ତତଃ ପକ୍ଷେ ଏହି ନିର୍ବାଚନରେ ତ ନିଶ୍ଚୟ ଦେଖିବାକୁ ମିଳିବ। ତାଙ୍କ ବିନା ଋତବ୍ରତ ଗୋଷ୍ଠୀ ଏହି ନିର୍ବାଚନରେ ତିଷ୍ଠି ପାରିବେ ନାହିଁ।
ପଶ୍ଚିମବଙ୍ଗରେ ୨୯୪ଟି ବିଧାନସଭା ଆସନ ରହିଛି। ଏହି ହିସାବରେ ଗୋଟିଏ ଆସନ ଜିତିବା ପାଇଁ ୭୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେବ। ଭାଜପା ପାଖରେ ୨୦୭ ଜଣ ବିଧାୟକ ଅଛନ୍ତି। ଏହି ଦୃଷ୍ଟିରୁ ଦେଖିଲେ ଭାଜପା ଦୁଇଟି ଆସନରେ ସହଜରେ ବିଜୟ ହାସଲ କରିନେବ, କିନ୍ତୁ ତୃତୀୟ ଆସନରେ ଅଙ୍କ ଗୋଳମାଳ ହୋଇପାରେ କାରଣ ତିନୋଟି ଯାକ ଆସନ ସହଜରେ ଜିତିବା ପାଇଁ ଦଳକୁ ୨୨୨ଟି ଭୋଟ ଦରକାର ହେବ।
ଟିଏମସି ପାଖରେ ୮୦ ଜଣ ବିଧାୟକ ଅଛନ୍ତି, କିନ୍ତୁ ଦଳ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି। ଯଦି ମମତା ବାନାର୍ଜୀ ଏବଂ ଋତବ୍ରତ ଉଭୟ ଗୋଷ୍ଠୀର ବିଧାୟକମାନେ ଏକତରଫା ଭାବେ ଭୋଟ ଦିଅନ୍ତି, ତେବେ ଭାଜପାର ତୃତୀୟ ପ୍ରାର୍ଥୀଙ୍କ ପାଇଁ ଅସୁବିଧା ବଢ଼ିଯାଇପାରେ।
ମମତା ବାନାର୍ଜୀ, ଋତବ୍ରତଙ୍କ ଉପରେ ଏତେ ଅସନ୍ତୁଷ୍ଟ ଅଛନ୍ତି ଯେ ସେ ତାଙ୍କ ପ୍ରାର୍ଥୀଙ୍କୁ କୌଣସି ପରିସ୍ଥିତିରେ ବି ସମର୍ଥନ କରିବେ ନାହିଁ। ତେଣୁ ସେ ନିଜ ବିରୋଧୀ ଗୋଷ୍ଠୀକୁ ସମର୍ଥନ କରିବା ବିଷୟରେ ଚିନ୍ତା କରିବାର ପ୍ରଶ୍ନ ହିଁ ଉଠୁନାହିଁ। ଋତବ୍ରତଙ୍କ ଦାବି ଅନୁଯାୟୀ ତାଙ୍କୁ ୬୦ ଜଣ ବିଧାୟକ ସମର୍ଥନ କରୁଛନ୍ତି, ଯଦି ଏହି ଦାବିକୁ ଆଧାର କରାଯାଏ ତେବେ ମମତା ବାନାର୍ଜୀଙ୍କ ସହ ୨୦ ଜଣ ବିଧାୟକ ଅଛନ୍ତି ଏବଂ ଏହି ସଂଖ୍ୟା ଯଥେଷ୍ଟ, ଯାହା କି ଋତବ୍ରତଙ୍କ ଗୋଷ୍ଠୀକୁ ରାଜ୍ୟ ସଭାରେ ପ୍ରବେଶ କରାଇପାରିବ।
ଭାଜପା ପାଖରେ ଦୁଇଟି ପ୍ରାର୍ଥୀଙ୍କୁ ଜିତାଇବା ପରେ ମଧ୍ୟ ୫୦ରୁ ଅଧିକ ଭୋଟ ବଳିବ ଏବଂ ଋତବ୍ରତଙ୍କ ପାଖରେ ୬୦ଟି ଭୋଟ ରହିଛି। ଏଭଳି ପରିସ୍ଥିତିରେ ଏହା ମଧ୍ୟ ଦେଖିବାକୁ ହେବ ଯେ, କ’ଣ ଋତବ୍ରତ ଗୋଷ୍ଠୀକୁ ରାଜ୍ୟ ସଭାରେ ପହଞ୍ଚାଇବା ପାଇଁ ଭାଜପା ନିଜର ଭୋଟ ଟ୍ରାନ୍ସଫର (ହସ୍ତାନ୍ତର) କରିବ। କେବଳ ସେତିକି ନୁହେଁ, ଏହା ମଧ୍ୟ ହୋଇପାରେ ଯେ ମମତା ବାନାର୍ଜୀ କିମ୍ବା ଋତବ୍ରତଙ୍କ ଗୋଷ୍ଠୀର ବିଧାୟକମାନେ ଭାଜପା ପ୍ରାର୍ଥୀଙ୍କ ସମର୍ଥନରେ କ୍ରସ ଭୋଟିଂ (ଦଳ ବିରୋଧୀ ଭୋଟ) କରିପାରନ୍ତି, ଯାହା ପରେ ଭାଜପାର ତୃତୀୟ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ହୋଇଯିବ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।